ରାଜ୍ୟ

ଚାଷୀଙ୍କ ଚିନ୍ତା ବଢ଼ାଇଛି ଚକଡ଼ା ପୋକ, ହାତ ଟେକି ଦେଇଛି ପ୍ରଶାସନ !

କୋରାପୁଟ: ଆଗକୁ ଅଛି ଜାତୀୟ କୃଷକ ଦିବସ । କିନ୍ତୁ ଏବେବି ରାଜ୍ୟରେ ଚାଷୀଙ୍କ ଦୁଃଖ କମୁନି । କେତେବେଳେ ବାତ୍ୟା ତ ପୁଣି କେତେବେଳେ ରୋଗ ପୋକ ଫସଲ ନଷ୍ଟ କରିପକାଉଛି । ଠିକ୍‌ ସେହିଭଳି କୋରାପୁଟ ଜିଲ୍ଲା  ଜୟପୁର ଅଞ୍ଚଳରେ ଏବେ ଚକଡ଼ା ପୋକ ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି ।  ହେକ୍ଟର ହେକ୍ଟର ଚାଷ ଜମି ଏବେ ଚକଡ଼ା ପୋକଙ୍କ କବଜାରେ । ପୁରା ୨୦୦ ହେକ୍ଟର ଜମିରେ ଚକଡ଼ା ପୋକ ବ୍ୟାପିଥିବା ସୂଚନା ମିଳିଛି ।  ଔଷଧ ପ୍ରୟୋଗ କଲେ ବି କୌଣସି ସୁଫଳ ମିଳୁନି ।  କୋରାପୁଟ ଜିଲ୍ଲା ଜୟପୁର ଉପକଣ୍ଠ ଗଡପଦର,  ଛତିଡିପୁଟ ଓ ହର୍ଦ୍ଦଳିକୁ ପୁଣି ଫେରିଛି ଏହି ଚକଡ଼ା ପୋକର ଆତଙ୍କ ।

ତେବେ ଏନେଇ କୃଷି ଅଧିକାରୀଙ୍କ ନିକଟରେ ଗୁହାରି କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି । ଗତବର୍ଷ କୋରାପୁଟ ଜିଲ୍ଲାରେ ଚକଡା ପୋକ ଯୋଗୁ ଫସଲ ନଷ୍ଟ ହେବା କାରଣରୁ ଅନେକ ଚାଷୀଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡିଥିଲା । କୋରାପୁଟ ଜିଲ୍ଲାରେ ଚଳିତବର୍ଷ ଧାନ ଭଲ ହୋଇଥିଲେ ମଧ୍ୟ ଏହି ପୋକ ସବୁ ନଷ୍ଟ କରିଦେଇଛି । ତେବେ ଚଳିତବର୍ଷ ଏବେସୁଦ୍ଧା ଖରିଫ ଋତୁରେ ଜୟପୁର ବ୍ଲକର ବାଲିଆ, ଡଙ୍ଗରଛିଞ୍ଚି, ଗଡପଦର, ଏକମ୍ବା, ବାରିଣିପୁଟ, ପାତ୍ରପୁଟ, ଅନ୍ତା, ବଡଜିଉନା, ଧନପୁର, ଜୟନ୍ତଗିରି, କାଳିଆଗାଁ, କୁମିଲିପୁଟ, ଫାମ୍ପୁଣି, ରାଣିଗଡ, ପୁଟୁରା, ଟାଙ୍କୁଆ ଓ ଉମୁରୀ ପରି ୨୨ଟି ପଞ୍ଚାୟତରୁ ୧୬ଟି ପଞ୍ଚାୟତର ପ୍ରାୟ ଶହ ଶହ ଏକରରୁ ଅଧିକ ଜମିରେ  ଫସଲ ନଷ୍ଟ ହୋଇସାରିଲାଣି  ।

ଅନ୍ୟପଟେ ଫସଲ ନଷ୍ଟ ହୋଇଥିବାବେଳେ ସରକାରୀ ସ୍ତରରେ ଆବଶ୍ୟକ ପରିମାଣରେ କୀଟନାଶକ ମଳିପାରୁ ନଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀମାନେ ବାହାରୁ କୀଟନାଶକ କିଣି ଖର୍ଚ୍ଚାନ୍ତ ହେଉଛନ୍ତି । ଏବେ ଧାନରେ ଫୁଲ ଆସୁଥିବାବେଳେ ଚକଡ଼ା ପୋକ ଗଛକୁ ଧ୍ୱଂସ କରିଚାଲିଛି ।

ସେପଟେ ଚକଡ଼ା ପୋକ ଦୁଃଖକୁ ସହ୍ୟ କରିପାରୁ ନାହାନ୍ତି ଚାଷୀ । ସେହିପରି ଜଣେ ଚାଷୀ ବୁଦୁ ହଲ୍‌ବାଙ୍କର ୨ ଏକର, ଚୈତନ୍ୟ ଦିଶାରୀଙ୍କର ଅଢେଇ ଏକର, ଭକ୍ତ ମାଳିଙ୍କର ୩ ଏକର, ପଦଲାମ ନାଏକଙ୍କର ଅଢେଇ ଏକର ଜମିରେ ଚକଡା ପୋକ ଲାଗି ଫସଲ ନଷ୍ଟ କରି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି ।  ସେହିପରି ଭୀମ ଚୌଧୁରୀ, ଭଗବାନ ସଅଁରା ଓ ଭାସ୍କର ସଅଁରାଙ୍କର ଏକର ଏକର ଜମିରେ ମଧ୍ୟ ଚକଡା ପୋକ ଲାଗି ଫସଲ ନଷ୍ଟ ହୋଇଥିବା ଅଭିଯୋଗ ଆସିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top