ଦେଶ

ଇଣ୍ଡିଆ ନମ୍ବର 1, କୋରୋନା ମୁକାବିଲା ଦିଗରେ ଭାରତର ସ୍ଥାନ ରହିଛି ଶୀର୍ଷରେ

ଅର୍ଗସ ବ୍ୟୁରୋ:  ଇଣ୍ଡିଆ ନମ୍ବର ଓ୍ୱାନ୍ । ଆଉ ଏପରି କହିବାର ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱରେ ଥିବା ଅନ୍ୟ ଦେଶ ତୁଳନାରେ କୋରୋନା ମୁକାବିଲା ଦିଗରେ ଭାରତର ସ୍ଥାନ ରହିଛି ଶୀର୍ଷରେ । ଆଉ ଏସବୁ ସମ୍ଭବ ହୋଇ ପାରିଛି କେବଳ ଜଣେ ଦୃଢ଼ ନେତୃତ୍ୱାଧୀନ ସରକାରଙ୍କ ପାଇଁ । ଅନ୍ୟ ଦେଶ ତୁଳନାରେ ଭାରତ ସରକାର ଖୁବ ଆଗୁଆ ପଦକ୍ଷେପ ସ୍ୱରୂପ ସମଗ୍ର ଦେଶରେ ଲକଡାଉନ୍ ଘୋଷଣା କରିଥିଲେ ।

ଯାହାର ଫଳ ସ୍ୱରୂପ ଆଜି ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଆୟତରେ ରହିଛି । ଅପରପକ୍ଷେ ଆମେରିକା, ଇଟାଲି, ଫ୍ରାନ୍ସ, ସ୍ପେନ ଭଳି ମହା ମହା ଶକ୍ତିଶାଳୀ ରାଷ୍ଟ୍ର କୋରୋନା ମୁକାବିଲା କରିବା କ୍ଷେତ୍ରରେ ବହୁ ପଛରେ ପଡିଯାଇଛନ୍ତି । ଅର୍ଥାତ ବିଶ୍ବର ଅନ୍ୟ ଦେଶ ତୁଳନାରେ ଶୀର୍ଷରେ ରହିଛି ଭାରତ ।  ଏକଥା ଆମେ କହୁନାହୁଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ୱାର୍ଲଡୋମିଟର୍ସର ରିପୋର୍ଟ ହିଁ ଏହା ଦର୍ଶାଉଛି ।

ସୂଚନା ଅନୁଯାୟୀ ଭାରତରେ  ସଂକ୍ରମିତଙ୍କ ସଂଖ୍ୟା 12ହଜାର ଛୁଇଁଲା ବେଳକୁ ଅନେକ ଦିନ ଲାଗିଯାଇଥିଲା । କିନ୍ତୁ ଅନ୍ୟାନ୍ୟ ଦେଶରେ ସେହି ସଂଖ୍ୟା ମାତ୍ର ଦିନ କେଇଟାରେ ଅତିକ୍ରମ କରିଥିଲା । ଭାରତରେ ସଂକ୍ରମିତଙ୍କ ସଂଖ୍ୟା 3ହଜାରରୁ 6 ହଜାରରେ ପଂହଚିବାକୁ ବେଳକୁ 6 ଦିନ ଲାଗିଥିଲା । ସେହିପରି 12ହଜାରରେ ପଂହଚିବାକୁ ଏକ ସପ୍ତାହ ସମୟ ଲାଗି ଯାଇଥିଲା । କିନ୍ତୁ ଆମେରିକା ଓ ଜର୍ମାନୀ ଭଳି ବିକଶିତ ରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା 6 ହଜାରରୁ 12 ହଜାରରେ ପହଞ୍ଚିବାକୁ ମାତ୍ର ଦୁଇଦିନ ଲାଗିଥିବା ବେଳେ ଇଟାଲିରେ 3 ଦିନ ଏବଂ ବ୍ରିଟେନ, ସ୍ପେନ ଓ ଫ୍ରାନ୍ସରେ 4ଦିନ ସମୟ ଲାଗିଥିଲା ।

ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଭାରତ ପ୍ରଥମ ପାଳିରେ ମାର୍ଚ୍ଚ 25ରେ ଯେଉଁ ଲକଡାଉନ୍ ଘୋଷଣା କରିଥିଲା ତାହାର ବେଶ ସୁଫଳ ମିଳିଛି । ଯେଉଁଥି ପାଇଁ କୋରୋନା ସଂକ୍ରମଣ ଉପରେ ରୋକ୍ ଲଗାଯାଇଛି । ଏଥିସହିତ ବିମାନ, ରେଳ ଚଳାଚଳ ଏପରିକି ବସ୍ ଚଳାଚଳ ବନ୍ଦ ଯୋଗୁଁ ତାହାର ସୁଫଳ ଅଧିକ ମିଳିଛି ।

ଯାହାଫଳରେ ଦ୍ବିତୀୟ ପାଳିର ଲକଡାଉନ୍ ସହ କଟକଣା ଲାଗିଯିବା ଯୋଗୁଁ ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ରୋଗ ସଂକ୍ରମଣ ଯଥେଷ୍ଟ କମ୍ ରହିଛି । ଭାରତରେ ଏକ ମିଲିୟନ ବା 10ଲକ୍ଷରେ ସଂକ୍ରମିତଙ୍କ ସଂଖ୍ୟା ରହିଛି 9 । ମାତ୍ର ସ୍ପେନରେ ଏହା 3 ହଜାର 854, ଇଟାଲୀରେ 2ହଜାର 732, ଆମେରିକାରେ 1ହଜାର 946, ଅଷ୍ଟ୍ରେଲିଆରେ 235, ଦକ୍ଷିଣ କୋରିଆରେ 207 ଓ ଜାପାନରେ 68 ରହିଛି ।

ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ଭାରତ ଅନ୍ୟାନ୍ୟ ଏସୀୟ ରାଷ୍ଟ୍ର ତୁଳନାରେ ବହୁ ପଛରେ ରହିଛି । ପ୍ରତି 10ଲକ୍ଷ ଲୋକଙ୍କ ମଧ୍ୟରେ ଭାରତରେ  ମୃତ୍ୟୁ ସଂଖ୍ୟା 0.3 ରହିଥିବା ବେଳେ ଜାପାନରେ 1, ଅଷ୍ଟ୍ରେଲିଆରେ 2 ଓ ଦକ୍ଷିଣ କୋରିଆରେ 4 ରହିଛି । ଅନ୍ୟପଟେ ସ୍ପେନରେ ଏହି ସଂଖ୍ୟା 404, ଇଟାଲିରେ 358, ଫ୍ରାନ୍ସରେ 263 ଓ ବ୍ରିଟେନରେ 190ରହିଛି ।

ସେହିପରି ଭାରତ ଭଳି କାନାଡ଼ା ଓ ଅଷ୍ଟ୍ରେଲିଆ ମଧ୍ୟ କୋରୋନା ମୁକାବିଲା କ୍ଷେତ୍ରରେ ଆଗରେ ରହିଥିବା ଜଣାପଡ଼ିଛି । ତେବେ ସବୁଠାରୁ ଖୁସିର କଥା ହେଉଛି ଭାରତରେ ଏଯାବତ୍ 325ଟି ଜିଲ୍ଲାକୁ କୋରୋନା ସ୍ପର୍ଷ କରି ପାରି ନାହିଁ । ଯାହାଫଳରେ ସେହି ଜିଲ୍ଲା ଗୁଡ଼ିକୁ ଗ୍ରୀନ ଜୋନରେ ସାମିଲ କରାଯାଇଛି । ତେବେ ଏହାରି ମଧ୍ୟରେ ଯେଉଁ 14ଟି ଜିଲ୍ଲା ସଂକ୍ରମିତ ଭାବେ ଚିହ୍ନଟ ହୋଇଛି ସେଠାରେ ଗତ 14ଦିନ ମଧ୍ୟରେ କୌଣସି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ । ଯାହାକି ସମଗ୍ର ଭାରତବାସୀଙ୍କ ପାଇଁ ଏକ ପ୍ରକାର ଆଶ୍ୱସ୍ତିର ବିଷୟ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top