ନ୍ୟୁଜ୍

ଅଗଷ୍ଟ ୩୧ ଯାଏଁ ସମସ୍ତ ସ୍କୁଲ୍, କଲେଜ ବନ୍ଦ, ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ

ଅର୍ଗସ ବ୍ୟୁରୋ : ସାରା ଦେଶରେ ଆସନ୍ତା କାଲିଠୁ ଲାଗୁ ହେବ ଅନ୍‌ଲକ୍‌ ୨.୦ କଟକଣା। ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ମହାମାରୀ କରୋନା ଓ ଅନ୍‌ଲକ୍‌ ୨.୦ କଟକଣାକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅପଡେଟ୍‌ ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ଅଗଷ୍ଟ ୩୧ ଯାଏଁ ସ୍କୁଲ୍, କଲେଜ ବନ୍ଦ ରହିବ । ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଜାରି ରହିବ। ଏହି ସମୟ ମଧ୍ୟରେ ସମସ୍ତ ଚଳପ୍ରଚଳ ବନ୍ଦ ରହିବ । କେବଳ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ପୂର୍ବରୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ଥିଲା କର୍ଫ୍ୟୁ ।

ଏଥିସହିତ ଜୁଲାଇ ୩୧ ଯାଏଁ ଧର୍ମୀୟ ଅନୁଷ୍ଠାନକୁ ସାଧାରଣ ଲୋକଙ୍କୁ ମନା। ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ବନ୍ଦ ରହିବ। ସ୍କୁଲ, କଲେଜ, କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏଁ ବନ୍ଦ ରହିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ରେଷ୍ଟୁରାଣ୍ଟ ଖୋଲା ରହିବ, ଖାଦ୍ୟ ପାର୍ସଲ ନିଆଯାଇପାରିବ। ସବୁ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ କଟକଣା ମୁକ୍ତ ରହିବେ। ଶିଳ୍ପ କାରଖାନାରେ କାର୍ଯ୍ୟରତ କର୍ମଚାରୀ କଟକଣା ମୁକ୍ତ ରହିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ତ୍ରିପାଠୀ।

ଏହାସହ ରାଜ୍ୟର ୧୦ ଜିଲ୍ଲାରେ ପୂର୍ବପରି ଶନିବାର ଓ ରବିବାର ସଟଡାଉନ୍ ଜାରି ରହିବ । ଏହି ୧୦ ଜିଲ୍ଲା ହେଲା ଗଞ୍ଜାମ, ଗଜପତି, ଖୋର୍ଧା, କଟକ, ଜଗତସିଂପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡା ଓ କେନ୍ଦୁଝର । ସରକାରୀ କାର୍ଯ୍ୟାଳୟକୁ କୋରୋନାଠାରୁ ଦୂରରେ ରଖାଯିବ। ୱାର୍ଡ କମିଟିକୁ ୧୦ ହଜାର ଟଙ୍କା ଲେଖାଏଁ ସଚେତନତା ସୃଷ୍ଟି ପାଇଁ ଦିଆଯିବ। ରାଜ୍ୟରେ ଏଥିପାଇଁ ଖର୍ଚ୍ଚ ହେବ ୫୦ କୋଟି ଟଙ୍କା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ସେ ପୁଣି କହିଛନ୍ତ ଯେ, ୪ ମାସ ହେଲାଣି ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ ଜାରି ରହିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି। ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ କରାଯିବ। ଏଥିରେ ୧୦ଟି ଶଯ୍ୟା ରହିବ। ଲକ୍ଷଣଯୁକ୍ତ ଲୋକ ସେଠାକୁ ଆସିବେ, ଆଇସୋଲେସନରେ ରହିବେ। କୋଭିଡ଼ କେୟାର ହୋମ ଦାୟିତ୍ୱରେ ସରପଞ୍ଚମାନେ ରହିବେ ବୋଲି ଅସିତ୍ ତ୍ରିପାଠୀ କହିଛନ୍ତି।

ଦେଶରେ ଦ୍ରୁତ କରୋନା ସଂକ୍ରମଣ ମଧ୍ୟରେ କେନ୍ଦ୍ର ସରକାର ଅନଲକ୍‌ ୨ ଘୋଷଣା କରିଥିଲେ। ଜୁଲାଇ ୩୧ ପର୍ଯ୍ୟନ୍ତ ଦେଶରେ ଅନଲକ୍‌-୨ ଜାରି ରହିବ। ଏହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡ୍‌ ଲାଇନ୍ ଜାରି କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ରେ କଟକଣା ପୂର୍ବବତ୍ତ ଜାରି ରହିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top