ଦେଶ

କରୋନା ବଦଳାଇବ ବିଶ୍ୱ ମହାଶକ୍ତିର ସମୀକରଣ !

ମାନବଜାତି ବିରୁଦ୍ଧରେ ଭୂତାଣୁର ଆକ୍ରମଣ । ବଦଳିବ ବିଶ୍ୱ ଅର୍ଥନୈତିକ ଓ ରାଜନୈତିକ ମହାଶକ୍ତିର ସମୀକରଣ । ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । କରୋନା ବିଦାୟ ନେବା ପରେ କାହାର ହେବ ଜୟ, କାହାର ହେବ ପରାଜୟ ! କିଏ ନିଜକୁ ପୁଣି ଶକ୍ତିଶାଳୀ କରି ଗଢ଼ିତୋଳିବ କିଏ ହାରିଯିବ ଅର୍ଥନୀତି ଲଢ଼େଇରେ । କରୋନା କାହାକୁ ସଜେଇବ ନୂଆ ବିଶ୍ୱଶକ୍ତି? ଏବେ ମାରାତ୍ମକ କରୋନା କେବଳ ଏକ ଜୀବନନାଶକାରୀ ଭୂତାଣୁ ହିସାବରେ ଆସିନି ବରଂ ଆସିଛି ବଦଳେଇବାକୁ ବିଶ୍ୱ ମହାଶକ୍ତିର ତାଲିକା । କରୋନା ବଦଳେଇ ଦେବ ବିଶ୍ୱର ରାଜନୀତି ଓ ଅର୍ଥନୀତିର ସମୀକରଣ ।

୨୦୧୯ ଶେଷ ବେଳକୁ ବିଶ୍ୱର ଚିତ୍ର ଯାହା ଥିଲା ୨୦୨୦ ଶେଷ ବେଳକୁ ବଦଳି ଯାଇଥିବ ସବୁକିଛି । କାହିଁକିନା କରୋନା ଏବେ ନେଇଛି ଗେମ୍ ଚେଂଜର୍‌ର ଭୂମିକା । କ୍ଷମତାଧାରୀଙ୍କ ହାତରୁ କ୍ଷମତା ଛଡ଼େଇ ନେଇ ଖୋଜୁଛି ନୂଆ ଦେଶ, ନୂଆ ନେତା ଯିଏ ଦେଇ ପାରିବେ ବିଶ୍ୱକୁ ନେତୃତ୍ୱ । ବିଶ୍ୱବ୍ୟାପି କରୋନା ସଂକ୍ରମଣ ପୂର୍ବରୁ ଚୀନ ଓ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ମଧ୍ୟରେ ଚାଲିଥିଲା କ୍ଷମତା ଲଢ଼େଇ । ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆମେରିକା ଥିଲା ଚୀନର ମୁଖ୍ୟ ପ୍ରତିଦ୍ୱନ୍ଦୀ । କ୍ଷମତା ଲଢ଼େଇରେ ରୁଷିଆର ଭୂମିକା ଥିଲା ଦୋଦୋଲ୍ୟମାନ ଅବସ୍ଥାରେ ।

