ଦେଶ

ପିଏମ୍ -କେୟାର୍ସ ଫଣ୍ଡ୍ : ଛୁଟିଛି ଦାନର ସୁଅ

ଅର୍ଗସବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ କୋରୋନା ପାଣ୍ଠି ପିଏମ୍‌–କେୟାର୍ସ ଫଣ୍ଡକୁ ଛୁଟିଛି ବଦାନ୍ୟ ବ୍ୟକ୍ତିଙ୍କ ଧନର ସୁଅ । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରଫେସନାଲ, ବ୍ୟବସାୟୀ, ପ୍ରଶାସନିକ ଅଧିକାରୀ, ଚିତ୍ରିତାରକାମାନେ ମୋଟା ପରିମାଣର ଅର୍ଥ ଦାନ କରିଥିବା ବେଳେ ସବୁଠୁ ଆଗରେ ଅଛନ୍ତି ବଲିଉଡର ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାର ଏବଂ ଇଣ୍ଡିଆନ୍ ଏୟାରପୋର୍ଟ ଅଥରିଟି । ଆଇଏଏ ୨୦ କୋଟି ଟଙ୍କା ଦାନ କରିଥିଲା ବେଳେ ନିଜ ଅଭିନୀତ ଚଳଚ୍ଚିତ୍ର ଜରିଆରେ ବିଭିନ୍ନ ପ୍ରସଙ୍ଗରେ ସଚେତନତାର ବାର୍ତା ବାଂଟୁଥିବା ଅକ୍ଷୟ କୁମାର ଦାନ କରିଛନ୍ତି ୨୫ କୋଟି ଟଙ୍କା । ସେ ଲେଖିଛନ୍ତି ବର୍ତମାନ ସମୟରେ ଦେଶବାସୀଙ୍କ ଜୀବନ ବଡ଼ । ଜାନ୍ ହୈ ତ ଜାହାନ୍ ହୈ, ଅଥାତ୍ ଜୀବନ ରହିଲେ ଏ ଦୂନିଆ ରହିବ । ତାଙ୍କର ଏହି କାର୍ଯ୍ୟକୁ ପତ୍ନୀ ଟ୍ୱିଙ୍କିଲ ଖାନ୍ନା ପ୍ରଶଂସା କରିଥିବାରୁ ତା’ର ଜାବବ୍‌ରେ ଅକ୍ଷୟ କୁମାର ଟ୍ୱିଟ୍ କରି କହିଛନ୍ତି, ଦିନେ ତାଙ୍କ ହାତରେ ଅର୍ଥ ନଥିଲା । ଲୋକମାନଙ୍କ ଭଲ ପାଇବା ତାଙ୍କୁ ଏ ଜାଗାରେ ପହଂଚେଇଛି । ତେଣୁ ଲୋକଙ୍କ ସେବା ପାଇଁ ସେ ଏହି ଅର୍ଥ ଦେଉଛନ୍ତି ।

ସେହିପରି ଅଭିନେତା ବରୁଣ ଧାୱନ ମଧ୍ୟ ଦାନ କରିଛନ୍ତି ୩୦ ଲକ୍ଷ ଟଙ୍କା । ଦେଶରେ କରୋନା ସଂକ୍ରମଣକୁ ରୋକିବା ସହ ବର୍ତମାନ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସହାୟତା ଯୋଗାଇ ଦେବାକୁ ଗଠନ କରାଯାଇଛି ଏହି ପାଣ୍ଠି । ଶନିବାର ଦିନ ଏ ସମ୍ପର୍କରେ ଟୁଇଟ୍ ମାଧ୍ୟମରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଜରୁରୀକାଳୀନ ସହାୟତା ପାଣ୍ଠି ସୁସ୍ଥ ଭାରତ ଗଠନରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ । ଏହାର ନାଁ ରଖାଯାଇଛି ନାଗରୀକ ସହୟତା ଓ ଜରୁରୀ ସ୍ଥିତି ରିଲିଫ୍ ପାଣ୍ଠି ବା ପିଏମ୍ – କେୟାର୍ସ ଫଣ୍ଡ୍ । ମାତ୍ର ଗୋଟିଏ ଦିନ ଭିତରେ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଧନୀ ବ୍ୟକ୍ତିବିଶେଷ ଓ କର୍ପୋରେଟ୍ ସଂସ୍ଥା ପର୍ଯ୍ୟନ୍ତ ହାତ ଖୋଲି ସହଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମକୁ । କରୋନା ବା କୋଭିଡ୍ -୧୯ ବିରୋଧରେ ଭାରତର ଲଢ଼େଇ ପାଇଁ ଦାନ କରିବାକୁ ଚାହୁଁଥିବା ଯେ କୌଣସି ବଦାନ୍ୟ ବ୍ୟକ୍ତି ଏବଂ ଅନୁଷ୍ଠାନ ଏହି ପାଣ୍ଠିକୁ ଅର୍ଥ ଦାନ କରିପାରିବେ ।

ସିଏସ୍‌ଆର୍ ଅର୍ଥ ମଧ୍ୟ ଏହି ପାଣ୍ଠିକୁ ଦିଆ ଯାଇପାରିବ । ଏହା ଏକ ଚାରିଟେବୁଲ ଟ୍ରଷ୍ଟ ବା ଦାତ୍ୟବ ଅନୁଷ୍ଠାନ ଭାବରେ କାମ କରିବ । ପ୍ରଧାନମନ୍ତ୍ରୀ ନିଜେ ଏହି ଚାରିଟେବୁଲ ଟ୍ରଷ୍ଟର ଅଧକ୍ଷ ରହିଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହା ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସିତାରମଣ ଏହାର ସଦସ୍ୟ ଭାବରେ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି । ଆପଣ ବି ଯଦି ନିଜ ସାଧ୍ୟ ମୁତାବକ ପିଏମ୍‌-କେୟାର୍ସ ଫଣ୍ଡକୁ ଅର୍ଥ ଦାନ କରିବାକୁ ଚାହୁଁଛନ୍ତି ତାହେଲେ ଦାନ କରି ଦେଶସେବାରେ ନିଜ ଅର୍ଥକୁ ଲଗେଇପାରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top