ନ୍ୟୁଜ୍

ବୀରମିତ୍ରପୁରରେ ୧୩ବର୍ଷର ନାବାଳିକାକୁ ପୋଲିସ ଦୁଷ୍କର୍ମ କରିବା ଘଟଣାରେ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଅର୍ଗସ ବ୍ୟୁରୋ : ବୀରମିତ୍ରପୁରରେ ୧୩ବର୍ଷର ନାବାଳିକାକୁ ପୋଲିସ ଦୁଷ୍କର୍ମ କରିବା ଘଟଣାରେ ରାଜ୍ୟ ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ଜୋରଦାର ବର୍ଷିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଉପସଭାପତି ପ୍ରଭାତୀ ପରିଡା, ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ବିଧାୟକ ଶଙ୍କର ଓରାମ, ବିଜେପି ନେତ୍ରୀ ସୋନାଲି ସାହୁ ଉପସ୍ଥିତ ଥିଲେ । ଏହି ସମୟରେ ବିଜେପି ସରକାରଙ୍କୁ ଟାର୍ଗେଟ କରି କହିଛି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁନି । ମହିଳା ନିର୍ଯାତନା କ୍ଷେତ୍ରରେ ରାଜ୍ୟର ସ୍ଥିତି ସଙ୍ଗୀନ । ରକ୍ଷକ ଏବେ ଭକ୍ଷକ ସାଜିଛି । ସାଧାରଣ ଲୋକଙ୍କୁ ସୁରକ୍ଷା ଦେଉଥିବା ପୋଲିସ ଏବେ ମହିଳା ଦୁଷ୍କର୍ମରେ ଲିପ୍ତ । କିନ୍ତୁ ରାଜ୍ୟ ସରକାର ଘଣ୍ଟ ଘୋଡାଇବାରେ ବ୍ୟସ୍ତ ।

ମାଲକାନଗିରିରେ ମହିଳାଙ୍କୁ ନିର୍ଯ୍ୟାତନା ଦେଇ ମାରିଦିଆଗଲା କିନ୍ତୁ ଏପର୍ଯ୍ୟନ୍ତ ଏସସି ଏସଟି ଆକ୍ଟରେ ମାମଲା ଋଜୁ କରାଗଲା ନାହିଁ । ବୀରମିତ୍ରପୁରରେ ମଧ୍ୟ ସମାନ ଘଟଣା । ୧୩ବର୍ଷର ନାବାଳିକାକୁ ପୋଲିସ ଦୁଷ୍କର୍ମ କରିଛି । ସେଠାରେ ମଧ୍ୟ ମାମଲା କରାଗଲା ନାହିଁ । ବିଜେପିର ପ୍ରତିନିଧି ଦଳକୁ ମାତ୍ର ୫ ମିନିଟ ଦିଆଗଲା ସେ ଝିଅ ସହ କଥା ହେବାକୁ । ଏହି ଦୁଇ ଘଟଣାରେ ଶେଷ ଅପରାଧୀ ଦଣ୍ଡିତ ନହେବା ପର୍ଯ୍ୟନ୍ତ ରାଜ୍ୟ ବିଜେପି ଏହି ଘଟଣାକୁ ନେଇ ବିରୋଧ ଜାରି ରଖିବ । ଗତ କାଲି ବିଜେପିର ପ୍ରତିନିଧି ଦଳ ପୋଲିସ ଡ଼ିଜିଙ୍କୁ ଭେଟି ଜଣାଇଛି ।

ବିଜେପି ଦାବି କରିଛି ଯେ, ଦୁଇଟି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଏହାକୁ ଅନୁସନ୍ଧାନ କରନ୍ତୁ । ଏସସି ଏସଟି ଆଇନରେ ମାମଲା ହେଉ । ବିଜେପିର ଦୁଇଟି ପ୍ରତିନିଧି ଦଳ ମଧ୍ୟ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବ । ଆବଶ୍ୟକତା ପଡ଼ିଲେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦେବୁ । କରୋନା ସ୍ଥିତିକୁ ଦେଖି ଆମେ ଅଭିଯୋଗ କରୁନଥିଲୁ ଓ ଆଶା ଥିଲା ରାଜ୍ୟ ସରକାର ତାଙ୍କ ଦାୟିତ୍ଵ ପାଳନ କରିବେ । କିନ୍ତୁ ଲାଗୁଛି ରାଜ୍ୟ ସରକାର ଘଟଣାକୁ ଚପେଇବାକୁ ଚେଷ୍ଟା କରୁଛନ୍ତି । ମାନବାଧିକାର କମିଶନଙ୍କୁ ଜଣାଇଥିଲୁ, ଏସଟି କମିଶନକୁ ମଧ୍ୟ ଯିବୁ । ଏସସି ଏସଟି ଆକ୍ଟ ଅନୁସାରେ 60 ଦିନ ଭିତରେ ଚାର୍ଜସିଟ ଫାଇଲ ହେବା କଥା, ପିଡ଼ୀତାଙ୍କ ପରିବାରକୁ କ୍ଷତିପୂରଣ ଵି ଦେବା କଥା, ଯଦି ୬୦ଦିନ ଭିତରେ ଦୋଷୀକୁ ଦଣ୍ଡ ଦିଆନଗଲା ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇବ । କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ବାଗତ କରୁଛୁ କିନ୍ତୁ ଦୋଷୀ ଦଣ୍ଡ ପାଇବା ଦରକାର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top