ଦେଶ

ତାଲାବନ୍ଦ ସମୟରେ 2600 ସ୍ୱତନ୍ତ୍ର ଟ୍ରେନରେ 35 ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ଯାତାୟତ କରିଛନ୍ତି

ନୂଆଦିଲ୍ଲୀ : ଧୀରେ ଧୀରେ ଭାରତରେ କାୟା ବିସ୍ତାର କରୁଛି କୋରୋନା ସଂକ୍ରମଣ। ଏହାର ମୁକାବିଲା କରିବା ପାଇଁ ଜାରି ରହିଛି ତାଲା ବନ୍ଦ ପ୍ରକ୍ରିୟାର 4ର୍ଥ ପର୍ଯ୍ୟାୟ। ଏହି ସମୟରେ ଅନେକ ରାଜ୍ୟରେ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ଫସି ରହିଛନ୍ତି। ସେମାନଙ୍କ ଯାତାୟତ ସୁବିଧା ପାଇଁ କେନ୍ଦ୍ର ସରକାର ମେ 1 ତାରିଖରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ସେବା ଆରମ୍ଭ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ 2600 ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଛି ଯେଉଁଥିରେ 35 ଲକ୍ଷରୁ ଅଧିକ ପ୍ରବାସୀ ଏହି ସୁବିଧା ପାଇଛନ୍ତ ବୋଲି ଆଜିର ଏକ ପ୍ରେସ ମିଟରେ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ ର ଯୁଗ୍ମ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ।

ଏହି ସମୟରେ ଅନେକ ଜାଗାରେ ଗୁଜବ ପ୍ରଚାର ହେଉଛି ନିକଟରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ନେଇ ହୋଇଥିବା ଗୁଜବ ପ୍ରଚାରରେ ବିଶ୍ୱାସ ନ କରିବକୁ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ପରାମର୍ଶ ଦିଆଯାଇଥିଲା ବୋଲି ସେ କହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରା ମଧ୍ୟରୁ 80% ଉତ୍ତରପ୍ରଦେଶ ଏବଂ ବିହାରର ପ୍ରବାସୀ ଶ୍ରମିକଙ୍କ ପାଇଁ କରାଯାଇଛ ବୋଲି ରେଳ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି।

ମେ 1 ତାରିଖରୁ ଆରମ୍ଭ ହୋଇଥିବା ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନରେ ସମସ୍ତ ଯାତ୍ରୀଙ୍କୁ ମାଗଣା ଭୋଜନ ଏବଂ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଟ୍ରେନ୍ ଏବଂ ଷ୍ଟେସନରେ ସାମାଜିକ ଦୂରତା ଏବଂ ସ୍ୱଚ୍ଛତା ପ୍ରୋଟୋକଲ୍ ଅନୁସରଣ କରାଯାଉଛି। ଆମେ 80,000 ଶଯ୍ୟା ବିଶିଷ୍ଟ 5000 କୋଚକୁ COVID 19 କେୟାର ସେଣ୍ଟରରେ ରୂପାନ୍ତର କରିଥିଲୁ। ଏଥି ମଧ୍ୟରୁ କିଛି ବର୍ତ୍ତମାନ ବ୍ୟବହୃତ ହେଉନାହିଁ। 50 ପ୍ରତିଶତ ଟ୍ରେନକୁ ଆମେ ଶ୍ରମିକ୍ ସ୍ୱତନ୍ତ୍ର ଟ୍ରେନ୍ ପାଇଁ ବ୍ୟବହାର କରିଥିଲୁ। ଯଦି ଆବଶ୍ୟକ ହୁଏ ସେ ଗୁଡିକ ପୁନର୍ବାର COVID 19 ପାଇଁ ବ୍ୟବହାର କରାଯିବ। ଲକଡାଉନରେ ଲୋକଙ୍କ ଯାତ୍ରାକୁ ସ୍ୱାଭାଵିକ କରିବା ପାଇଁ ପ୍ରୟାସ କରାଯାଇଛି। ଏ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ 1 ଜୁନ୍ ଠାରୁ 200 ମେଲ୍ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବ।

କୋରୋନା ମୁକାବିଲା ପାଇଁ ପିପିଇ ଏବଂ ସାନିଟାଇଜର ଉତ୍ପାଦନ ପାଇଁ ରେଳ ମନ୍ତ୍ରଣାଳୟ ଅତୁଳନୀୟ ଅବଦାନ ଦେଇଛି। 1.2 ଲକ୍ଷ PPE ଏବଂ 1.4 ଲକ୍ଷ ଲିଟର ସାନିଟାଇଜର ଉତ୍ପାଦନ କରିଛି। ରେଳ ମନ୍ତ୍ରଣାଳୟ ନିରବଚ୍ଛିନ୍ନ ଭାବେ ମାଲ ପରିବହନ କାର୍ଯ୍ୟ କରିଛି। 1 ଏପ୍ରିଲରୁ 22 ମଇ ମଧ୍ୟରେ 9.7 ନିୟୁତ ଟନ୍ ଖାଦ୍ୟଶସ୍ୟ ବିତରଣକୁ ସୁନିଶ୍ଚିତ କରିଛି ରେଳ ମନ୍ତ୍ରାଳୟ। ମାର୍ଚ୍ଚ 22 ତାରିଖରୁ 3255 ନୂତନ ପାର୍ସଲ ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଛି। ଅମ୍ଫାନ ମହାବାତ୍ୟାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବର୍ତ୍ତମାନ ପଶ୍ଚିମବଙ୍ଗକୁ ଟ୍ରେନ ସେବା ବନ୍ଦ ରହିଛି। ପୁନରୁଦ୍ଧାର କାର୍ଯ୍ୟ ସରିଲେ ଟ୍ରେନ ସେବା ଆରମ୍ଭ ହେବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top