ଦେଶ

ଆମେରିକାର ଔଷଧ କମ୍ପାନୀ କୋରୋନା ସୁପର ସ୍ପ୍ରେଡ଼ର୍‌

ଅର୍ଗସ ବ୍ୟୁରୋ: ଏପ୍ରିଲ ୧୪ ସୁଦ୍ଧା ଆମେରିକାରେ ସଂକ୍ରମିତ ସଂଖ୍ୟା ୫ ଲକ୍ଷ ୮୭ ହଜାରରୁ ଅଧିକ ଥିବା ବେଳେ ମୃତକଙ୍କ ସଂଖ୍ୟା ରହିଛି ୨୩ ହଜାର ୬ ଶହରୁ ଅଧିକ । ଜୀବନ ରକ୍ଷାକାରୀ ଔଷଧ କମ୍ପାନୀ ସାଜିଛି ଆମେରିକାରେ ରୋଗ ବ୍ୟାପ୍ତିର ପ୍ରମୁଖ କାରଣ । ଆମେରିକାର ୬ ଟି ରାଜ୍ୟ ଓ ୟୂରୋପର ୩ ଟି ଦେଶ କରୋନାର ଶୀକାର ହୋଇଛି । ଆମେରିକାରେ କରୋନାର ସୁପର ସ୍ପ୍ରେଡ଼ର ‘ବାୟୋଜେନ୍‌’ । ନିଜ ଅଜାଣତରେ ପାଲଟିଛି କୋଭିଡ୍‌-୧୯ର ସୁପର ସ୍ପ୍ରେଡ଼ର । ସେହି ସୁପର ସ୍ପ୍ରେଡ଼ର ଆମେରିକାରେ ବଢ଼ାଇଛି କରୋନା ସଂକ୍ରମଣ ।

ବିଶ୍ୱବ୍ୟାପି କରୋନା ଭୂତାଣୁ ସଂକ୍ରାନ୍ତରେ ଏବେ ବହୁତ ଚର୍ଚ୍ଚାରେ ରହିଛି ସୁପର ସ୍ପ୍ରେଡ଼ର ଶବ୍ଦ । ଯାହା ଯୋଗୁଁ ଗୋଟିଏ ଦେଶ ବା ନିର୍ଦ୍ଦିଷ୍ଟ ଅଂଚଳରେ ସଂକ୍ରମଣ ଅଧିକ ପରିମାଣରେ ବ୍ୟାପିଥାଏ ତାକୁ କୁହାଯାଏ ସୁପର ସ୍ପ୍ରେଡ଼ର । ଜଣେ ବ୍ୟକ୍ତି ବା ବ୍ୟକ୍ତି ସମୁହ ନିଜ ଜାଣତରେ କିମ୍ବା ଅଜାଣତରେ ହୋଇପାରନ୍ତି ସୁପର ସ୍ପ୍ରେଡ଼ର । ତାଙ୍କ ଯୋଗୁଁ ହଠାତ୍ ବଢ଼ିଯାଏ ସଂକ୍ରମଣର ହାର ।

ଆମେ ଜାଣିଛେ ଏବେ ଆମେରିକାରେ କରୋନା ସଂକ୍ରମିତ ଓ ମୃତ୍ୟୁହାର ବିଶ୍ୱର ଅନ୍ୟ ଦେଶଠାରୁ ଢ଼େର୍ ଆଗରେ । ଏପରିକି ଏହା ଟପି ସାରିଛି ଚୀନ୍ ଓ ଇଟାଲୀକୁ । ଏହି ସ୍ଥିତିରେ ସେଠାରେ ଚର୍ଚ୍ଚାକୁ ଆସିଛି ଏମିତି ଏକ ଔଷଧ କମ୍ପାନୀର ନାଁ ଯେଉଁ କମ୍ପାନୀର ଲୋକମାନେ ନିଜ ଆଜାଣତରେ ସାଜିଥିଲେ ସୁପରସ୍ପ୍ରେଡ଼ର । ଯାହାଙ୍କ ଯୋଗୁଁ ଆମେରିକାରେ ହୁ ହୁ ହୋଇ ବଢ଼ି ଯାଇଥିଲା ସଂକ୍ରମଣ । ଆଲଝେମର୍‌ସ ଭଳି ଜୀବନରକ୍ଷାକାରୀ ଔଷଧ ତିଆରି କରୁଥିବା ଆମେରିକାର ପ୍ରମୁଖ ଫର୍ମା କମ୍ପାନୀ ବାୟୋଜେନ୍ ସାଜିଥିଲା ଜୀବନ ନାଶକାରୀ କରୋନା ସୁପର ସ୍ପ୍ରେଡ଼ର ।

ଚଳିତ ବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ବାୟୋଜେନ୍ କମ୍ପାନୀ ଆମେରିକାର ବୋଷ୍ଟନଠାରେ ଆୟୋଜନ କରିଥିଲା ବାର୍ଷିକ ସମ୍ମିଳନୀ । ନିଜ କମ୍ପାନୀର ସଫଳତା ବାବଦରେ ସେଠାରେ କମ୍ପାନୀର ପଦାଧିକାରୀମାନେ ଦେଇଥିଲେ ଭାଷଣ ଆଉ ପାଳନ କରିଥିଲେ ଉତ୍ସବ । ହେଲେ ସେତେବେଳେ କେହି ଜାଣି ନଥିଲେ ସେହି ପଦାଧିକାରୀଙ୍କ ମଧ୍ୟରୁ ଅନେକ ନିଜ ଅଜାଣତରେ ସଂକ୍ରମିତ ହୋଇଥିଲେ ମାରାତ୍ମକ କରୋନା ଭୂତାଣୁ ଦ୍ୱାରା । ସେତେବେଳେ ସେମାନଙ୍କ ଦେହରେ ସଂକ୍ରମଣର କୌଣସି ଲକ୍ଷଣ ଦେଖା ଯାଉନଥିବାରୁ କେହି ଗୁରୁତ୍ୱ ଦେଇ ନଥିଲେ ।

ସମ୍ମିଳନୀ ପରେ ସେମାନଙ୍କ ମଧ୍ୟରେ ଅନେକ ନିଜ ପରିବାର ସଦସ୍ୟଙ୍କ ସହ ମିଶିବା ସହିତ ବିମାନ ଯାତ୍ରା କରି ଆମେରିକାର ଅନ୍ୟ ରାଜ୍ୟ ଓ ସହରକୁ ଯାଇଥିଲେ । ଆଉ କିଛି ଯାଇଥିଲେ ୟୂରୋପର ଅନ୍ୟ ଦେଶକୁ । ଏହି କାରଣରୁ ବାୟୋଜେନ୍‌ର କର୍ମଚାରୀଙ୍କ ଯୋଗୁଁ ଆମେରିକାର ୬ ଟି ରାଜ୍ୟ ଏବଂ ୟୂରୋପର ୩ ଟି ଦେଶକୁ ମାରାତ୍ମକ କରୋନା ସଂକ୍ରମଣ ବ୍ୟାପିଥିଲା । ପରେ ସେହି ସଂକ୍ରମଣ ନିଆଁ ଭଳି ମାଡ଼ି ଯାଇଥିଲା ଅନ୍ୟ ଅଂଚଳକୁ । ଏହା ପରଠୁ ବାୟୋଜେନର ସେହି ସମ୍ମିଳନୀକୁ ମହାମରୀ ବିଶେଷଜ୍ଞମାନେ କହୁଛନ୍ତି ସୁପର ସ୍ପ୍ରେଡ଼ିଙ୍ଗ୍ ଇଭେଂଟ୍ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top