କରୋନା ଭୂତାଣୁର ଉତ୍ପତି ହୋଇ ନେଇ ଚୀନର ଭୂମିକା ବିଶ୍ୱବାସୀଙ୍କ ମନରେ ସୃଷ୍ଟି କରିଛି ସନ୍ଦେହ । ଚୀନ ନିଜେ ମଧ୍ୟ ଅନେକ ଧନଜୀବନ ହାନୀର ଶୀକାର ହୋଇଛି । ଏବେ ଚୀନ ଉପରୁ ନିର୍ଭରଶୀଳତା କମେଇ ସମସ୍ତ ବ୍ୟବସାୟିକ ସମ୍ପର୍କ ତୁଟାଇବାକୁ ଚିନ୍ତା କଲେଣି ବିଶ୍ୱର ଅନ୍ୟ ଦେଶଗୁଡ଼ିକ । ହୁଏତ ଆଇନ୍ ଅନୁସାରେ ମୋକଦ୍ଦମା ଚାଲିଲେ ଚୀନ ଅନ୍ୟ କ୍ଷତିଗ୍ରସ୍ତ ଦେଶଙ୍କୁ ଦେଇପାରେ ବିପୁଳ କ୍ଷତିପୁରଣ । କ୍ଷତିପୁରଣ ନଦେଲେ ଚୀନ୍ ହୋଇପାରେ ବିଶ୍ୱ ସମୁଦାୟରୁ ଏକ ଘରିକିଆ, ଭାଙ୍ଗି ଯାଇପାରେ ତା’ର ବିଶ୍ୱଶକ୍ତି ହେବାର ସ୍ୱପ୍ନ । କରୋନା ମୁକାବିଲା ନେଇ ଆମେରିକା ବି ଏବେ ବ୍ୟାକ୍ ଫୁଟ୍‌ରେ । ବ୍ୟାପକ ଧନଜୀବନ ହାନୀ ଭାଙ୍ଗିଦେଲାଣି ତା’ର ଅର୍ଥନୀତି ଓ ରାଜନୈତିକ ଇଛାଶକ୍ତି ।

ଏବେ ବିଶ୍ୱସାରା ସବୁ ଦେଶର ସମାନ ଅବସ୍ଥା । କରୋନା ଲଢ଼େଇକୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏକଦା କହିଥିଲେ ‘ଏ ୱାର୍ ଏଗନେଷ୍ଟ ଇନିଭିଜିବୁଲ ଏନମି’ ବା ଅଦୃଶ୍ୟ ଶତ୍ରୁ ବିରୁଦ୍ଧରେ ଲଢ଼େଇ’ । ଏହି ଅଦୃଶ୍ୟ ଶତ୍ରୁ ବିରୁଦ୍ଧରେ ଲଢ଼େଇରେ ସାମିଲ ସବୁଦେଶ ।
ଏବେ ପ୍ରଶ୍ନ ଉଠୁଛି ଲଢ଼େଇ ସରିବା ପରେ ଆଗକୁ କିଏ ନିଜର ସ୍ଥିତିକୁ ପୁନଃପ୍ରତିଷ୍ଠା କରି ବିଜୟୀ ହେବ ଆଉ କାହାର ହେବ ପରାଜୟ । କିଏ ସାଜିବ ନୂଆ ବିଶ୍ୱଶକ୍ତି । ସବୁଠୁ ବଡ଼ କଥା ହେଲା ୟୂରୋପର ଅନେକ ଶକ୍ତିଶାଳୀ ଦେଶ ଏବେ ବିଶ୍ୱକ୍ଷମତାର କେନ୍ଦ୍ରବିନ୍ଦୁ ହେବା ବଦଳରେ କରୋନା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ନିଜ ଦେଶକୁ ଆଗ ସଜାଡ଼ିବାକୁ ଚିନ୍ତା କଲେଣି । ଅନେକ ଏବେ ଦୃଷ୍ଟି ପକେଇଛନ୍ତି ବୃହତ ମାନବ ସମ୍ବଳର ଦେଶ ଭାରତ ଓ ଏହାର ଦୃଢ଼ ନେତୃତ୍ୱ ଉପରେ । ଏହି ପରିପ୍ରେକ୍ଷୀରେ ଜାତିସଂଘର ସଚିବ କହିଛନ୍ତି ‘ କରୋନା ଏବେ ବୃହତ୍ ଶକ୍ତିମାନଙ୍କୁ କ୍ଷମତାହୀନ କରିଦେଇଛି । ଏବେ ଆମେ ହୁଏତ ସମସ୍ତେ ଏକ ହେବା ନଚେତ୍ ହାରିଯିବା’ । ଏହି ହାରଜୀତ୍ ଭିତରେ ଦେଖିବାକୁ ବାକି ରହିଲା କିଏ ହୋଇପାରିବ ବିଶ୍ୱ କ୍ଷମତାର କେନ୍ଦ୍ରବିନ୍ଦୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top