ଦେଶ

କୋରୋନା-ଆଗାମୀ ଦୁଇମାସରେ ବଢ଼ିପାରେ ସଂକ୍ରମଣ..

ଅର୍ଗସବ୍ୟୁରୋ: ଆଗାମୀ ଦୁଇମାସ ଅର୍ଥାତ୍ ଏପ୍ରିଲ ଏବଂ ମେ ରେ ଭାରତରେ ଆହୁରି ବଢ଼ିପାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା । କରୋନା ସଂକ୍ରମଣ ନେଇ ବିଶେଷ ଅନୁସନ୍ଧାନ କରୁଥିବା ଆମେରିକାର ଜନ୍ ହପକିନ୍ସ ୟୂନିଭର୍ସିଟି ଏବଂ ସେଂଟର ଫର୍ ଡିଜିଜ୍ ଡାଇନାମିକ୍ସ, ଇକୋନୋମିକ୍ସ ଆଣ୍ଡ୍ ପଲିସି ସଂସ୍ଥାର ରିପୋର୍ଟ ବେଶ୍ ଚିନ୍ତାର କାରଣ ପାଲଟିଛି ସମସ୍ତଙ୍କ ପାଇଁ । ବିଶ୍ୱ ମହାମାରୀ କୋଭିଡ୍ -୧୯ ସଂକ୍ରମଣକୁ ରେକିବା ପାଇଁ ଭାରତ ୨୧ ଦିନ ବ୍ୟାପ ଲକ୍ ଡାଉନ୍ ସମେତ ଅନ୍ୟ ସବୁପ୍ରକାର ଉଦ୍ୟମ ଜାରି ରଖିଛି । ତା ସତ୍ୱେ ବି ବର୍ତ୍ତମାନ ସୁଦ୍ଧା ସଂକ୍ରମିତ ସଂଖ୍ୟା ୯ ଶହରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ହେଲାଣି ୨୫ । ତେବେ ଏହି ୧ରିପୋର୍ଟ ଅନୁସାରେ ଭାରତର ସବୁଠୁ ଅଧିକ ଲୋକ ଆଗାମୀ ଏପ୍ରିଲ ଓ ମେ ମାସ ମଧ୍ୟଭାଗରେ କୋରାେନା ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ରହିଛି ।

ସେତେବେଳକୁ ଦେଶରେ ପ୍ରାୟତଃ ୨୫ ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି ବୋଲି ଗବେଷଣା ସଂସ୍ଥା ପକ୍ଷରୁ ଏକ ଗ୍ରାଫ୍ ମାଧ୍ୟମରେ ଦର୍ଶାଯାଇଛି । ଏପରି ହେବାର କାରଣ ସମ୍ପର୍କରେ କୁହାଯାଇଛି ଯେ, କରୋନା ସଂକ୍ରମିତଙ୍କ ଦେହରେ ରୋଗର ଲକ୍ଷଣ ହାଲକା ଭାବରେ ପ୍ରକାଶ ପାଉଛି ଯାହା ଟେଷ୍ଟରେ ଚିହ୍ନଟ ହୋଇପାରୁନି । ସଂକ୍ରମଣ ଯେତେବେଳେ ପାଖାପାଖି ଶେଷ ପର୍ଯ୍ୟାୟରେ ପହଂଚୁଛି ବା ତୀବ୍ର ହେଉଛି ସେତେବେଳେ ହିଁ ଜଣାପୁଡ଼ୁଛି । ଏହା ହେଉଛି ବେଶି ବିପଦର କାରଣ ।

ଏ ପରିସ୍ଥତିରେ ବୟସ୍କ ଲୋକମାନଙ୍କୁ ସମାଜିକ ଦୂରତା ବଜାୟ ରଖିବାର ଅଧିକ ଆବଶ୍ୟକତା ରହିଛି କାରଣ କୋରୋନା ସଂକ୍ରମଣ ସେମାନଙ୍କ ପାଇଁ ବେଶି ଘାତକ ହୋଇପାରେ । ଉପଯୁକ୍ତ ପ୍ରତିଷେଧକ ନଥିବାରୁ ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସାମାଜିକ ଦୂରତା ଓ ସଂଗରୋଧ ହିଁ ଏକ ମାତ୍ର ବିକଳ୍ପ । ଦେଶର ସମସ୍ତ ନାଗରୀକ ଏହାକୁ ମାନିବା ଉଚିତ୍ । କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଶ୍ୱାସ ସମସ୍ୟା ଏକ ପ୍ରମୁଖ ଲକ୍ଷଣ ହୋଇଥିବାରୁ ଚିକିତ୍ସା ପାଇଁ ଦେଶରେ ଆଗକୁ ହୁଏତ ୧୦ ଲକ୍ଷ ଭେଂଟିଲେଟରର ଆବଶ୍ୟକତା ପଡ଼ିପାରେ ମାତ୍ର ଏବେ ତାହାର ସଂଖ୍ୟା ହେଉଛି ମାତ୍ର ୫୦ ହଜାର ।

ସଂକ୍ରମଣର ଶୀକାର ହୋଇଥିବା ଅନ୍ୟ ଉନ୍ନତ ଦେଶ ପରି ଭାରତରେ ମଧ୍ୟ ସ୍ୱତନ୍ତ୍ର ହସପିଟାଲ ସୁବିଧା ସହିତ ଯାଂଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ । ଏପରି ହେଲେ ଜୁଲାଇ ଶେଷ ବେଳକୁ କରୋନାର ପ୍ରଭାବ କମ୍ ହେବା ସହିତ ଅଗଷ୍ଟ ବେଳକୁ ପ୍ରାୟତଃ ଶେଷ ହୋଇଯିବ ବୋଲି ରିପୋର୍ଟରେ ଉଲ୍ଳେଖ ରହିଛି । 

Click to comment

Leave a Reply

Your email address will not be published. Required fields are marked *

Most Popular

To Top