ନ୍ୟୁଜ୍

ବିଜେପୁର ଉପ ନିର୍ବାଚନ ଉପରେ ଆଖି, ରାଜନୈତିକ ଦଳର ଜୋରଦାର୍‌ ପ୍ରସ୍ତୁତି

RITA_CARD_GFX_00000

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୁର୍ନଗଠନ ହେବ  । କେବଳ ପିସିସି ନୁହେଁ ଅନ୍ୟ ଛୋଟ ବଡ଼ କମିଟିର ମଧ୍ୟ ପୁର୍ନଗଠନ ହେବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଚଳିତ ବର୍ଷ ଯେଉଁମାନେ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ସେମାନେ ଏହିସବୁ କମିଟିର ସଦସ୍ୟ ହେବେ । ଏଆଇସିସି ନିର୍ଦ୍ଦେଶ କ୍ରମେ ବ୍ଲକ ସ୍ତରୀୟ କମିଟି ରହିବ କିନ୍ତୁ ଜୋନାଲ କମିଟି ଗଠନ ହେବ ନାହିଁ ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି । ଏହାସହ ଏହିସବୁ କମିଟିକୁ ଛୋଟ କରାଯିବ ଏବଂ କମିଟିର ପୁର୍ନଗଠନ ପ୍ରକ୍ରିୟା ଏହି ମାସଠାରୁ ଆରମ୍ଭ ହେବ ବୋଲି କହିଛନ୍ତି ପିସିସି ସଭାପତି ।

ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର ଏହି ପ୍ରସ୍ତୁତିକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । କେବଳ କଂଗ୍ରେସ ନୁହେଁ ବିଜେପୁର ଉପନିର୍ବାଚନ ପାଇଁ ଅନ୍ୟ ଦୁଇ ପ୍ରମୁଖ ଦଳରେ ଅଙ୍କକଷା ଆରମ୍ଭ ହୋଇଛି । ଗୋଟିଏ ପଟେ ବିଜେଡି ବିଜେପୁର ପାଇଁ ଘନ ଘନ ପ୍ରସ୍ତୁତି ବୈଠକ କରୁଥିବା ବେଳେ ବିଜେପି ଏବଂ କଂଗ୍ରେସ ମଧ୍ୟ ଆଣ୍ଟା ଭିଡ଼ିଲେଣି ।

ଗତକାଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ସୁବାସ ଚୌହାନଙ୍କୁ ବିଜେଡି ନିଯୁକ୍ତ କରିବା ପରେ ରୀତା ସାହୁ ପ୍ରାର୍ଥୀ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଥିବା ରୀତାଙ୍କ ସମର୍ଥକ କହିଲେଣି । 2018 ବିଜେପୁର ଉପନିର୍ବାଚନରେ ସ୍ୱର୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ସିମ୍ପାଥି ଭୋଟ ହାତେଇ ବିଜୟୀ ହୋଇଥିଲେ । ପରେ 2019 ସାଧାରଣ ନିର୍ବାଚନରେ ରୀତାଙ୍କୁ ଟିକେଟ୍‌ ନଦେଇ ଖୋଦ୍‌ ବିଜେଡି ସୁପ୍ରିମୋ ବିଜେପୁରରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ।

ଗତ ସାଧାରଣ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇଟି ସିଟ୍‌ରେ ପ୍ରାର୍ଥୀ ହୋଇ ବିଜୟୀ ହେବା ପରେ ପାରମ୍ପରିକ ସିଟ୍‌ ହିଞ୍ଜିଳିକୁ ରଖି ବିଜେପୁରରୁ ଇସ୍ତଫା ଦେଇଥିଲେ । ଫଳରେ ପୁଣି ଥରେ ଏବେ ବିଜେପୁର ଉପନିର୍ବାଚନ ପର୍ବ ଆରମ୍ଭ ହେବ । ବିଜେପୁରରୁ ପ୍ରାର୍ଥୀ ହେବାକୁ ଆଶା ରଖିଥିବା ସୁବାସ ଚୌହାନଙ୍କୁ WODCର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇ ନବୀନ ତାଙ୍କୁ ରେସ୍‌ରୁ ଆଉଟ୍‌ କରିଦେଲେ । ଏବେ ଦଳ ରୀତା ସାହୁଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଲାରି । ଏନେଇ ରୀତାଙ୍କ ସମର୍ଥକ ମାନେ ମଧ୍ୟ ବେସ୍‌ ଉତ୍ସହିତ ଦେଖାଯାଉଛନ୍ତି । ସେହିଭଳି ବିଜେପି ପାଖରେ ମଧ୍ୟ ଦମଦାର ପ୍ରାର୍ଥୀ ରହିଛନ୍ତି । 2019 ନିର୍ବାଚନରେ ସନତ କୁମାର ଗଡ଼ତିଆ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ବହୁତ ଭଲ ପ୍ରଦର୍ଶନ କରିଥିଲେ । ସେହିଭଳି 2018 ବିଜେପୁର ଉପନିର୍ବାଚନ ବେଳେ ବିଜେପିର ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ମଧ୍ୟ ପୁଣି ପ୍ରାର୍ଥୀ ହେବେ ବୋଲି ଆଶା ରଖିଛନ୍ତି ।

