ନ୍ୟୁଜ୍

ବିପିୟୁଟି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ଭୁବନେଶ୍ୱରରେ ସ୍ଥାୟୀ କ୍ୟାମ୍ପ ଅଫିସ୍ ପ୍ରତିଷ୍ଠା ଦାବି

BPUT STUDENTS

ଭୁବନେଶ୍ୱର: ବିପିୟୁଟି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ରାଜ୍ୟରେ ଥିବା ସମସ୍ତ ଇଞ୍ଜିନିୟରିଂ କଲେଜ ମଧ୍ୟରୁ କେବଳ ଭୁବନେଶ୍ୱରରେ 70 ପ୍ରତିଶତ ଇଞ୍ଜିନିୟରିଂ କଲେଜ ଥିବା ବେଳେ ରାଉରକେଲାରେ କାହିଁକି ବିପିୟୁଟି ମୁଖ୍ୟ କାର୍ଯ୍ୟାଳୟ ରହିଛି ସେ ନେଇ ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି । ବିପିୟୁଟି କାର୍ଯ୍ୟାଳୟକୁ ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ସେମାନେ ଦାବି କରିଛନ୍ତି । ରାଜଧାନୀଠାରୁ ବିପିୟୁଟି ମୁଖ୍ୟ କାର୍ଯ୍ୟାଳୟ 400 କିଲୋମିଟର ଦୂରରେ ଥିବାରୁ ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବେନଶ୍ୱରଠାରେ ଏକ ସ୍ଥାୟୀ କ୍ୟାମ୍ପ ଅଫିସ୍ ପ୍ରତିଷ୍ଠା ନିତ୍ୟାନ୍ତ ଜରୁରୀ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ଖାଲି ସେତିକି ନୁହେଁ ବିପିୟୁଟି କର୍ତ୍ତୃପକ୍ଷଙ୍କ ମନଇଚ୍ଛା ଫି’ ଆଦାୟ ବନ୍ଦ କରାଯାଉ ବୋଲି ମଧ୍ୟ ଦାବି କରାଯାଇଛି । ଏଆଇସିଟିଇର ନିୟମ ଅନୁସାରେ ଜଣେ ଛାତ୍ର କିମ୍ବା ଛାତ୍ରୀ ବେସରକାରୀ କଲେଜକୁ ବର୍ଷକୁ ଦୁଇଥର ପଞ୍ଜିକରଣ ପାଇଁ ନିର୍ଦ୍ଦିଷ୍ଟ ଅର୍ଥ ଦେବାର ନିୟମ ରହିଛି । କିନ୍ତୁ ବିପିୟୁଟି କର୍ତ୍ତୃପକ୍ଷ ଏହି ପଞ୍ଜିକରଣ ବାବଦକୁ ମନଇଚ୍ଛା ଅର୍ଥ ଆଦାୟ କରୁଛନ୍ତି ଏବଂ ଯଦି ଗୋଟିଏ ଦିନ ବିଳମ୍ବ ହୁଏ, ତେବେ ପ୍ରତିଦିନ ପିଛା ୫୦୦ଟଙ୍କା ଲେଖାଏଁ ଫାଇନ୍‌ ଆଦାୟ କରୁଛନ୍ତି ।

ଅନ୍ୟ ପକ୍ଷରେ ଛାତ୍ରଛାତ୍ରୀମାନଙ୍କ ପୁନଃ ମୂଲ୍ୟାୟନ ଏବଂ ଫଟୋ କପି ବାବଦକୁ ପୂର୍ବରୁ ୨୦୦ ଟଙ୍କା ଲାଗୁଥିବା ବେଳେ ଏବେ ତାହା ୫୦୦ଟଙ୍କାକୁ ବୃଦ୍ଧି ପାଇଛି । ଏହି ନିୟମଗୁଡ଼ିକ ବିପିୟୁଟି କର୍ତ୍ତୃପକ୍ଷଙ୍କ ମନଇଚ୍ଛା ଲାଗୁ କରୁଥିବା ଛାତ୍ରଛତ୍ରୀ ଅଭିଯୋଗ କରିଛନ୍ତି ।

ତେବେ ଛାତ୍ରଛାତ୍ରୀମାନେ ଇଞ୍ଜିନିୟରିଂ କଲେଜ ଗୁଡ଼ିକ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି ଯେ, ଦଲାଲ ମାନଙ୍କ ଦ୍ୱାରା ପିଲାଙ୍କୁ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ିବା ପାଇଁ ବାଧ୍ୟ କରାଯାଉଛି । ଜେଇଇ ପରୀକ୍ଷା ଦେଇଥିବା ପିଲାଙ୍କଠାରୁ ଭୁଆଁ ବୁଲାଇ ଓରଜିନାଲ ସାର୍ଟିଫିକେଟ୍‌ ସବୁ ଆଗୁଆ ହାତେଇ ନେଉଛନ୍ତି ଦଲାଲ । ଏବଂ ଉକ୍ତ ପିଲାଙ୍କୁ ସେହି କଲେଜରେ ଆଡମିସନ୍‌ କରିବା ପାଇଁ ବାଧ୍ୟ କରାଯାଉଛି । ଏହା ଦ୍ୱାରା ଅନେକ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ମାନସିକ ଭାରସାମ୍ୟ ହରାଇ ପାଠପଢ଼ା ଛାଡ଼ୁଛନ୍ତି ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ଅନ୍ୟପଟେ ବିପିୟୁଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ପଛରେ କଲେଜ ଏବଂ ବିପିୟୁଟି କର୍ତ୍ତୃପକ୍ଷ ହାତ ଥିବା ସେମାନେ ଅଭିଯୋଗ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top