ଧର୍ମ

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିର ଭିତରେ ହେବ ଅସ୍ଥାୟୀ କୁଣ୍ଡ

ପୁରୀ : ବିଧି ରକ୍ଷା ପାଇଁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିକାନ୍ତି ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ଭିତରେ ଅସ୍ଥାୟୀ କୁଣ୍ଡ କରାଯାଇ ମହାପ୍ରଭୁଙ୍କ ୨୧ ଦିନ ଵ୍ୟାପୀ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ତେବେ ନୌକା ବିହାରକୁ ଛାଡ଼ି ବାହାର ଚନ୍ଦନ ଯାତ୍ରାର ସମସ୍ତ ବିଧି ପାଳିତ ହେବ। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକ ପରେ ପଞ୍ଚ ମହାଦେବ କମିଟି ସହମତି ପ୍ରକାଶ କରିଛି। ତେବେ ସମାଜିକ ଦୂରତ୍ୱକୁ ରକ୍ଷା କରିବା ପାଇଁ ପଞ୍ଚ ମହାଦେବ କମିଟିର ମାତ୍ର ୧୦ ଜଣ ସେବାୟତ ଉପସ୍ଥିତ ରହିବେ। କେଉଁ ସ୍ଥାନରେ ଅସ୍ଥାୟୀ କୁଣ୍ଡ ହେବ ସେନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ମାପଚୁପ କରାଯାଉଛି ।

ବିମାନବଡୁ ସେବାୟତମାନେ ମଧ୍ୟ ସହଯୋଗ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ମଦନମୋହନ, ଭୂଦେବୀ, ଶ୍ରୀଦେବୀ ନିଜନିଜ ପାଲିଙ୍କିରେ ଅସ୍ଥାୟୀ ଜଳକ୍ରୀଡା ମଣ୍ଡପକୁ ବିଜେ କରିବା ପରେ ସେଠାରେ ନୌକା ବିହାର ଛଡା ଚନ୍ଦନ ଯାତ୍ରାର ଅନ୍ୟାନ୍ୟ ସମସ୍ତ ନୀତି ବିଧି ଅନୁଯାୟୀ ପାଳିତ ହେବ । ଶ୍ରୀମନ୍ଦିର ଭିତର ଚାହାଁଣୀ ମଣ୍ଡପ ଓ ସ୍ନାନମଣ୍ଡପ ମଧ୍ୟସ୍ଥଳରେ ପୂଜାପଣ୍ଡା ସାମନ୍ତ ମାନେ ଆଜ୍ଞାମାଳ ପ୍ରଦାନ କରିବେ। ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଶୁଭ ଅନୁକୂଳ ହେବ। ଭୋଇ ସେବକଙ୍କ ସହାୟତାରେ ରଥଖଳାରେ ଥିବା ତିନିଖଣ୍ଡ ଧଉରା କାଠ ଶ୍ରୀମନ୍ଦିର ଭିତରକୁ ନିଆଯାଇ ସେଠାରେ ଆଞ୍ୟାମାଳ ପ୍ରଦାନ ସହ ରଥନିର୍ମାଣ ଅନୁକୂଳ କରାଯିବ ବୋଲି ଆଲୋଚନା ପରେ ପୂଜାପଣ୍ଡା ସେବାୟତ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top