ଅନ୍ୟପଟେ ସାଧାରଣ ନିର୍ବାଚନରେ ରସା ତଳକୁ ଚାଲିଯାଇଥିବା କଂଗ୍ରେସ ପୁଣି ଥରେ ଅଣ୍ଟା ସଳଖିବାକୁ ପ୍ରଚେଷ୍ଟା କରୁଛି । କମିଟି ପୁର୍ନଗଠନ କରି ଦଳ ନିଜ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରୟାସ କରୁଛି । 2019 ନିର୍ବାଚନରେ ବିଜେପୁରରୁ ରିପୁନାଥ ସେଟ୍‌ଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । କେବଳ 14,344 ଭୋଟ ସହ ତୃତୀୟରେ ଥିଲେ ରିପୁନାଥ । ଏବେ ବିଜେପୁର ଉପନିର୍ବାଚନରେ ରିପୁନାଥ ପୁଣି ପ୍ରାର୍ଥୀ ହେବେ ବୋଲି ଆଶା ରଖିଛନ୍ତି ।

ସେହିଭଳି 2018 ବିଜେପୁର ବାଇ ଇଲେକ୍ସନରେ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ ପ୍ରଣୟ ସାହୁ । ତେବେ ଏକଦା କଂଗ୍ରେସର ଗଡ଼ ଥିବା ବିଜେପୁର ଏବେ ବିଜେଡି କବଜାରେ ଅଛି ବୋଲି କହିବା ଭୁଲ ହେବ ନାହିଁ । ସୁବଳ ସାହୁ 2004ରୁ ବିଜେପୁରକୁ ଅକ୍ତିଆରରେ ରଖିଥିବା ବେଳେ ତାଙ୍କର ଦେହାନ୍ତ ପରେ ବିଜେପୁର ଉପ-ନିର୍ବାଚନର ସ୍ୱାଦ ଚାଖିଥିଲା । ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ମିଶିବା ସହ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ । ଗୋଟିଏ ପଟେ ସୁବଳ ସାହୁଙ୍କ ଲୋକପ୍ରିୟତା ଏବଂ ସିମ୍ପାଥି ଭୋଟ ପାଇ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ରୀତା । ତେବେ 2000 ମସିହାରେ ବିଜେଡି ଟିକେଟରୁ ବିଜେପୁରରୁ ବିଜୟୀ ହୋଇଥିବା ଅଶୋକ ପାଣିଗ୍ରାହୀ 2018 ଉପନିର୍ବାଚନରେ ବିଜେପି ଟିକେଟରୁ ଲଢ଼ି ପରାଜିତ ହୋଇଥିଲେ ।

2019 ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ ସହ ବିରୋଧୀ ଦଳର ମାନ୍ୟତା ପାଇଥିବା ବିଜେପି ମଧ୍ୟ ବିଜେପୁର ଉପନିର୍ବାଚନରେ ନିଜର ଦମ ଦେଖାଇବ ବୋଲି ଚର୍ଚ୍ଚା ହେଉଛି । ସେହିଭଳି ବିଜେଡି ପୁଣିଥରେ ମହିଳା କାର୍ଡ ଖେଳିବା ସହ ବିଜେପୁର ହାତେଇବାକୁ ଚେଷ୍ଟା କରିବ । ଅନ୍ୟପଟେ ପିସିସିର ମଙ୍ଗ ଧରିଥିବା ନିରଞ୍ଜନ ସାଧାରଣ ନିର୍ବାଚନରେ ଦମ୍‌ ଦେଖାଇ ପାରିନଥିବା ବେଳେ ବିଜେପୁର ପାଇଁ କିଛି ନୂଆ ରଣନୀତି ପ୍ରସ୍ତୁତ କରିବେ ବୋଲି କଂଗ୍ରେସ ମହଲରେ ଆଶାର ସଞ୍ଚାର ହେଉଥିବା ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top