ନ୍ୟୁଜ୍

ଖାଉଟିଙ୍କ ଚିନ୍ତାର କାରଣ ପାଲଟିଛି କୋରୋନା, ଫାଇଦା ଉଠାଉଛନ୍ତି ଖୁଚୁରା ବ୍ୟବସାୟୀ

ଭୁବନେଶ୍ୱର: ଖାଉଟିଙ୍କ ଚିନ୍ତାର କାରଣ ପାଲଟିଛି କୋରୋନା । କୋରୋନା ଭାଇରସ ଯେ କେବଳ ଲୋକଙ୍କ ମନରେ ଭୟ ଖେଳାଇଛି ତା ନୁହେଁ । ଏମିତିକି ଲୋକଙ୍କ ଜୀବନ ଯାତ୍ରା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଏବେ ବଜାରରେ ଆକାଶ ଛୁଆଁ ପରିବା ଦର ଥିବାବେଳେ ମାର୍କେଟ ଗଲେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । କେଉଁ ପରିବା କିଣିବୁ କାହାକୁ ଖାଇବୁ। କାରଣ ବର୍ତ୍ତମାନ ବଜାରରେ ଯେଉଁ ପରିବା ଉପରେ ଆଙ୍ଗୁଠି ରଖିବେ, ତା ଦର ଶୁଣିଲା ବେଳକୁ ଗ୍ରାହକଙ୍କ ଭିତରେ ଛନକା ପଶୁଛି । କୋରୋନାକୁ ନେଇ ପୁରା ରାଜ୍ୟ ତାଲା ବନ୍ଦରେ ଥିବାବେଳେ ଘରୁ ବାହାରିବା ଉପରେ କଟକଣା ଲାଗିଛି । ଏଭଳି ସ୍ଥିତିରେ ଭୟ ଓ ଆଶଙ୍କାରେ ରହୁଥିବା ଲୋକ ଘରେ ଆବଶ୍ୟକୀୟ ଖାଦ୍ୟ ପ୍ରଦାର୍ଥ ଷ୍ଟକ ରଖୁଛନ୍ତି । ଯାହାର ଫାଇଦା ଉଠାଉଛନ୍ତି ଖୁଚୁରା ବ୍ୟବସାୟୀ ।

ମନଇଚ୍ଛା ଦର ନିର୍ଦ୍ଧାରଣ କରି ପରିବା ହେଉ ଅବା ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ବିକ୍ରି କରୁଛନ୍ତି । ତେବେ ଏନେଇ ଖବର ପାଇବା ପରେ ବିଭାଗ ପକ୍ଷରୁ ବ୍ୟବସାୟୀଙ୍କୁ ତାଗିଦ କରାଯାଇଛି । ଯେଉଁଥିପାଇଁ ଆଜି ବଜାରରେ ପରିବା ଦର ସ୍ୱାଭାବିକ ରହିଥିବା ଦେଖାଯାଇଥିଲା । ଭୁବନେଶ୍ୱରରେ ପିଆଜ କିଲୋ 30 ଟଙ୍କା, ଆଳୁ 22, ବୋଇତାଳୁ 10, ଅଦା 70, ରସୁଣ 90, ବାଇଗଣ 25, ପୋଟଳ 40, ଗୋଟା ବନ୍ଧା କୋବି 10, ଭଣ୍ଡା 25, ବିମ୍ସ 35, ମଟର ଛୁଇଁ 40, ସଜନା ଛୁଇଁ 60, ପଣସ 30, କାକୁଡି 30, ଜହ୍ନି 35, ସାରୁ 40, କନ୍ଦମୂଳ 30, ଝୁଡଙ୍ଗ 40, ଟମାଟୋ 16, ଗୋଟା କଞ୍ଚା କଦଳୀ 8, ଭେଣ୍ଡି 20 ଟଙ୍କା କିଲୋ ପ୍ରତି ରହିଛି । ସେହପରି ଆଇଁଷ ଉପରେ ଯଦି ନଜର ପକାଇବା । ମାଛ କିଲୋ ପ୍ରତି 170ରୁ 180 ଟଙ୍କା, ଚିକେନ 180ରୁ 190, ଅଣ୍ଡା 5 ଟଙ୍କା ଓ ମଟନ 560ରୁ 580 ଟଙ୍କା ରହିଛି ।

ସେପଟେ ଭୁବନେଶ୍ୱର ତୁଳନାରେ କଟକରେ ପରିବା ଦର ଅଲଗା ରହିଛି । ଆଳୁ ଗୋଟେ ଧଡା 80 ଟଙ୍କା ଥିବାବେଳେ ପିଆଜ ଧଡ଼ା 100 ଟଙ୍କା, ବାଇଗଣ ଗୋଟେ କେଜି 20, ଝୁଡଙ୍ଗ 30, ଅମୃତଭଣ୍ଡା 40, ଟମାଟୋ 20, ଗାଜର କିଲୋ ପ୍ରତି 20 ଟଙ୍କା ରହିଛି । ସେ ପରିବା ଦର ଯେତେ ହେଉନା କାହିଁକି ଲୋକଙ୍କୁ ନିଜ ଜୀବନ ଧରିବାକୁ ହେବ । ସେଥିପାଇଁ ଯାହା ମୂଲ୍ୟ ଥିଲେ ବି କୋରୋନା ଭୟରେ ଲୋକମାନେ ଅଧିକ ପରିମାଣର ପରିବା କିଣି ନେଉଛନ୍ତି ।

ଗୋଟିଏପଟେ କୋରୋନା ପାଇଁ ବନ୍ଦୀ ଜୀବନ । ଅନ୍ୟପଟେ ଖୁଚୁରା ବ୍ୟବସାୟୀଙ୍କ ଶୋଷଣର ଶିକାର ହେଉଛନ୍ତି ସାଧାରଣ ଲୋକ । ଏମିତିରେ ବିଭାଗ ପକ୍ଷରୁ ବ୍ୟବସାୟୀଙ୍କୁ ତାଗିଦ ସହ ବିଭିନ୍ନ ବଜାରରେ ଚଡାଉ କରାଯାଉଛି । ଫଳରେ ଆଜି କିଛି ସ୍ଥାନରେ ପରିବା ଦର ସ୍ୱାଭାବିକ ଥିବାବେଳେ ଆଉ କିଛି ଖୁଚୁରା ବ୍ୟବସାୟୀ ମନଇଚ୍ଛା ଦରରେ ପରିବା ବିକ୍ରି କରୁଥିବା ଦେଖାଯାଇଥିଲା । ତେବେ ଆଗକୁ ମଧ୍ୟ ଏହିପରି ଚଢାଉ ଜାରି ରଖାଯିବ ବିଭାଗ ପକ୍ଷରୁ କୁହାଯାଇଥିବାବେଳେ ଚଢା ଦରରେ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top