ଖେଳ

ପୂର୍ଣ୍ଣିମାଙ୍କୁ ପ୍ରତାରଣା, ଗୁହାରି କେବେ ଶୁଣିବେ ରାଜ୍ୟ ସରକାର ?

PURNIMA_WEB CARD 2_00000

ଭୁବନେଶ୍ୱର: ପ୍ରତିଭାଙ୍କୁ ପ୍ରତାରଣା କରିବା ରାଜ୍ୟ ସରକାରଙ୍କ ପାଇଁ କିଛି ନୂଆ କଥା ନୁହେଁ । ନିକଟରେ ଆସିଥିବା ଏମିତି କିଛି ସମ୍ବେଦନଶୀଳ ଘଟଣା ଏହା ବୟାନ କରୁଛି । ଝାରସୁଗୁଡ଼ାର ଜାତୀୟ ଫୁଟବଲର ତନୁଜା ବାଗ୍‌ଙ୍କ କଥା କୁହନ୍ତୁ ଅବା ରାଜଧାନୀ ଭୁବନେଶ୍ୱରର ସ୍ୱର୍ଣ୍ଣପଦକ ବିଜେତା ବଡି ବିଲ୍ଡର ରଶ୍ମିରଞ୍ଜନ ସାହୁ ସମସ୍ତେ ଉପେକ୍ଷିତ । ତନୁଜା ବାଗ ଜଣେ ପ୍ରତିଭାବାନ୍‌ ଖେଳାଳି ଯିଏକି ନିଜ ପେଟ ପୋଷିବା ପାଇଁ ଛେଳି ଚରାଉଥିବା ବେଳେ ଅର୍ଗସ ଦ୍ୱାରା ଲୋକଲୋଚନକୁ ଆସିଥିଲେ । ଚାକିରୀ ଟିଏ ପାଇବା ପାଇଁ ସରକାରୀ ଦପ୍ତର ଦଉଡ଼ି ଦଉଡ଼ି ନୟାନ୍ତ ହେବା ପରେ ଛେଳି ଚରାଇବାକୁ ବାଧ୍ୟ ହୋଇଥିଲେ ତନୁଜା । ସେହିଭଳି ରଶ୍ମିରଞ୍ଜନ ଯିଏକି ମିଷ୍ଟର ଏସିଆନ୍‌ ବଡି ବିଲ୍ଡିଂ ଚାମ୍ପିୟନସିପ୍‌ରେ ଯୋଗଦେବାକୁ ରାସ୍ତାକଡ଼ରେ ବରା ଘୁଘୁନି ବିକ୍ରି କରି ଟଙ୍କା ଯୋଗଡ଼ କରୁଥିଲେ । ଏମିତି ଏକ ଖବର ଅର୍ଗସରେ ପ୍ରସାରିତ ହେବା ପରେ  ପ୍ରଶାସନର ନଜର ତାଙ୍କ ଉପରେ ପଡ଼ିଥିଲା ।

ଏହାରି ଭିତରେ ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ ପୂର୍ଣ୍ଣିମା ହେମ୍ବ୍ରମ ଏବେ ଚାକିରୀଟିଏ ପାଇଁ ସରକାରୀ କାର୍ଯ୍ୟାଳୟରେ ଭିକ୍ଷା ମାଗୁଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳ କ୍ରୀଡ଼ାବିତ୍‌ଙ୍କ ପାଇଁ ରାଜ୍ୟ ସରକାର ଚାକିରୀ ଯୋଗାଇବା ପାଇଁ ନିୟମ ଥିବା କହୁଛନ୍ତି । କିନ୍ତୁ ପୂର୍ଣ୍ଣିମା ହେମ୍ବ୍ରମଙ୍କ କ୍ଷେତ୍ରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ପୂର୍ଣ୍ଣିମା ଜଣେ ଆଦିବାସୀ ଝିଅଟିଏ ହୋଇଥିବାରୁ ତାଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି ।

