ଅପରାଧ

ସିରିୟଲ କିଲର ଡାକ୍ତର: ସ୍ୱୀକାର କଲା ଅପରାଧ, ୫୦ ହତ୍ୟା ପରେ ଗଣିବା ଭୁଲିଯାଇଥିଲା

ନୂଆଦିଲ୍ଲୀ: ଡାକ୍ତରକୁ ଦ୍ୱିତୀୟ ଭଗବାନର ଆଖ୍ୟା ଦିଆଯାଏ । କିନ୍ତୁ ଏବେ ଏମିତି ଜଣେ ଡାକ୍ତରର ଖବର ସାମ୍ନାକୁ ଆସିଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ । ସେ ଭଗବାନ ନୁହେଁ ସୈତାନ । ଏମିତି ଜଣେ ଡାକ୍ତର ଯାହାର ହତ୍ୟା କରିବା ଥିଲା ନିଶା । ଏପରିକି 50 ଜଣଙ୍କୁ ମାରିବା ପରେ ଶିକାର ଗଣିବାକୁ ଭୁଲିଯାଇଥିଲା । ଏ ଡାକ୍ତର ଉତ୍ତରପ୍ରଦେଶ ଅଲିଗଡ଼ ଜିଲ୍ଲାର ପୂରୁଣା ବସ୍ତିର ବାସିନ୍ଦା ଦେବେନ୍ଦ୍ର ଶର୍ମା । 62 ବର୍ଷୀୟ ଦେବେନ୍ଦ୍ର ପାଖରେ ରହିଛି ବିଏଏମଏସ୍‌ ଡିଗ୍ରୀ । ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଦେବେନ୍ଦ୍ରକୁ କାବୁ କରିଛି ।

50ରୁ ଅଧିକ ହତ୍ୟାରେ ସାମିଲ ଡାକ୍ତର
ଦେବେନ୍ଦ୍ର ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ 50ରୁ ଉର୍ଦ୍ଧ୍ୱ ଟ୍ୟାକ୍ସି ଓ ଟ୍ରକ ଡ୍ରାଇଭରଙ୍କୁ ମର୍ଡର କରିଥିବା ଜଣାପଡ଼ିଛି । ପୂର୍ବ ମିଡିଆ ରିପୋର୍ଟ ଆଧାରରେ ପୋଲିସ ଦେଇଥିବା ସୂଚନା ଅନୁସାରେ ଆୟୁର୍ବେଦିକ ଡାକ୍ତର ଦେବେନ୍ଦ୍ରର ହାତ 100ରୁ ଉର୍ଦ୍ଧ୍ୱ ମର୍ଡର କେସ୍‌ରେ ରହିଛି । ସଠିକ୍‌ ତଥ୍ୟ ଦେବା ସମ୍ଭବ ହୋଇନାହିଁ । କାରଣ ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ହରିୟାଣାରେ ଦେବେନ୍ଦ୍ର ନାଁରେ ଥିବା ଏତଲାକୁ ଭିତ୍ତି କରି ଯାଞ୍ଚ କରୁଛି ପୋଲିସ । କେବଳ ସେତିକି ନୁହେଁ ଉତ୍ତରପ୍ରଦେଶରେ ମିଥ୍ୟା ଗ୍ୟାସ୍‌ ଏଜେନ୍ସି ଚଲାଉଥିବା ନେଇ ମଧ୍ୟ ଗିରଫ ହୋଇଥିଲା ଦେବେନ୍ଦ୍ର ।

ଗ୍ୟାସ ଏଜେନ୍ସିରୁ ଧରାପଡ଼ିଲା କାରନାମା
ବିହାରରୁ ଡିଗ୍ରୀ ପାଇବା ପରେ ଜୟପୁରରେ ନିଜର କ୍ଲିନିକ ଖୋଲିଥିଲା ଦେବେନ୍ଦ୍ର । 1995ରେ ଛାରା ଗାଁରେ ମିଥ୍ୟା ଗ୍ୟାସ ଏଜେନ୍ସି ଚଲାଇ ଲୋକଙ୍କୁ ଠକିବା ଆରମ୍ଭ କଲା । ପରେ ବଡ଼ ଅପରାଧ ଦୁନିଆରେ ପାଦ ଥାପିଲା ଦେବେନ୍ଦ୍ର ଶର୍ମା ।

2004ରେ ଗିରଫ ହୋଇଥିଲା
ପୋଲିସ ଅନୁଯାୟୀ, ଦେବେନ୍ଦ୍ରର ସହଯୋଗୀ ସିଲିଣ୍ଡର ବୋଝେଇ ଟ୍ରକରୁ ଲୁଟ କରୁଥିଲେ । ଏହାସହ ଡ୍ରାଇଭରକୁ ହତ୍ୟା କରିଦେଉଥିଲେ । ପରେ ନିଜ ମିଥ୍ୟା ଗ୍ୟାସ ଏଜେନ୍ସିରେ ସିଲିଣ୍ଡର ନେଇ ରଖୁଥିଲେ  । 1994ରେ କିଡନୀ ଚୋରୀରେ ହାତ ଥିବା ନେଇ ଗିରଫ ହୋଇଥିଲା ଦେବେନ୍ଦ୍ର । ଏହି ମାମଲାରେ ଅନ୍ୟ କିଛି ଡାକ୍ତରଙ୍କୁ ବି ଗିରଫ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top