ଦେଶ

କୋରୋନା ଅପଡେଟ୍‌: ୨୪ ଘଣ୍ଟାରେ ୮୯୦୯ ନୂଆ ମାମଲା, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଲା

ନୂଆଦିଲ୍ଲୀ:  ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି । ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ୯୦୯ ନୂଆ ମାମଲା ଆସିଛି । ଏହାସହ ୨୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୭୭୬ ଜଣ ଲୋକ ସୁସ୍ଥ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ବର୍ତ୍ତମାନ ଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୭ ହଜାର ୬୧୫ । ଏଥିମଧ୍ୟରୁ ୫ ହଜାର ୮୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ପ୍ରାୟ ୫୦ ପ୍ରତିଶତ ଅର୍ଥାତ୍ ୧ ଲକ୍ଷ ୩୦୩ ରୋଗୀ କରୋନା ସହିତ ଯୁଦ୍ଧରେ ଜିତିଛନ୍ତି ।ବର୍ତ୍ତମାନ ଦେଶରେ ମୋଟ ୧ ଲକ୍ଷ ୧ ହଜାର ୪୯୭ଟି ମାମଲା ସକ୍ରିୟ ରହିଛି । ଏକ ଆଶ୍ୱସ୍ତି ଖବର ଯେ, ଗତ କିଛି ଦିନ ମଧ୍ୟରେ ରୋଗୀଙ୍କ ପୁନରୁଦ୍ଧାର ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ମହାରାଷ୍ଟ୍ର କରୋନାରେ ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୭୨ ହଜାର ଅତିକ୍ରମ କରିଛି । ସେଥିମଧ୍ୟରୁ ଏପର‌୍ୟ୍ୟନ୍ତ ୨ ହଜାର ୪୬୫ ଲୋକ ପ୍ରାଣ ହରାଇଥିବାବେଳେ ୩୧ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ୩୮ ହଜାର ୫୦୨ ମାମଲା ସକ୍ରିୟ ରହିଛି । ସେହିପରି ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି, ଏପର୍ଯ୍ୟନ୍ତ ୨୪ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି । ଯେଉଁଥିରେ ୧୯୭ ଜଣଙ୍କର ମୃତ୍ୟୁ ହୋଇଛି।

ତେବେ ମୋଟ କରୋନା ମାମଲାରେ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି । ଏପର୍ଯ୍ୟନ୍ତ ଏଠାରେ ୨୨ ହଜାର ୧୩୨ ଟି ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ୫୫୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୨୪୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ଗୁଜୁରାଟରେ ମୋଟ ରୋଗୀଙ୍କ ସଂଖ୍ୟା ୧୭ ହଜାର ୬୧୭ କୁ ବୃଦ୍ଧି ପାଇଛି । ସେଥିମଧ୍ୟକୁ ୧ ହଜାର ୦୬୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ରାଜସ୍ଥାନରେ ମୋଟ ରୋଗୀଙ୍କ ସଂଖ୍ୟା ୯ହଜାର ୩୭୩, ଯେଉଁଥିରେ ୨୦୩ ଜଣଙ୍କର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୮ ହଜାର ୪୨୦, ଯେଉଁଥିରୁ ୩୬୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଉତ୍ତରପ୍ରଦେଶରେ ରୋଗୀଙ୍କ ସଂଖ୍ୟା ହେଉଛି ୮ ହଜାର ୩୬୧ରେ ପହଞ୍ଚିଛି । ସେମଧ୍ୟରୁ ୨୨୨ ଜଣ ପ୍ରାଣ ହରାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top