ଦେଶ

ଜାଣନ୍ତୁ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ କାହିଁକି କମ୍ ହୁଏ କୋରୋନା…

ଅର୍ଗସ ବ୍ୟୁରୋ: ମାରାତ୍ମକ କୋରୋନା ବା କୋଭିଡ୍‌-୧୯ ଏକ ଲିଙ୍ଗବିଦ୍ୱେଷୀ ଭୂତାଣୁ କି? କାହିଁକି ମହିଳାଙ୍କ ଅପେକ୍ଷା ପୁରୁଷମାନେ ବେଶି ହେଉଛନ୍ତି କରୋନାର ଶୀକାର? ଆଜିଯାଏ ଯେତେଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ପୁରୁଷମାନଙ୍କ ସଂଖ୍ୟା ଅଧିକ କାହିଁକି? କାହିଁକି ମହିଳାମାନଙ୍କ ତୁଳନାରେ ପୁରୁଷମାନେ ବେଶି ମୃତ୍ୟୁବରଣ କରୁଛନ୍ତି କୋରୋନାରେ? ଏହା ପଛରେ କ’ଣ ଥାଇପାରେ କାରଣ? ଏ ପ୍ରଶ୍ନ ଏବେ ବିଚଳିତ କଲାଣି ଡାକ୍ତର ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ।

ପ୍ରଥମେ ଚୀନରେ ଏହା ପରିଲକ୍ଷିତ ହୋଇଥିଲେ ମଧ୍ୟ କେହି ଏତେ ଗୁରୁତ୍ୱ ଦେଇନଥିଲେ ମାତ୍ର ପରେ ଇଟାଲୀ, ଆମେରିକା, ସ୍ପେନ୍‌, ଇରାନ୍‌, ଦକ୍ଷୀଣ କୋରିଆ, ଭାରତ ଏବଂ ଅନ୍ୟ ଦେଶରେ ଠିକ୍ ସମାନ କଥା ଘଟିବା ପରେ ଏବେ ଖୋଜାଯାଉଛି କାରଣ । ଆଜି ପର୍ଯ୍ୟନ୍ତ ପୃଥିବୀର ବିଭିନ୍ନ ଦେଶରେ କୋରୋନା ସଂକ୍ରମଣ ଓ ମୃତ୍ୟୁର ଶୀକାର ହୋଇଥିବା ଲୋକମାନଙ୍କ ସଂଖ୍ୟାରୁ ମଧ୍ୟ ଏହି କଥାଟି ସ୍ପଷ୍ଟ ହେବାରେ ଲାଗିଛି ।

 ଚୀନରେ ସଂକ୍ରମିତ ପୁରୁଷଙ୍କ ମଧ୍ୟରୁ ୨.୮% ମୃତ୍ୟୁବରଣ କରିଥିବା ବେଳେ ମହିଳାଙ୍କ ସଂଖ୍ୟା ହେଲା ମାତ୍ର ୧.୭% ।  ଇଟାଲୀରେ ସଂକ୍ରମିତଙ୍କ ମଧ୍ୟରୁ ପୁରୁଷଙ୍କ ମୃତ୍ୟୁହାର ୭.୨% ଥିବାବେଳେ ମହିଳାଙ୍କର ରହିଛି ୪.୧% । ଦକ୍ଷୀଣ କୋରିଆରେ ମୃତ୍ୟୁ ହୋଇଥିବା ପୁରୁଷଙ୍କ ସଂଖ୍ୟା ୫୪% । ଭାରତରେ ମଧ୍ୟ ସେୟା ଘଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ୭୬% ପରୁଷ ଥିବା ବେଳେ ମାତ୍ର ୨୪% ହେଉଛନ୍ତି ମହିଳା । ତେବେ ଏହାର କାରଣ ଖୋଜିବାକୁ ଯାଇ ୟୂକେର ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାଃ ସାରା କାୟାତ୍ କିଛି କାରଣ ବାହାର କରିଛନ୍ତି ।

