ନ୍ୟୁଜ୍

ଦାଦନ ସ୍ୱାମୀଙ୍କ ମୃତ୍ୟୁ ପରେ ଫେରିପାଇଲେନି ଶବ, ଏବେ ୩ଛୁଆଙ୍କ ସହ କରୁଛନ୍ତି ସଂଘର୍ଷ

URMIL

ଅନୁଗୁଳ: ଗରିବଙ୍କ ପାଇଁ ସରକାର ଯୋଜନା କରିଛନ୍ତି ସତ, ମାତ୍ର ଏହା ନାଲି ଫିତା ତଳେ ଚାପି ହୋଇରହୁଛି । ଅନେକ ସମୟରେ ହିତାଧିକାରୀ ହଟ୍ଟହଟ୍ଟା ହେଉଛନ୍ତି । ଏଭଳି ସରକାରଙ୍କ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି ଉର୍ମିଲା ।

ଅନୁଗୁଳ ଛେଣ୍ଡିପଦା ବ୍ଳକ ସିମିଲିପାଳ ଗାଁର ଉର୍ମିଲା ପଧାନ । ସ୍ୱାମୀ ବିଦ୍ୟାଧର ପଧାନଙ୍କ ବିୟୋଗ ପରେ ତାଙ୍କର ଦୁଃଖ କହିଲେ ନସରେ । ଉର୍ମିଳାଙ୍କ ସ୍ୱାମୀ ବିଦ୍ୟାଧର ପଧାନ(୩୨) ଜଣେ ଦିନ ମଜୁରିଆ ଥିଲେ ,ଫଳରେ ସେ ଦୁଇ ବେଳା ଖାଇବାକୁ ମଧ୍ୟ ପାଉନ ଥିଲେ ତେଣୁ ଗାଁର କିଛି ଯୁବକ ରାଜସ୍ଥାନ ଦାଦନ ଖଟି ଯାଉଥିବା ବେଳେ ସେ ମଧ୍ୟ ତାଙ୍କ ସହିତ ରାଜସ୍ଥାନକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ କିଛି ଦିନ କାମ କରିବା ପରେ ତାଙ୍କର ଦେହ ଅସୁସ୍ଥ ହୋଇଥିଲା ଓ ତାଙ୍କର ମୃତ୍ୟୁ ହୋଇଥିଲା । ସେଠାକାର ଲୋକମାନେ ଉର୍ମିଳାକୁ ଖବର ଦେଇଥିଲେ କିନ୍ତୁ ଅର୍ଥ ଅଭାବରୁ ଉର୍ମିଳା ଆଉ ସ୍ୱାମୀଙ୍କର ଶବ ଗାଁକୁ ଆଣିପାରି ନଥିଲେ । ସ୍ୱାମୀଙ୍କ ଶବ ଫେରାଇ ଆଣିବା ପାଇଁ ଉର୍ମିଲା ଦାବି କରିଥିଲେ ମଧ୍ୟ କୌଣସି ସହାୟତା ମିଳିନଥିଲା ।

ସ୍ୱାମୀର ମୃତଦେହ ମଧ୍ୟ ଦେଖିପାରିଲେନି ଉର୍ମିଳା ଓ ତାର ୩ ଟି ଛୁଆ । ତେବେ ସ୍ୱାମୀଙ୍କର ମୃତ୍ୟୁ ପରେ ଏବେ ଉର୍ମିଲାଙ୍କ ବଞ୍ଚିବା ଦୁର୍ବିସହ ହୋଇପଡିଛି । ଓଳିଏ ଖାଇଲେ ଓଳିଏ ପାଇଁ ଦାନା ନାହିଁ । ଏପର୍ଯ୍ୟନ୍ତ ଉର୍ମିଲାଙ୍କୁ କୌଣସି ସହାୟତା ମିଳିନଥିବା ବେଳେ ଛୁଆମାନଙ୍କୁ ନେଇ ବଞ୍ଚିବା କଷ୍ଟକର ହୋଇପଡିଛି । ଏଯାଏଁ ଉର୍ମିଲାଙ୍କୁ ମିଳିନି ବିଧବା ଭତ୍ତା ।

ସରକାରୀ ସହାୟତା ସାତ ସପନ । ଯୋଜନା ତ ଆସୁଛି ମାତ୍ର ଏହା ଲୋକଙ୍କ ନିକଟରେ ପହଞ୍ଚିପାରୁନି । ଫଳରେ ହିତାଧିକାରୀ ବଞ୍ଚିତ ହେଉଛନ୍ତି । କେବଳ ଉର୍ମିଲା ନୁହଁନ୍ତି ଏଭଳି ଅନେକ ଅଛନ୍ତି, ଯେଉଁମାନେ କି ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି । ତେଣୁ ଯୋଜନା କିପରି କାର୍ଯ୍ୟକାରୀ ହେବ, ହିତାଧିକାରୀ ଏହାର ଲାଭ ଉଠାଇପାରିବେ ସେ ଦିଗରେ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top