ଦେଶ

ପଞ୍ଜାବ ଆକାଶରେ ଉଡ଼ିଲା ପାକିସ୍ତାନ ଡ୍ରୋନ

dron

ଅର୍ଗସ ବ୍ୟୁରୋ:  ପାକିସ୍ତାନ ତାର ଆତଙ୍କୀ ଚିନ୍ତାଧାରାକୁ କେବେ ବି ଛାଡିପାରିବ ନାହିଁ । ଭାରତ ସହ ତାର ଷଡଯନ୍ତ୍ର କରିବା ପାକ୍‌ ଏକ ପ୍ରକାର ଧର୍ମ ହୋଇସାରିଲାଣି ।  ପୁଣି ପାକ୍‌ ତାର ଆତଙ୍କୀ ଚିନ୍ତାଧାରାର ପ୍ରମାଣ ଦେଇଛି । ଏତେ କଡା ସୁରକ୍ଷା ସତ୍ୱେ ମଧ୍ୟ ପାକିସ୍ତାନର ଡ୍ରୋନ୍‌ ଭାରତ ସୀମାରେ ।  ପାକ୍‌ ପୁଣି ଡ୍ରୋନ୍‌ ପଠାଇ  ଭାରତର ପଞ୍ଜାବ ଆକାଶରେ ଉଡାଇଛି ।

ପଞ୍ଜାବ ଫିରୋଜପୁରରେ ପୁଣି ଦେଖିବାକୁ ମିଳିଛି ପାକିସ୍ତାନୀ ଡ୍ରୋନ୍ । ପଞ୍ଜାବର ଝୁଂଞ୍ଝାରା ହଜାରା ସିଂହବାଲାର ସୀମାବର୍ତ୍ତୀ ଗାଁରେ ଆଜି ସକାଳେ ଦୁଇଟି ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଉଡିବାବେଳେ ଏହି ଡ୍ରୋନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିଏସଏଫ ଓ ପଞ୍ଜାବ ପୋଲିସ ଡ୍ରୋନକୁ ଖୋଜିବାରେ ଲାଗିଛନ୍ତି । ଗତ କିଛି ଦିନ ମଧ୍ୟରେ ପାକିସ୍ତାନ ଡ୍ରୋନ ବାରମ୍ବାର ଭାରତ ସୀମାକୁ ପଶିଆସୁଥିବା ଦେଖାଯାଇଛି ।

ସୋମବାର ରାତିରେ ପଞ୍ଜାବର ହୋସିନବାଲା ସେକ୍ଟରରେ ପାକିସ୍ତାନ ଡ୍ରୋନ ଭାରତ ସୀମାକୁ ପଶିଆସିଥିଲା । ଖବର ଅନୁସାରେ, ଡ୍ରୋନ ସୀମାରେ ପଶିଆସିବାର କିଛି ସମୟ ପରେ ପୁଣି ପାକିସ୍ତାନ ଚାଲିଯାଇଥିଲା । ପୋଲିସର ଦାବି ଅନୁସାରେ, ଡ୍ରୋନ ଭାରତର ସୀମାରେ କିଛି ବସ୍ତୁ ପକାଇବାକୁ ଚାହିଁଥିଲା, କିନ୍ତୁ ଏଥିରେ ସଫଳ ହୋଇନଥିଲା । ମଙ୍ଗଳବାର ବି ଡ୍ରୋନ ଭାରତୀୟ ସୀମାରେ ପ୍ରବେଶ କରିଥିବା ଖବର ବିଏସଏଫ ଦେଇଥିଲା ।

ଗତମାସ ୨୫ ତାରିଖରେ ପଞ୍ଜାବର ତରନତାରନରେ ଏକ ନଷ୍ଟ ହୋଇଥିବା ଡ୍ରୋନକୁ ଜବତ କରିଥିଲା ପୋଲିସ । ଯାଞ୍ଚ ବେଳେ ଜଣାପଡିଥିଲା ଯେ, ଖଲିସ୍ତାନ ଜିନ୍ଦାବାଦ ଫୋର୍ସ ଓ ଖଲିସ୍ତାନ ଲିବରେସନ ଫୋର୍ସ ଏହି ଡ୍ରୋନ ପଠାଇଥିଲା । ଯାହାକି ଏହା ପାକିସ୍ତାନରୁ  ଆସିଥିଲା ।  ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡିକ ଡ୍ରୋନ୍ ମାଧ୍ୟମରେ ନିଶା ଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଭାରତ ଭିତରକୁ ଚାଲାଣ କରୁଥିବା ସୂଚନା ରହିଛି ।

ସେପ୍ଟେମ୍ବର ୨୪ ତାରିଖରେ ଖଲିସ୍ତାନୀ ଜିନ୍ଦାବାଦ ଫୋର୍ସ ଆତଙ୍କବାଦୀ ସଂଗଠନ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ର ପଠାଇ ଧରାପଡ଼ିଥିଲା । ଏହି ଘଟଣା ପରେ ପଞ୍ଜାବ ସୀମାରେ ହାଇଆଲର୍ଟ ଜାରି କରାଯାଇଥିଲା । ଡ୍ରୋନ୍ ସଂପର୍କରେ ବିଏସ୍ଏଫ୍ ପକ୍ଷରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top