ଅପରାଧ

ଶିଖ୍‌ ଯୁବକଙ୍କୁ ଆକ୍ରମଣ ଘଟଣା, ଦିପକ ଜେନାକୁ ଗିରଫ କଲା ପୋଲିସ..

dipak jena

ଭୁବନେଶ୍ୱର: ରାଜଧାନୀ ରାଜ ରାସ୍ତାରେ ଶିଖ୍‌ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆଉ ଜଣକୁ ଗିରଫ କଲା ପୋଲିସ । ପୂର୍ବରୁ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏବେ ଗିରଫ ସଂଖ୍ୟା 3ରେ ପହଞ୍ଚିଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେଡି କର୍ପୋରେଟରଙ୍କ ପରିବାରର ଦିପକ ଜେନାଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ଗିରଫ ହୋଇଥିବା ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ଶଙ୍କର ରାଉତ ଓ ଦୀପକ ମହାନ୍ତି । ତେବେ ପାର୍କିଂ ସମସ୍ୟାକୁ ନେଇ ଜଣେ ଶିଖ୍‌ ଯୁବକଙ୍କୁ ମାଡ଼ ମାରିଥିଲେ କିଛି ଦୁର୍ବୃତ୍ତ । ଏହି ଘଟଣାରେ ପୋଲିସ ଏବେ ମୋଟ 3 ଜଣଙ୍କୁ ଗିରଫ କରିଛି । ସୋମବାର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଏହି ଘଟଣା ସମୟରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ଚୁପ୍‌ ବସିଥିଲା । ଫଳରେ ଉକ୍ତ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।

ସୋମବାର ଲକ୍ଷ୍ମୀସାଗରରେ ପୋଲିସ ଉପସ୍ଥିତିରେ ସ୍ଥାନୀୟ ଯୁବକଙ୍କ ଦାଦାଗିରି ଦେଖିବାକୁ ମିଳିଥିଲା । ପୂର୍ବତନ କର୍ପୋରେଟର ତଥା ବିଜେଡି ନେତା ଶ୍ରୀଧର ଜେନାଙ୍କ ଭାଇ ଶିଖର ଜେନାଙ୍କ ପୁଅ ଦୀପକ ଜେନା କିଛି ଯୁବକଙ୍କ ସହ ମିଶି ଜଣେ ଶିଖ୍‌ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସବୁଠାରୁ ବଡ଼ କଥା ହେଲା, ଦୁଇ ଜଣ ପୋଲିସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥାଇ ମଧ୍ୟ ଯୁବକଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଥିଲେ । ଏମିତିକି ମାଡ଼ ମାରୁଥିବା ଯୁବକଙ୍କୁ ଅଟକାଇବାକୁ ମଧ୍ୟ ଯାଇନଥିଲେ ।

ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଛି । ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, କିପରି ଜଣେ ବ୍ୟକ୍ତିଙ୍କୁ 5ରୁ 6 ଜଣ ମିଳିତ ଭାବେ ଆକ୍ରମଣ କରୁଛନ୍ତି । ଏହି ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି । ଗୋଇଠା, ବିଧା ସହ ଇଟାରେ ଛେଚି ଯୁବକଙ୍କ ମୁଣ୍ଡ ଫଟାଇ ଦେଇଥିଲେ ଦୁର୍ବୃତ୍ତମାନେ । ଆକ୍ରମଣର ଶିକାର ହୋଇଥିବା ପରବିନ୍ଦର ପାଲ ସିଂ ଏବେ AIIMSରେ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ ଘଟଣାକୁ ନେଇ ବର୍ଷିଛି ରାଜ୍ୟ କଂଗ୍ରେସ । ପିସିଆର୍‌ ଭ୍ୟାନ୍‌ ଓ ପୋଲିସ ଉପସ୍ଥିତିରେ ଯୁବକଙ୍କୁ ମାଡ଼ ମରାଗଲା, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପୋଲିସ ସେଠାରେ ନୀରବଦ୍ରଷ୍ଟା ସାଜିଥିଲା । ଏହାକୁ ଘୋର ନିନ୍ଦା କରିଛି ରାଜ୍ୟ କଂଗ୍ରେସ । ପୋଲିସର ଏଭଳି ଖାମଖିଆଲି ମନୋଭାବ ପାଇଁ ଗୃହମନ୍ତ୍ରୀ, ଗୃହରାଷ୍ଟ୍ର ମନ୍ତ୍ରୀ, ପୋଲିସ କମିଶନର, ଡିଜିପି ଓ ଡିସିପି ନୈତିକତାର ସହିତ ଉତ୍ତରଦାୟୀ ହୁଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । କେବଳ PCRର ଭାରପ୍ରାପ୍ତ ଅଧିକାରୀଙ୍କୁ ନିଲମ୍ବନ କରିବା ଏହାର ସମାଧାନ ନୁହେଁ ବୋଲି କହିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top