ରୋଗ ପ୍ରତିଷେଧକ ଶକ୍ତି- ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କର ସାଧରଣତଃ ଅଧିକ ରୋଗ ପ୍ରତିଷେଧକ ଶକ୍ତି ରହିଥାଏ ଯେଉଁଥିପାଇଁ ସେମାନଙ୍କ ଶରୀରର ଆଂଟିବଡ଼ି ଭୂତାଣୁ ସହିତ ଲଢ଼ିପାରେ । ଋତୁସ୍ରାବ ଦ୍ୱାରା ମହିଳାମାନଙ୍କ ଶରୀରରେ ହରମୋନ୍‌ର ପରିବର୍ତନ ଯୋଗୁଁ ମଧ୍ୟ ପ୍ରତିରୋଧକ ଶକ୍ତି ବୃଦ୍ଧିପାଏ । ଏହାଛଡ଼ା ପୁରୁଷଙ୍କ ଶରୀରରେ ଗୋଟିଏ ଏକ୍ସ ଓ ଗୋଟିଏ ୱାଇ କ୍ରୋମୋଜମ୍ ଥିବାବେଳେ ମହିଳାଙ୍କ ଶରୀରରେ ଦୁଇଟି ଏକ୍ସ କ୍ରୋମୋଜମ୍ ଥାଏ ।

ଏକ୍ସ କ୍ରୋମୋଜମ୍‌ରେ ଅଧିକ ରୋଗ ପ୍ରତିରୋଧକ ଜିନ୍ ଥିବାରୁ ମହିଳାମାନେ ଅପେକ୍ଷାକୃତ କମ୍ ସଂଖ୍ୟାରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାନ୍ତି । ଅସ୍ୱାସ୍ଥ୍ୟକର ଜୀନଶୈଳୀ- ସାଧାରଣତଃ ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କର ଜୀବନଶୈଳୀ ବେଶି ଅସ୍ୱାସ୍ଥ୍ୟକର । ନିଜ ସ୍ୱାସ୍ଥ୍ୟପ୍ରତି ସେତେ ଗୁରୁତ୍ୱ ଦିଅନ୍ତି ନାହିଁ । ସେମାନେ ବେଶି ମଦ୍ୟମାନ ଏବଂ ଧୂମପାନ କରୁଥିବାରୁ ରୋଗ ପ୍ରତିଷେଧକ ବ୍ୟବସ୍ଥାକୁ ତାହା ପ୍ରଭାବିତ କରିଥାଏ । ଯେଉଁଥିପାଇଁ ସେମାନଙ୍କୁ ହଉଥିବା ଉଚ୍ଚ ରକ୍ତଚାପ, ହୃଦରୋଗ ଏବଂ ଫୁସ୍ ଫୁସ୍ ଜନିତ ରୋଗ ଭୂତାଣୁ ସଂକ୍ରମଣ ପାଇଁ ବାଟ ଫିଟାଇଥାଏ

ହାତ ଧୋଇବା ଓ ବ୍ୟକ୍ତିଗତ ସ୍ୱଛତା: ମହିଳାମାନେ ହାତ ଧୋଇବା ଏବଂ ବ୍ୟକ୍ତିଗତ ସ୍ୱଛତା ପ୍ରତି ଯେତେ ଗୁରୁତ୍ୱ ଦିଅନ୍ତି ପୁରୁଷମାନେ ସେତେ ଗୁରୁତ୍ୱ ଦିଅନ୍ତି ନାହିଁ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଅଣଦେଖା ।  ମହିଳାମାନେ ନିଜ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଯେତେ ଯତ୍ନଶୀଳ ପୁରୁଷମାନେ ସେତେ ଯତ୍ନଶୀଳ ହୁଅନ୍ତିନାହିଁ ଏବଂ ସମସ୍ୟା ଥିଲେ ଅଣଦେଖା କରନ୍ତି । ଏହିସବୁ କାରଣ ଯୋଗୁଁ ପୁରୁଷମାନେ ମହିଳାମାନଙ୍କ ଅପେକ୍ଷା ବେଶି କରୋନା ଦ୍ୱାରା ସଂକ୍ରମିତ ହେବା ସହିତ ମୃତ୍ୟୁବରଣ କରୁଛନ୍ତି ବୋଲି ଅନୁମାନ କରା ଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top