ନ୍ୟୁଜ୍

ପ୍ରବାସୀ ଶ୍ରମିକଙ୍କ ରୋଜଗାର ଆଶା ବଢ଼ାଉଛି ନଡ଼ିଆ ଚାରା, ସ୍ୱାବଲମ୍ବୀ ହେବା ପାଇଁ ଫିଟିଛି ରାସ୍ତା !

କେନ୍ଦ୍ରାପଡ଼ା: କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ରୋଜଗାରର ଆଶା ହରାଇଛନ୍ତି ଲୋକେ । ବିଶେଷ କରି ପ୍ରବାସୀ ଶ୍ରମିକମାନେ ରୋଜଗାର ପାଇଁ ଚିନ୍ତାରେ । କରୋନା ମହାମାରୀ ସମୟରେ ଓଡ଼ିଶାକୁ ଫେରିଛନ୍ତି ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକ । ରୋଜଗାର ଆଶାରେ ବାହାର ରାଜ୍ୟକୁ ଯାଇଥିବା ଲୋକେ ଏବେ ରାଜ୍ୟକୁ ଫେରି ଚିନ୍ତାରେ । ତେବେ କେନ୍ଦ୍ରପଡ଼ା ଜିଲ୍ଲାରେ ମନରେଗା ଯୋଜନା ପ୍ରବାସୀଙ୍କୁ ରୋଜଗାର ଆଶା ଦେଇଛି । ନଡ଼ିଆ ଚାରା ରୋପଣ କରି ଦି ପଇସା ରୋଜଗାର ଆଶାରେ ଏବେ ପ୍ରବାସୀ ।

କେନ୍ଦ୍ରପଡ଼ା ଜିଲ୍ଲାକୁ ଫେରିଥିବା ପ୍ରବାସୀ ଏବେ ନିଜ ଜମିରେ ନଡ଼ିଆ ଚାରା ରୋପଣ କରୁଛନ୍ତି । ଏହି ସମୟରେ ଉଦ୍ୟାନକୃଷି ବିଭାଗ କେନ୍ଦ୍ରପଡ଼ା ଜିଲ୍ଲା ଚାଷୀ ଓ ଶ୍ରମିକଙ୍କୁ ବିନା ମୂଲ୍ୟରେ ନଡ଼ିଆ ଚାରା ଦେଉଛି । ଏବେସୁଦ୍ଧା 7000 ନଡ଼ିଆ ଚାରା ଯୋଗାଇ ଦିଆଯାଇଥିବା ବେଳେ ପାଖାପାଖି 40 ହେକ୍ଟର ଜମିରେ ନଡ଼ିଆ ଚାରା ରୋପଣ ନେଇ ଲକ୍ଷ୍ୟ ଥିବା କହିଛନ୍ତି ଉଦ୍ୟାନକୃଷି ଉପନିର୍ଦ୍ଦେଶକ କନ୍ଦ କେଶରୀ ଜେନା ।

ପ୍ରଥମ ପର୍ଯ୍ୟାୟରେ ପାଖାପାଖି 100 ହେକ୍ଟର ପାଇଁ 17,500 ଚାରା ପ୍ରଦାନ ପାଇଁ ବିଭାଗ ଲକ୍ଷ୍ୟ ରଖିଛି । ଏହି ଗଛ ପାଞ୍ଚ ବର୍ଷରେ ଫଳ ଦେବ । ମହାମାରୀ ସମୟରେ ଖାଲି ଜମି ନଡ଼ିଆ ଫାର୍ମରେ ପରିଣତ ନେଇ ଆଶା ରଖାଯାଇଛି । ଗୋଟିଏ ହେକ୍ଟର ଜମିରେ 175 ଚାରା ରୋପଣ କରାଯିବ । ସୋମବାର 40 ପ୍ରବାସୀ ଶ୍ରମୀକଙ୍କୁ 1050 ଚାରା ପ୍ରଦାନ କରାଯାଇଥିବା ବେଳେ ସେମାନେ  ରାଜକନିକା ବ୍ଲକର ନିଜ ଗ୍ରାମରେ ଏହା ରୋପଣ କରିଛନ୍ତି ।

ମନରେଗା ଯୋଜନାରେ ପ୍ରତି ଶ୍ରମିକଙ୍କୁ ଚାରା ରୋପଣ ବାବଦକୁ ପ୍ରତିଦିନ 207 ଟଙ୍କା ଦିଆଯାଉଛି । ଗୋଟିଏ ଚାରାକୁ 60 ଟଙ୍କା ହୋଇଥିବା ବେଳେ ସେମାନଙ୍କୁ ଏହା ମାଗଣାରେ ପ୍ରଦାନ କରାଯାଉଛି । ଏହାସହ ସେମାନଙ୍କୁ ମାଗଣାରେ ସାର ଓ କୀଟନାଶକ ମଧ୍ୟ ପ୍ରଦାନ କରାଯାଉଛି ।

ରାଜକନିକା ବ୍ଲକର କୋରନ୍ଦ ଗ୍ରାମରେ ଥିବା ବହୁ ପ୍ରବାସୀ ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଜଣେ ଶ୍ରମିକ ଯିଏକି ମୁମ୍ବାଇରେ ପାଣି ପାଇପ କାର୍ଯ୍ୟ କରୁଥିଲେ ସେ ନିଜ ଜମିରେ 80 ନଡ଼ିଆ ଚାରା ଲଗାଇଛନ୍ତି । ଏହାସହ ଫଳ ଧରିବା ପରେ ସେ ଦି ପଇସା ରୋଜଗାର କରିବେ ବୋଲି ଆଶା ରଖିଛନ୍ତି । ଇଶ୍ୱରପୁର ଗାଁର ସ୍ୱାଧୀନ ବେହେରା ଯିଏକି ହାଇଦ୍ରାବାଦର ଏକ ହୋଟେଲରେ କାମ କରୁଥିଲେ  ସେ 3 ଏକର ଜମିରେ 80 ନଡ଼ିଆ ଗଛ ଲଗାଇଛନ୍ତି  । ଏହାସହ ସେ ଏବେ ଗାଁରେ ହିଁ ରହିବାକୁ ଯୋଜନା କରିଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top