ନ୍ୟୁଜ୍

କରୋନା ପାଇଁ ୟୁରୋପୀୟ ଦେଶ ମଧ୍ୟରେ ଫାଟ

ଅର୍ଗସ ବ୍ୟୁରୋ : କରୋନା ଭାଇରସ ଯୋଗୁ ୟୁରୋପୀୟ ଦେଶଗୁଡିକ ମଧ୍ୟର ଫାଟ ସୃଷ୍ଟି ହୋଇଛି । 27 ସଦସ୍ୟ ବିଶିଷ୍ଟ ଏହି ସଂଘ ଭାଙ୍ଗିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏବେ ଇଟାଲୀର ପ୍ରଧାନମନ୍ତ୍ରୀ ଗୁସେପ କୋଣ୍ଟେ ମଧ୍ୟ ଏଭଳି ମତ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ୟୁରୋପରେ କରୋନା ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶଙ୍କ ପାଇଁ ୟୁରୋପୀୟ ସଂଘ ତରଫରୁ କିଛି ସହାୟତା ଦିଆନଯାଏ, ତାହେଲେ ଏହା ଭାଙ୍ଗିଯିବ । ୟୁରୋପର ସବୁ ଦେଶରେ କରୋନା ବ୍ୟାପିଥିବା ବେଳେ ଦକ୍ଷିଣ ଭାଗରେ ଥିବା ଦେଶ ଯେପରିକି ଇଟାଲୀ, ସ୍ପେନ ଆଦିରେ ଏହା ଯୋଗୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ।

କେବଳ ଏହି ଦୁଇ ଦେଶରେ 30ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । କିନ୍ତୁ ୟୁରୋପର ଉତ୍ତର ପାର୍ଶ୍ୱରେ ଥିବା ଦେଶ ଗୁଡିକ ଏହା ଯୋଗୁ କମ ପ୍ରଭାବିତ ହୋଇଛନ୍ତି । ଏହି କାରଣରୁ କରୋନା ଯୋଗୁ ଅଧିକ ପ୍ରଭାବିତ ହୋଇଥିବା ଦେଶଗୁଡିକ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦେବା ପ୍ରସ୍ତାବ ଉପରେ ୟୁରୋପୀୟ ସଂଘଗୁଡିକର ସଦସ୍ୟଙ୍କ ଭିତରେ ସହମତି ହୋଇପାରୁନାହିଁ । ୟୁରୋପୀୟ ସଂଘ ଦ୍ୱାରା ଇଟାଲୀ ସ୍ପେନ ଭଳି ଦେଶ ପାଇଁ ଏକ ଆର୍ଥିକ ପ୍ୟାକେଜ ପ୍ରଦାନ କରିବାକୁ ଯୋଜନା କରାଯାଇଛି । କିନ୍ତୁ ହଲାଣ୍ଡ ଏହାକୁ ନେଇ ପ୍ରଶ୍ନ ଉଠାଇଛି । ତେଣୁ ପ୍ୟାକେଜ ଜାରି କରିବା ବିଳମ୍ବ ହେଉଛି । ଇଟାଲୀ ଚାହୁଁଛି କି ଯେଉଁ ଆର୍ଥିକ ସହାୟତା ଦିଆଯିବ, ତାକୁ ପ୍ରଥମେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏବଂ ପରେ ଦେଶର ଅର୍ଥନୀତିକୁ ସୁଧାରିବା ସକାଶେ ବିନିଯୋଗ କରାଯିବା ଉଚିତ । କିନ୍ତୁ ହଲାଣ୍ଡ ଦାବି କରୁଛି କି ଯେଉଁ ଦେଶଗୁଡିକୁ ଏହି ସହାୟତା ଦିଆଯିବ, ତାହାକୁ ସେମାନେ କିପରି ବ୍ୟୟ କରୁଛନ୍ତି, ତାହା ଉପରେ ୟୁରୋପୀୟ ସଂଘ ଦ୍ୱାରା ନଜର ରଖିବାର ବ୍ୟବସ୍ଥା କରାଯାଉ । ମାତ୍ର ଇଟାଲୀ ଏହି ପ୍ରସ୍ତାବକୁ ବିରୋଧ କରୁଛି । ତେଣୁ ଆର୍ଥିକ ପ୍ୟାକେଜ ଜାରି ହୋଇପାରୁନି । ତେବେ ଅନ୍ୟ ଦେଶର କୂଟନୀତିଜ୍ଞମାନେ ଏବେ ଏହା ଉପରେ ସହମତି ସୃଷ୍ଟି ପାଇଁ ହଲାଣ୍ଡ ଉପରେ ଚାପ ପକାଉଛନ୍ତି । ପୂର୍ବରୁ ବି ଇଟାଲୀ ମେଡିକାଲ ଉପକରଣ ଯୋଗାଇବାକୁ ୟୁରୋପ ସଂଘର ଅନ୍ୟ ସଦସ୍ୟମାନଙ୍କୁ ନିବେଦନ କରିଥିଲା । ମାତ୍ର କୌଣସି ବି ଦେଶ ତାହାର ନିବେଦନ ସ୍ୱୀକାର କରିନଥିଲେ । ଏଥିଯୋଗୁ ଇଟାଲୀରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top