ନ୍ୟୁଜ୍

ଆସନ୍ତାକାଲିଠୁ ଓଡ଼ିଶାରେ CAA ଉପରେ ବ୍ୟାପକ ଜନଜାଗରଣ ଆରମ୍ଭ: ବିଜେପି

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁର୍ଣ୍ଣ ହେବନି । ବରଂ ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି । ନାଗରିକତା ସଂଶୋଧନ ଆଇନ ସଂପର୍କରେ ଜନଜାଗରଣ ସୃଷ୍ଟି କରିବା ପାଇଁ ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀଫଗନ ସିଂ କୁଲସ୍ତେ ।

ଶ୍ରୀ କୁଲସ୍ତେ ଆସନ୍ତାକାଲି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାଠାରେ ସର୍ବଭାରତୀୟ ସ୍ତରରେ ଜନସମ୍ପର୍କ ଅଭିଯାନର ଶୁଭାରମ୍ଭ କରିବେ । ଏଥିସହ ମହାକାଳପଡା ଠାରେ ବସବାସ କରୁଥିବା ଶରଣାର୍ଥୀମାନଙ୍କୁ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଅବଗତ କରାଇବେ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଆସନ୍ତାକାଲି ଠାରୁ ଓଡ଼ିଶାରେ ନାଗରିକତା ସଂଶୋଧନ ଆଇନ ଉପରେ ବ୍ୟାପକ ଜନଜାଗରଣ କରାଯିବ । ରାଜ୍ୟରେ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ୫ଟି ବଡ ଧରଣର ସଭା ଓ ଶୋଭାଯାତ୍ରା କରାଯିବ ।

ଆସନ୍ତା ୬ ତାରିଖ ସୋମବାର ଦିନ କଟକରେ ପାଖାପାଖି ୨୦ ହଜାର ଲୋକ ଏକାଠି ହୋଇ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ଏକ ବିରାଟ ଶୋଭାଯାତ୍ରା କରିବେ । ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯୋଗଦେବେ । ଆଗାମୀ ଦିନରେ ଭୁବନେଶ୍ୱରଠାରେ ବୃଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହେବ । ବିଜେପି କାର୍ଯ୍ୟକର୍ତାମାନେ ଓଡିଶାର ୩୬ଟି ସାଙ୍ଗଠନିକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ କରିବେ ।

ପ୍ରତ୍ୟେକ ଜିଲ୍ଲାରେ ଏହି ଆଇନକୁ ନେଇ ସଚେତନତା ରାଲି କରାଯିବ । ବିଜେପି କାର୍ଯ୍ୟକର୍ତାମାନେ ଓଡିଶାର ପାଖାପାଖି ୧କୋଟି ପରିବାରକୁ ଯାଇ ଏହି ଆଇନ ସଂପର୍କରେ ବୁଝାଇବେ । ଏଥି ସହ ବିଜେପି କାର୍ଯ୍ୟକର୍ତାମାନେ ସମସ୍ତ ପଂଚାୟତ ଏବଂ ୱାର୍ଡକୁ ଯାଇ ଜନସାଧାରଣଙ୍କୁ ଏହି ଆଇନ ବିଷୟରେ ପ୍ରତ୍ୟେକ୍ଷ ଭାବେ ଅବଗତ କରାଇବେ । ଏହି କାର୍ଯ୍ୟକ୍ରମ ଆଗାମୀ ୧୫ତାରିଖ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଚାଲୁ ରହିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top