ଅପରାଧ

୩ ଦିନ ପରେ ସୋନ ଡ୍ୟାମରୁ ମିଳିଲା ନିଖୋଜ ଦମ୍ପତିଙ୍କ ମୃତଦେହ

MBJ Murder_card_00000

ମୟୂରଭଞ୍ଜ: ଫୁଟବଲ୍ ଖେଳ ଦେଖିବାକୁ ଯାଇ ନିଖୋଜ ଥିବା ଦମ୍ପତିଙ୍କ ମୃତଦେହ ମିଳିଲା । ଆଉ ମୃତ ଦେହ ମିଳିବା ପରେ ଏପରି ଘଟଣା ସାମ୍ନାକୁ ଆସିଲା ଯାହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ । ଗୁଣିଆ ସନ୍ଦେହରେ ଅତି ବିଭତ୍ସ ଭାବେ ହୋଇଥିଲା ଏହି ଡବଲ ମର୍ଡର ।

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସିତାରାମସାହି ଗ୍ରାମର ସୀତାରାମ ସିଂ ଏବଂ ଲେତ ସିଂ ଗତ ୬ ତାରିଖ ଦିନ ଫୁଟବଲ୍ ଖେଳ ଦେଖିବାକୁ ଛତ୍ରାଆମ୍ବ ଗ୍ରାମକୁ ଯାଇଥିଲେ । ହେଲେ ସେ ତାପର ଠାରୁ ଆଉ ଘରକୁ ଫେରି ନ ଥିବା ବେଳେ ପର ଦିନ ଘର ନିକଟ ବିଲରେ ସୀତାରାମଙ୍କ ଜୋତା, ଏବଂ ଲେତଙ୍କ ଚୁଡି ସମେତ ରକ୍ତଛିଟା ପଡିଥିବା ପରିବାର ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।

ଏହା ସହିତ ତାଙ୍କ ବାପା ଏବଂ ମାଆକୁ ହତ୍ୟା କରାଯାଇଥିବା ସୀତାରାମଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ପୋଲିସ୍ ସାଇଣ୍ଟଫିକ୍‌  ଟିମ୍‌ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିବା ପରେ ସ୍ଥାନୀୟ ସୋନ ଡ୍ୟାମରେ ଦୁଇ ଦିନ ଧରି ଅଗ୍ନିଶମ ବିଭାଗ ଦ୍ୱାରା ଖୋଜାଖୋଜି କରିଥିଲା । ହେଲେ ପତା ପାଇନଥିଲା ପୋଲିସ । ଶେଷରେ ଆଜି ୫ ବାଟାଲିଅନ ଓଡ୍ରାଫ୍ ଟିମ୍‌ର ୭ ଜଣିଆ ଦଳ ସୁନେଇ ଡ୍ୟାମରେ ଖୋଜାଖୋଜି କରିବା ପରେ ଦମ୍ପତିଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ।

ମୃତଦେହ ଉଦ୍ଧାର ହେବା ପରେ ଯାହା ଦେଖାଯାଇଥିଲା ତାହା ଆଶ୍ଚର୍ଯ୍ୟଜନକ । ଏହି ଘଟଣାରେ ପୋଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । ଗିରଫ ଅଭିଯୁକ୍ତର କହିବା ମୁତାବକ ଗୁଣିଆ ସନ୍ଦେହରୁ ଏହି ଡବଲ ମର୍ଡର କରାଯାଇଛି ।

ଗିରଫ ଅଭିଯୁକ୍ତ ଜଣକ ହେଲେ ଚମ୍ପାଇ ହୋ । ଅଭିଯୁକ୍ତର କହିବା ମୁତାବକ ମୁଖ୍ୟ ଅଭିଯୁକ୍ତ ଦିବାକରର ପରିବାର ଲୋକଙ୍କ ଶରୀର କିଛି ଦିନ ହେବ ଅସୁସ୍ଥ ରହିଥିଲା । ଯାହାକି ସୀତାରାମ ଏବଂ ତାଙ୍କ ସ୍ତ୍ରୀ ଲେତ ଗୁଣି କରୁଥିବା ସେ ସନ୍ଦେହ କରିଥିଲେ । ଯାହାକୁ ନେଇ ଗତ ୬ ତାରିଖ ସନ୍ଧ୍ୟାରେ ସୀତାରାମ ଏବଂ ଲେତ ଖେଳ ଦେଖି ଫେରୁଥିବା ବେଳେ ବିଲ ନିକଟରେ ସେମାନଙ୍କୁ ପ୍ରଥମେ କଟୁରୀରେ ପଛପଟୁ ଆକ୍ରମଣ କରାଯାଇଥିଲା ।

ପରେ ଦୁଇ ଜଣଙ୍କ ମୃତଦେହକୁ ଧରି ସେମାନେ ସୋନ ଡ୍ୟାମ ନିକଟକୁ ଯାଇଥିଲେ । ସେଠାରେ ଦୁଇ ଗୋଟି ଡଙ୍ଗାକୁ ଯୋଡି ସେଥିରେ ମୃତଦେହ ଦୁଇଟିକୁ ନେଇ ଡ୍ୟାମ ମଝିକୁ ଯାଇଥିଲେ । ସେଠାରେ ଥିବା ଏକ ଟାପୁରୁ ପଥର ଆଣି ଉଭୟଙ୍କ ଦେହରେ ପଥର ବାନ୍ଧି ଡ୍ୟାମ ମଧ୍ୟକୁ ଫୋପାଡି ଦେଇ ସେମାନେ କୂଳକୁ ଫେରି ଆସିଥିଲେ । ଏବଂ ତାପର ଠାରୁ ଉଭୟ ଫେରାର ହୋଇଯାଇଥିଲେ । ତେବେ ଏହି ଘଟଣାରେ ପୋଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଉପଖଣ୍ଡ ପୋଲିସ୍ ଅଧିକାରୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top