ଜାତୀୟ, ଏସୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପୂର୍ଣ୍ଣିମାଙ୍କ ସଫଳତା ଢେର ବେଶୀ । ଏହିସବୁ ସ୍ତରରେ ପୂର୍ଣ୍ଣିମା ମୋଟ 19ଟି ସ୍ୱର୍ଣ୍ଣ, 5 ରୌପ୍ୟ ଏବଂ 7ଟି କାଂସ୍ୟ ପଦକ ଜିଣିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ଆଦିବସୀ ଅଧ୍ୟୁଷିତ ଅଞ୍ଚଳରୁ ଆସିଥିବା ପୂର୍ଣ୍ଣିମା ଦୌଡ଼କୁଦ ଦୁନିଆର ସବୁଠୁ କଷ୍ଟକର ଇଭେଣ୍ଟ ହେପ୍ଟାଥଲନ୍‌ରେ ଭାଗ ନିଅନ୍ତି । 2017ରେ ଅସବ୍‌ଗେଟ ଏସିଆନ୍‌ ଇନ୍‌ଡୋର ଏବଂ ସାମରିକ କଳା କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଥିଲେ । ସବୁଠୁ ବଡ଼ କଥା ହେଲା ଦୂତି ଚାନ୍ଦଙ୍କୁ ସବୁ ପ୍ରକାର ସହାୟତା ମିଳୁଥିବା ବେଳେ ପୂର୍ଣ୍ଣିମା ଉପେକ୍ଷିତ । ଦୂତି ଚାନ୍ଦଙ୍କ ଭଳି ପୂର୍ଣ୍ଣିମା ମଧ୍ୟ 100 ମିଟରରେ ଜାତୀୟ ସ୍ୱର୍ଣ୍ଣ ପଦକ ବିଜୟିନୀ ହେବାରେ ଗୌରବ ଅର୍ଜନ କରିଛନ୍ତି ।

ବାରମ୍ବାର ଉପେକ୍ଷିତ ହେବା ପରେ ପୂର୍ଣ୍ଣିମା ହତୋତ୍ସାହିତ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ତେବେ ସେ ତାଙ୍କ ଫେସ୍‌ବକୁ ଆକାଉଣ୍ଟରେ ଏକ ଭିଡିଓ ଜାରି କରି ନିଜର ଦୁଃଖ ଜାହିର କରିଛନ୍ତି । ସେ କହିଛନ୍ତି, ‘ମୁଁ ଏତେ ଖେଳିକି ଭୁଲ କରିଛି ନା କଣ ମୁଁ ଜାଣିନାହିଁ । ମୁଁ ସବୁ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଛି । ସବୁଥିରେ ମେଡାଲ ଦେଇଛି । ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମଧ୍ୟ ମୁଁ ବହୁତ ମେଡାଲ ଦେଇଛି । ହେଲେ ମୁଁ ଯେତେବେଳେ ସେପ୍ଟେମ୍ବର ମାସରେ ସ୍ପୋର୍ଟସ୍‌ ଡିପାର୍ଟମେଣ୍ଟ ଯାଇଥିଲି ମୋତେ କୁହାଗଲା କି ସବୁ ବାୟୋଡାଟା ଡିପୋଜିଟ୍‌ କର ଏବଂ ମାସେ ଭିତରେ ତୁମକୁ ଆପ୍‌ଏଣ୍ଟମେଣ୍ଟ ଲେଟର୍‌ ଦିଆଯିବ । କିନ୍ତୁ ଏପର୍ଯ୍ୟନ୍ତ ମୋତେ କିଛି ସୂଚନା ଦିଆଗଲା ନାହିଁ । ସେସବୁ ଲେଟର୍‌ କୁଆଡେ ଗଲା ମୁଁ ଜାଣିନି । ଏହି ସନ୍ଦେଶ ଦ୍ୱାରା ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି କି ନ୍ୟାୟ ଦିଅ । ମୋତେ କୁହାଯାଉଥିବା ଚାକିରୀ କୁଆଡେ ଗଲା ମୋତେ ଜଣାନ୍ତୁ । ଦୟାକରି ଏହି ମେସେଜ୍‌ ଦ୍ୱାରା ମୁଁ ଜଣାଉଛି କି ମୋତେ ନ୍ୟାୟ ଦିଅ ।’

ପୂର୍ଣ୍ଣିମାଙ୍କ ଭଳି ଅନେକ ସଫଳ କ୍ରୀଡ଼ାବିତ୍‌ ରାଜ୍ୟ ସରକାରଙ୍କ ଦ୍ୱାରା ଉପେକ୍ଷା ହେଉଛନ୍ତି । ଏସବୁ ଅଭିଯୋଗ ସରକାରଙ୍କ କ୍ରୀଡ଼ା ବିଭାଗର ଆଭିମୁଖ୍ୟ ଦିଗହରା ବୋଲି ପ୍ରମାଣିତ କରୁଛି । ଅନ୍ୟପଟେ ବଡ଼ ବଡ଼ ପ୍ରତିଯୋଗିତା ଆୟୋଜନ କରି ଦେଶ ତଥା ବିଦେଶରୁ ରାଜ୍ୟ ସରକାର ବାହାବା ସାଉଁଟୁଥିବା ବେଳେ ରାଜ୍ୟର ସଫଳ କ୍ରୀଡ଼ାବିତ୍‌ଙ୍କ ଅବସ୍ଥା ଶୋଚନୀୟ  । ଦୀପ ତଳ ଅନ୍ଧାର ଭଳି ଉପେକ୍ଷିତ ହେଉଥିବା ସଫଳ ଖେଳାଳିଙ୍କୁ ପ୍ରୋତ୍ସାହନ ପାଇଁ ସାଧାରଣରେ ଦାବି ଜୋର ଧରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top