ଦେଶ

ପାଣି ବୋତଲ ପାଇଁ ମଲ୍‌କୁ ପାଣି ପିଆଇଲେ ଗ୍ରାହକ, ୪୦ ଟଙ୍କା ଦେଇ ପାଇଲେ ୭୦୦୦ !

ବାଙ୍ଗାଲୁରୁ: ବିଭିନ୍ନ ସମୟରେ ଦୋକାନୀମାନେ ଜିନିଷର ପ୍ରକୃତ ଦରରୁ ଅଧିକା ଦାମ ନେବାକୁ ଦାବି କରିଥାନ୍ତି । ଅତି ଆବଶ୍ୟକୀୟ ଜିନିଷ ଅଧିକ ଦରରେ ବେଳେବେଳେ ଖାଉଟି କିଣିବାକୁ ବାଧ୍ୟ ହୁଅନ୍ତି । କିନ୍ତୁ ଖାଉଟିଙ୍କୁ ଦୋକାନୀ ବା କମ୍ପାନୀ ଠକିଲେ ଏହା ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ କନ୍‌ଜୁମର କୋର୍ଟ ଗଠନ କରାଯାଇଛି । ଆଇନ୍‌ ବାଟ ଥିଲେ ବି ଲୋକମାନେ କିଛି ଟଙ୍କା ପାଇଁ ଏତେ ପ୍ରୋସେସ ଦେଇ ଯିବାକୁ ପସନ୍ଦ କରନ୍ତିନି । ତେଣୁ ଇଚ୍ଛା ନଥାଇ ବି ଚଢ଼ା ଦରରେ ଜିନିଷ କିଣିବାକୁ ବାଧ୍ୟ ହୁଅନ୍ତି ଗ୍ରାହକ ।

କିନ୍ତୁ ବାଙ୍ଗାଲୁରୁରେ ଜଣେ ସଚେତନ ଗ୍ରାହକ 20 ଟଙ୍କିଆ ପାଣି ବୋତଲ ପାଇଁ ମଲ୍‌କୁ ପାଣି ପିଆଇ ଦେଇଛନ୍ତି । କର୍ଣ୍ଣାଟକର ରାଜଧାନୀରେ ଏକ ମଲ୍ଟିପ୍ଲେକ୍ସ 20 ଟଙ୍କିଆ ପାଣି ବୋତଲକୁ  40 ଟଙ୍କାରେ ବିକ୍ରି କରି ହରଡ଼ଘଣାରେ ପଡ଼ିଛି  । ଓମ ହେଗଡ଼େ ନାମକ ଜଣେ ଖାଉଟି ମଲ୍ଟିପ୍ଲେକ୍ସ ବିରୁଦ୍ଧରେ କନ୍‌ଜୁମର କୋର୍ଟରେ ଅଭିଯୋଗ କରିଛନ୍ତି । ଏହାପରେ କନ୍‌ଜୁମର ଫୋରମ ଗ୍ରାହକ ଓମଙ୍କୁ ଟଙ୍କା ଫେରସ୍ତ କରିବା ସହ କ୍ଷତିପୂରଣ ବାବଦକୁ 7000 ଟଙ୍କା ଦେବାକୁ ମଲ୍ଟିପ୍ଲେକ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଅଧା ଲିଟର ପାଣି ପାଇଁ ମିନାକ୍ଷୀ ମଲ 20 ଟଙ୍କା ପରିବର୍ତ୍ତେ 40 ଟଙ୍କା ଓମଙ୍କୁ ମାଗିଥିଲା । ତେବେ ଏଥିରେ ଆପତ୍ତି କରିବା ସହ ମଲ ମ୍ୟାନଜରଙ୍କୁ ବାକି 20 ଟଙ୍କା ଫେରସ୍ତ କରିବାକୁ ନୋଟିସ କରିଥିଲେ ଓମ । ଏଥିରେ ମ୍ୟାନେଜର କୌଣସି ତତ୍ପରତା ପ୍ରକାଶ କରିନଥିଲେ । ତେଣୁ ଓମ କନ୍‌ଜୁମର କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ତାପରେ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମଲ୍ଟିପ୍ଲେକ୍ସକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ମାନହାନୀ ବାବଦକୁ 5000 ଏବଂ କୋର୍ଟରେ କେସ୍‌ ପାଇଁ ଓମ୍‌ ଖର୍ଚ୍ଚ କରିଥିବା 2000 ଟଙ୍କା ଦେବାକୁ ମଲ୍ଟିପ୍ଲେକ୍ସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top