ନ୍ୟୁଜ୍

କୋରୋନା ସଚେତନତା ବେଳେ ଆଶାକର୍ମୀଙ୍କୁ ଗରମ ପେଜ ମାଡ

ଅର୍ଗସ ବ୍ୟୁରୋ : କୋରୋନା ବିରୋଧି ଲଢେଇରେ ସଚେତନ କରୁଥିବା ଆଶା କର୍ମୀଙ୍କ ଉପରକୁ ଗରମ ପେଜ ମାଡ। ଆଉ ଏହି ଗରମ ପେଜ ମାଡରେ ସଂପୃକ୍ତ ଆଶା କର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଆଶାକର୍ମୀଙ୍କୁ ପ୍ରଥମେ ଦଶପଲ୍ଲା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ବାଣୀଗୋଛା ଥାନା ଅନ୍ତର୍ଗତ ତଳସାହି ଗାଁରେ।

ସାରା ରାଜ୍ୟରେ ଏବେ ଲକଡାଉନ୍ ଜାରି ରହିଛି । କୋରୋନା ସଂପର୍କରେ ସଚେତନ କରାଇବା ପାଇଁ ଗତକାଲି ଆଶାକର୍ମୀ ମାଧୁରୀ ତଳସାହିରେ ଲୋକଙ୍କ ସହ ଆଲୋଚନା କରିଥିଲେ। ପଞ୍ଚାୟତରେ ଖାଦ୍ୟ ରନ୍ଧନ ପାଇଁ ମହିଳା ଗ୍ରୁପର କର୍ମୀମାନଙ୍କୁ ବୁଲି ବୁଲି କହୁଥିଲେ। ଏହି ସମୟରେ ଆଶାକର୍ମୀଙ୍କ ପଡୋଶୀ ମନୁ ନାୟକଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପଡୋଶୀ ମାଧୁରୀଙ୍କ ମୁହଁକୁ ଗରମ ପେଜ ଫୋପାଡି ଦେଇଥିଲେ। ଫଳରେ ମାଧୁରୀଙ୍କ ମୁହଁ ସହ ଶରୀର ବିଭିନ୍ନ ଅଂଶ ପୋଡିଯାଇଛି। ଗୁରୁତର ଅବସ୍ଥାରେ ମାଧୁରୀଙ୍କୁ ଉଦ୍ଧାର କରି ପରିବାର ଓ ଗାଁ ଲୋକେ ପ୍ରଥମେ ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା। ତେବେ ପେଜ ମାଡ଼ ଫଳରେ ତାଙ୍କ ଆଖିକୁ ଦେଖା ଯାଉନଥିବା ବେଳେ ମୁହଁ ଏବଂ ହାତରେ ଫୋଟକା ହୋଇଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ମନୁ ନାୟକଙ୍କୁ ଗିରଫ କରିଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଅମାନବୀୟ କାଣ୍ଡ ହୋଇଥିବା କୁହାଯାଉଛି। ସେପଟେ ଏହି ଘଟଣାକୁ ଆଶାକର୍ମୀ ସଂଘ ନିନ୍ଦା କରିବା ସହ ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଛି।

ସାରା ଦେଶରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ଚାଲିଛି ସଚେତନତା, ସତର୍କତା ଓ ସଂଯମତା। ଆଉ ଏଥିପାଇଁ ବିଶେଷ କରି ଗାଁ ଗହଳିରେ ଡାକ୍ତରଙ୍କଠାରୁ ଆରମ୍ଭ କରି ଆଶାକର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କରୋନା କାର୍ଯ୍ୟରେ ନିୟୋଜିତ କରିବାକୁ କୁହାଯାଇଛି। ଆଉ ଏହି ସମୟରେ ସକାରଙ୍କ ନିର୍ଦ୍ଦେଶକୁ ମାନି ଆଶାକର୍ମୀ ଜଣକ ନିଜ କର୍ତ୍ତବ୍ୟ ତୁଲାଉ ଥିବାବେଳେ ତାଙ୍କ ପ୍ରତି ଏପରି ଅମାନୁଷିକ କାର୍ଯ୍ୟ ବାସ୍ତବିକ ଘୃଣ୍ୟ। ତେବେ ଏ ଦିଗରେ ଆଗକୁ ପୋଲିସ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top