ନ୍ୟୁଜ୍

ଉତ୍କଳ ଦିବସରେ ଖାଁ ଖାଁ ମଧୁବାବୁଙ୍କ ଗାଁ

ଅର୍ଗସ ବ୍ୟୁରୋ : କୋରୋନା ପାଇଁ ଫିକା ପଡ଼ିଲା ଉତ୍କଳ ଦିବସ । ଖାଁ ଖାଁ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁର । ଉତ୍କଳ ଦିବସରେ ଯେଉଁଠି ହଜାର ହଜାର ଲୋକ ସାମିଲ ହେଉଥିଲେ ତାହା ଆଜି ଜନଶୂନ୍ୟ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଯେଉଁ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ମଧୁବାବୁ ଥିଲେ ଅନନ୍ୟ ପ୍ରତିଭା।

ବଙ୍ଗ, ବିହାର, ଓଡିଶା ପୂର୍ବରୁ ଏକତ୍ର ଥିଲା। ବଙ୍ଗୀୟ ମାନେ ଓଡ଼ିଆ ଲୋକଙ୍କୁ ହୀନ ଦୃଷ୍ଟିରେ ଦେଖି ନିର୍ଯାତନା ଦେଉଥିଲେ। କିଛି ଶିକ୍ଷିତ ଓ ବୁଦ୍ଧିଜୀବୀଙ୍କ ପାଇଁ ସେହି ହୀନ ଚକ୍ରାନ୍ତରୁ ମୁକ୍ତି ପାଇ 1936 ମସିହା ଏପ୍ରିଲ 1 ତାରିଖରେ ସ୍ବତନ୍ତ୍ରତା ଲାଭ କରିଥିଲା ଓଡିଶା । ସବୁ ବର୍ଷ ଆଜିର ଦିନରେ ମଧୁବାବୁଙ୍କ ଜନ୍ମପୀଠର ପରିବେଶ ପୁରା ଗହଳି ଚହଳିରେ ଫାଟି ପଡେ। ବହୁ ଲୋକ ଏଠାରେ ଏକତ୍ରିତ ହୋଇଥାନ୍ତି। ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ସାମାଜିକ ଅନୁଷ୍ଠାନର ଲୋକେ ଆସି ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥାନ୍ତି। ହେଲେ ମହାମାରୀ କରୋନା ପାଇଁ ଏ ବର୍ଷ ପୁରା ଖାଁ ଖାଁ। ଏମିତିକି ଗୋଟିଏ ବି ଫୁଲ ହାର ପଡିନି ମଧୁବାବୁଙ୍କ ବେକରେ । କରୋନା ପାଇଁ ସମଗ୍ର ଦେଶରେ ଲକଡାଉନ ଘୋଷଣା କରାଯାଇଥିବାରୁ ପରିବେଶ ପୂରା ଶୂନସାନ।

କୋରୋନା ପାଇଁ ସବୁ ସରକାରୀ କାର୍ଯ୍ୟକ୍ରମ, ସଭା, ସମିତି ମହୋତ୍ସବକୁ ବନ୍ଦ କରାଯାଇଛି । ଯେଉଁଥିପାଇଁ ଉତ୍କଳ ଦିବସକୁ ମଧ୍ୟ ନିରାଡମ୍ବର ପାଳନ କରିବାକୁ ସରକାର ନିସ୍ପତ୍ତି ନେଇଥିଲେ । ସାମାଜିକ ଦୂରତ୍ବ ବଜାୟ ରଖିବା ସହ ସଙ୍ଗରୋଧ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି । ତେଣୁ ଆଜି ରାଜ୍ୟବ୍ୟାପୀ ନିରାଡମ୍ବର ଉତ୍କଳ ଦିବସ ପାଳନ କରାଯାଇଛି । କୋରୋନା ସଂକ୍ରମଣର ଭୟ ଥିବାରୁ ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ ବାହାରକୁ ଯିବାକୁ ମନା କରାଯାଇଛି । ତେଣୁ ଆଜି ଉତ୍କଳ ଦିବସ ଅବସରରେ ମଧୁ ବାବୁଙ୍କ ଜନ୍ମପୀଠ ଖାଁ ଖାଁ ପଡିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top