ନ୍ୟୁଜ୍

ବିଦ୍ୟାଳୟର ପାଇଖାନା ଟାଙ୍କିରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

ରାୟଗଡ଼ା: କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ହାତୀଖମ୍ବା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ପାଇଖାନା ଟାଙ୍କିରୁ ତିନିଦିନ ଧରି ନିଖୋଜ ଥିବା ହାତୀଖମ୍ବା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ସୂଚନାଯୋଗ୍ୟ, ହାତୀଖମ୍ବା ଗ୍ରାମର ଉଦାଲା ରାଜାରାଓ (୫୨) ଓ ସ୍ତ୍ରୀ ପାର୍ବତୀ ଉଦାଲା ଘରେ ଖାଉଥିବା ସମୟରେ ଉକ୍ତ ଗ୍ରାମର ମହେନ୍ଦ୍ର ମାଣ୍ଡାଲା (୨୨) ଓ ମାଧବ କାଡ୍ରାକା (୨୨) ଉଦାଲାଙ୍କ ଘରକୁ ଯାଇ ବାହାରକୁ ଡାକି ନେଇଯାଇଥିଲେ । ହେଲେ ବିଳମ୍ବିତ ରାତ୍ରିରେ ମହେନ୍ଦ୍ର ଓ ମାଧବ ଫେରିଥିଲେ । କିନ୍ତୁ ଉଦାଲା ଫେରି ନଥିଲେ । ତାହା ଦେଖି ଉଦାଲାଙ୍କ ପତ୍ନୀ ବ୍ୟସ୍ତ ହୋଇ ସେମାନଙ୍କୁ ପଚାରିବାରୁ ସେ ଫେରିଆସିଲେ ବୋଲି  କହିଥିଲେ ।

ହେଲେ ତା ପରଦିନ ସକାଳୁ ମଧ୍ୟ ବହୁ ଖୋଜାଖୋଜି କରିଲା ପରେ ମଧ୍ୟ ଉଦାଲାଙ୍କ କୌଣସି ଖୋଜ ଖବର ମିଳି ନ ଥିଲା । ଏନେଇ ଉଦାଲାଙ୍କ ପତ୍ନୀ ଥାନାରେ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ । ହେଲେ ଆଜି ସକାଳୁ ଖୋଜାଖୋଜି କରିବା ସମୟରେ ହାତୀଖମ୍ବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଇଖାନା ଟାଙ୍କି ପାଖରେ ବହୁତ ଦୁର୍ଗନ୍ଧ ହେଉଥିବା ଜାଣିପାରି ପ୍ରଥମେ ମୁକୁନ୍ଦପୁର ସରପଞ୍ଚ ଶିବ କଣ୍ଡାଗରିଙ୍କୁ ଖବର ଦେଇଥିଲେ । ସରପଞ୍ଚ ଆସିଲା ପରେ ପାଇଖାନା ଟାଙ୍କିର ପ୍ଲେଟକୁ କାଢି ଦେଖିଲା ବେଳକୁ ଉଦାଲାଙ୍କ ମୃତ ଦେହ ଭିତରେ ଥିବା ଦେଖିବାକୁ ପାଇଥିଲେ  ।

ସଙ୍ଗେସଙ୍ଗେ ମୁକୁନ୍ଦପୁର ଫାଣ୍ଡି ଓ ଚାନ୍ଦିଲି ଥାନାରେ ଖବର ଦେଇଥିଲେ । ଖବର ପାଇ ଚାନ୍ଦିଲି ଥାନା ଅଧିକାରୀ ଅଜିତ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି  । ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରି ମହେନ୍ଦ୍ର ମାଣ୍ଡାଲା, ମାଧବ କାଡ୍ରାକା ଓ ରାଜେନ୍ଦ୍ର ପାଲାକାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ । ମୃତଦେହକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top