ନ୍ୟୁଜ୍

ମେ ୩, ୨୦୧୯.. କାଲି ପରି ଲାଗୁଛି, ଆସିଲା ଆଉ ସବୁକିଛି ଉଜାଡି ଦେଇ ଚାଲିଗଲା..

FANI

ଅର୍ଗସ ବ୍ୟୁରୋ:  ବାତ୍ୟା ଫୋନିକୁ ବର୍ଷେ ପୁରିଛି । ଯାହାର ଭୟାବହତାକୁ ଭୁଲି ପାରିନାହାଁନ୍ତି ପୁରୀ ଓ ରାଜଧାନୀ ବାସିନ୍ଦା । ପୁରୀରେ ଲ୍ୟାଣ୍ଡ ଫଲ୍ ହେବା ସହ ଭୟଙ୍କର ତାଣ୍ଡବ ରଚିଥିଲା ଫୋନି ।

ମେ ୩, ୨୦୧୯ । ଠିକ୍ ବର୍ଷକ ତଳେ ପୁରୀ ଉପକୂଳ ଛୁଇଁଥିଲା ପ୍ରଳୟଙ୍କରୀ ବାତ୍ୟା ଫନି । ରଚିଥିଲା ତାଣ୍ଡବ । ପୁରୀ, ଖୋର୍ଦ୍ଧା, ଭୁବନେଶ୍ବରରେ ହୋଇଥିଲା ଭୟଙ୍କର କ୍ଷୟକ୍ଷତି। ପୁରୀ କୃଷ୍ଣପ୍ରସାଦ ଅଂଚଳରେ ଲ୍ୟାଣ୍ଡଫଲ୍ କରିଥିଲା ଫୋନି । ଯେତେବେଳେ ପବନର ଘଣ୍ଟାପ୍ରତି ବେଗ ଥିଲା ୨୦୦ କିଲୋମିଟରରୁ ଅଧିକ । ଯଦିଓ ବାତ୍ୟା ନେଇ ସମସ୍ତେ ପ୍ରସ୍ତୁତ ଥିଲେ କିନ୍ତୁ ଭୟାବହତାକୁ କେହି ଆକଳନ କରିପାରିନଥିଲେ । ଚାହୁଁ ଚାହୁଁ ପବନର ବେଗ ବଢିବାରେ ଲାଗିଲା । ଉପୁଡି ଗଲା ବଡ଼ ବଡ଼ ଗଛ, ଉଡିଗଲା ଆଜବେଟଷ୍ଟସ୍, ମାଟିରେ ମିଶିଗଲା ଅନେକ ଘର ।

ପ୍ରଳୟଙ୍କାରୀ ଫନି ନେଲା ୬୪ ଜଣଙ୍କ ଜୀବନ । ୧୪ ଜଣ ଗୁରୁତର ଆହତ ହୋଇଥିଲେ । ପ୍ରଭାବିତ ହୋଇଥିଲେ ଦେଢ କୋଟିରୁ ଅଧିକ ଲୋକ । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ । ଯେଉଁଠି କେବଳ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ବାସହରା ହୋଇଯାଇଥିଲେ ହଜାର ହଜାର ଲୋକ । ବିଛିନ୍ନ ହୋଇଯାଇଥିଲା ଟେଲିଫୋନ୍ ଓ ବିଦ୍ୟୁତ ସେବା । ରିପୋର୍ଟ ଅନୁସାରେ କେବଳ ପୁରୀ ଜିଲ୍ଲାରେ ୧ ଲକ୍ଷ ୮୯ ହଜାର କଚ୍ଚା ଘର ମାଟିରେ ମିଶିଯାଇଥିଲା । ଦେଢଶହରୁ ଅଧିକ ଲୋକ ଆହତ ହୋଇଥିଲେ । ଖୋର୍ଦ୍ଧା ଏବଂ ଭୁବନେଶ୍ବରକୁ ଯାତାୟତ ଠପ୍ ହୋଇଯାଇଥିଲା । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ବିଦ୍ୟୁତ ସେବା ।

ସରକାରୀ ଆକଳନ ଅନୁସାରେ ବିଦ୍ୟୁତ ବିଭାଗର କ୍ଷୟକ୍ଷତିର ଆର୍ଥିକ ଆକଳନ ଥିଲା ୧୧୫୯ କୋଟି । ଯାହା ସମ୍ପୂର୍ଣ୍ଣ ସ୍ବାଭାବିକ ହେବାକୁ ମାସେରୁ ଅଧିକ ସମୟ ଲାଗି ଯାଇଥିଲା । କେବଳ ଭୁବନେଶ୍ବରରେ ବିଦ୍ୟୁତ ସେବା ସ୍ବାଭାବିକ କରିବାକୁ ଦୁଇ ସପ୍ତାହରୁ ଅଧିକ ସମୟ ଲାଗିଥିଲା । ଫନି ଉଜାଡି ଦେଇଥିଲା ଲକ୍ଷ ଲକ୍ଷ ଲୋକଙ୍କ ଜୀବନଜୀବିକା । ପୁରୀ ଓ ଖୋର୍ଦ୍ଧାରେ ପ୍ରାୟ ୫ ହଜାର ବୁଣାକାର ପରିବାରଙ୍କର ୫ କୋଟିରୁ ଅଧିକ ଟଙ୍କା କ୍ଷତି ହୋଇଥିଲା ।

ଫୋନିରେ ୨୦ ହଜାର ୩୬୭ ଗାଁ ଏବଂ ୫୨ଟି ସହରାଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ୧ ଲକ୍ଷ ୮୨ ହଜାର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିଲା । ୬ ହଜାର ୨ ଶହ ଗୃହପାଳିତ ପଶୁ ପ୍ରାଣ ହରାଇଥିଲେ । ୮ ହଜାର ୫ଶହ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ, ୩ ହଜାର ଅଙ୍ଗନୱଡି କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିଲା । ବାତ୍ୟାରେ କ୍ଷତିଗ୍ରସ୍ତ ସାଧାରଣ ସମ୍ପତ୍ତି ତଥା ବାସଗୃହ, ଫସଲ , ଗୃହପାଳିତ ପଶୁ, ପକ୍ଷୀ, ଡଙ୍ଗା, ଜାଲ, ଆଦି ବ୍ୟକ୍ତିଗତ ସମ୍ପତ୍ତିର ପରିମାଣ ଥିଲା ୯୩୩୬ କୋଟି ଟଙ୍କା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top