ଜୀବନ ମନ୍ତ୍ର

ଆସନ୍ତା ବର୍ଷରୁ ପିଜି ପାଇଁ ଏକକ ପ୍ରବେଶିକା ପରୀକ୍ଷା..

 ଭୁବନେଶ୍ୱର: ୨୦୨୦ ଶିକ୍ଷା ବର୍ଷରୁ ପିଜି ପାଠ୍ୟକ୍ରମ ପାଇଁ ରାଜ୍ୟରେ ଏକକ ପ୍ରବେଶିକା ପରୀକ୍ଷା ହେବ । ବିଶ୍ୱବିଦ୍ୟାଳୟ କୁଳପତି ସମ୍ମିଳନୀରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ  ସୂଚନା ଦେଇଛନ୍ତି ।

ପିଜିରେ ଆଡମିସନ୍ କରିବା ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଏଣ୍ଟ୍ରାନ୍ସ ଦେଇ ଖର୍ଚ୍ଚାନ୍ତ ହେଉଛନ୍ତି ଛାତ୍ରଛାତ୍ରୀ । ତେଣୁ ଏହାକୁ ଦୃଷ୍ଟିରେ ରଖି କମନ୍ ପିଜି ଏଣ୍ଟ୍ରାନ୍ସ ପାଇଁ ନିଷ୍ପତ୍ତି ହୋଇଛି । ଯାହାଦ୍ୱାରା ମେରିଟ୍ ଲିଷ୍ଟ ଯୋଗେ ଯିଏ ଯେଉଁଠି ଚାହିଁବ ସେଠାରେ ପଢ଼ିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ତ ଥିଲା ଉଚ୍ଚଶିକ୍ଷା ବିଭାଗର ଏକକ୍‌ ପ୍ରବେଶିକା ପରୀକ୍ଷା ହେବାର ଖବର କିନ୍ତୁ ଏହା ପୂର୍ବରୁ ଗଣଶିକ୍ଷା ବିଭାଗ ସବୁ ସ୍କୁଲରେ ଏକକ ପରୀକ୍ଷା କରି କିପରି ହଟହଟା ହୋଇଥିଲା ତାହା କାହାକୁ ଅଛପା ନାହିଁ । କେଉଁଠି ପ୍ରଶ୍ନପତ୍ର ନଥିଲା ତ ଆଉ କେଉଁଠି ପିଲାମାନଙ୍କୁ ଶିକ୍ଷକମାନେ ପ୍ରଶ୍ନ ଡାକିଥିଲେ । ତେବେ ଏବେ ଏକକ ପିଜି ଏଣ୍ଟ୍ରାସ୍‌ର ସୁପରିଚାଳନା ଏବଂ ଏହାପରେ ପିଲାମାନଙ୍କ ଆଡମିଶନରେ କେତେ ସ୍ୱଚ୍ଛତା ରହୁଛି ତାହା ଉପରେ ସମସ୍ତଙ୍କ ନଜର ।

ଅନ୍ୟପଟେ ଆଜିର ଏହି ବୈଠକରେ ପ୍ରୋକ୍ଟୋରିଆଲ୍ କମ୍ ମେଣ୍ଟରିଙ୍ଗ୍ ସିଷ୍ଟମ୍ ବିଷୟରେ ଆଲୋଚନା ହୋଇଛି । ଯେଉଁଥିରେ କି ପ୍ରତ୍ୟେକ ଶିକ୍ଷକ କିଛି କିଛି ପିଲାଙ୍କର ଦାୟିତ୍ୱ ନେଇ  ପାଠପଢ଼ାରେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ଉପରେ ଗୁରୁତ୍ୱ ଦେବେ ।

ଏହାସହ ପରୀକ୍ଷାଫଳ ଠିକ୍ ସମୟରେ ବାହାରିବା ନେଇ ଗୁରୁତ୍ୱାରୋପ କରାଯାଇଛି । କେବେ ପରୀକ୍ଷା କରାଯିବ ଓ କେବେ ବ୍ୟାକ୍ ପେପର୍ ପରୀକ୍ଷା ଫଳ ପ୍ରକାଶ ପାଇବ, ଏହା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯିବ । ଏହା ସହିତ ଜୁନ୍ ୧୫ ସୁଦ୍ଧା ସବୁ ବିଶ୍ୱବିଦ୍ୟାଳୟ +୩ ପରୀକ୍ଷା ଫଳ ପ୍ରକାଶ କରିବେ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି ।

ଅନ୍ୟପଟେ ଆଜି ପରୀକ୍ଷାରେ ଅନିୟମିତତାକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ +୩ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଗର୍ଜନ କରୁଛନ୍ତି । ଏପରିକି ଭିସିଙ୍କ ଅଫିସ ମଧ୍ୟ ଘେରାଉ କରିଛନ୍ତି । ଏମିତି ମଧ୍ୟ ଦେଖିବାକୁ ମିଳେ ଯେ କଲେଜ ଅଧ୍ୟାପକମାନେ ଟ୍ୟୁସନ ପଢ଼ାଉଥିବା ଯୋଗୁଁ କଲେଜରେ ଅନୁପସ୍ଥିତ ରହୁଛନ୍ତି । ଯାହାଦ୍ୱାରା ଟ୍ୟୁସନ ଯାଇପାରୁନଥିବା ପିଲାମାନେ ଉତ୍ତମ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ଯଦିଓ ଏହାକୁ ଦୃଷ୍ଟିରେ ରଖି ବାୟୋମେଟ୍ରିକ୍‌ ବ୍ୟବସ୍ଥା କେତେକ ସ୍ଥାନରେ କରାଯାଇଛି ତାହା କେତେ ଦୂର କାର୍ଯ୍ୟକାରୀ ହୋଇଛି ତାହା ଅସ୍ପଷ୍ଟ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top