X
Breaking News
ଧର୍ମ

ରାଜ୍ୟ ସରକାରଙ୍କୁ ଆମିକସ୍‌ କ୍ୟୁରୀଙ୍କ କ୍ଲିନ୍‌ ଚିଟ୍, କହିଲେ ପୁରୀରେ ସବୁ ଠିକ୍‌ ଅଛି

naveen Puri

ପୁରୀ: ରାଜ୍ୟ ସରକାରଙ୍କୁ ଆମିକସ୍‌ କ୍ୟୁରୀଙ୍କ କ୍ଲିନ ଚିଟ୍ । ଶ୍ରୀମନ୍ଦିର ଓ ପୁରୀର ସ୍ଥିତି ଅନୁଧ୍ୟାନ କରି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବାକୁ ଆସିଥିବା ଆମିକସ୍‌ କ୍ୟୁରୀ ଏକ ପ୍ରକାର ରାୟ ଦେଇସାରିଛନ୍ତି । ପୁରୀର ବାସହରା, ମଠାଧିଶ, ସାଧୁସନ୍ଥଙ୍କ ସହ କୌଣସି ଆଲୋଚନା ନକରି ସବୁ ଠିକ୍‌ ଅଛି ବୋଲି ମନ୍ତବ୍ୟ ଦେବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଭକ୍ତଙ୍କ ଭାବାବେଗ ସହ ଖେଳ ଖେଳୁଛନ୍ତି ସରକାର ! ଶ୍ରୀମନ୍ଦିର ସୁରକ୍ଷା ଲାଗି ବିନା ଥଇଥାନରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ପୁରୀ ବାସୀଙ୍କୁ ବେସାହାରା କରିଛି । ଖାଲି ସେତିକି ନୁହେଁ ହଜାର ହଜାର ସାଧୁସନ୍ଥ ମଧ୍ୟ ହୋଇଛନ୍ତି ବେଘର । ପ୍ରଥମେ ଶ୍ରୀମନ୍ଦିରକୁ ଆତଙ୍କବାଦୀ ବିପଦ ଥିବା ଦର୍ଶାଇ ଲୋକଙ୍କୁ ତ୍ୟାଗ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ । ଆଉ ଏବେ ଜିଲ୍ଲା ପ୍ରଶାସନ, ଉଚ୍ଛେଦ ନାମରେ ସଂସ୍କୃତି ଓ ସଭ୍ୟତାର ସଂହାର ଲିଳା ଚଳାଇବା, ପୁରୀ ବାସୀଙ୍କ ସମେତ ରାଜ୍ୟର ପ୍ରତିଟି ଓଡିଆଙ୍କୁ ବ୍ୟଥିତ କରିଛି । ତେବେ ଭରସା ଥିଲା ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ପୁରୀ ଆସି ସ୍ଥିତି ଅନୁଧ୍ୟାନ କରିଥିବା ଆମିକସ୍‌ କ୍ୟୁରୀ ପୁରୀ ବାସୀଙ୍କ ଦୁଃଖ ବୁଝିବା ସହ ସଂସ୍କୃତି ଓ ଐତିହ୍ୟ ପ୍ରତି ଦୃଷ୍ଟି ଦେବେ । ମାତ୍ର ଶ୍ରୀମନ୍ଦିର ଚତ୍ତୁପାର୍ଶ୍ବରୁ ଉଚ୍ଛେଦ ପ୍ରସଙ୍ଗରେ ଆମିକସ୍‌ କ୍ୟୁରୀ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବା ପୂର୍ବରୁ ସରକାରଙ୍କୁ କ୍ଲିନ ଚିଟ୍ ଦେବା ପୁରୀ ବାସୀଙ୍କୁ ବ୍ୟଥିତ କରିଛି ।

ସେପଟେ ଶ୍ରୀମନ୍ଦିର ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଆମିକସ୍‌ କ୍ୟୁରୀ ସରକାରଙ୍କୁ କ୍ଲିନଚିଟ୍‌ ଦେବା ପଛରେ ଥିବା ରହସ୍ୟକୁ ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଆମିକସ୍‌ କ୍ୟୁରୀଙ୍କୁ ସରକାର ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ପୁରୀର ସମ୍ପୂର୍ଣ୍ଣ ଚିତ୍ର ଦେଖାଇ ନାହାନ୍ତି । ସେହିଭଳି କଂଗ୍ରେସ ମଧ୍ୟ ସରକାରଙ୍କ ଏପରି କାର୍ଯ୍ୟକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

ସରକାରଙ୍କୁ କ୍ଲିନ ଚିଟ୍‌ ଦେବା ପରେ ଆମିକ୍ୟୁସ୍‌ କ୍ୟୁରୀଙ୍କ ନିରପେକ୍ଷତା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ପୁରୀ ଆସିଲେ । ସୁପ୍ରିମ କୋର୍ଟଙ୍କୁ ରିପୋର୍ଟ ଦେବା ପୂର୍ବରୁ ନିଜ ଏକ ପ୍ରକାର ରାୟ ଦେଇଗଲେ । ଅପରପକ୍ଷେ କୌଣସି ମନ୍ତବ୍ୟ ଦେବା ପୂର୍ବରୁ ସବୁ ପକ୍ଷଙ୍କୁ ଭେଟିଲେ ନାହିଁ କାହିଁକି ? ଉଚ୍ଛେଦ ଘଟଣାକୁ ନେଇ ଗଜପତି ମହାରାଜ ଓ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମାତ୍ର ଉଚ୍ଛେଦକୁ ବିରୋଧ କରୁଥିବା ସୁରକ୍ଷା ମଂଚ, ମଠ ମହନ୍ତ, ବାସହରାମାନଙ୍କୁ ଭେଟିଲେ ନାହିଁ କାହିଁକି ? ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top