ଦେଶ

ଗାଇଡଙ୍କ ଉପରେ ଖୁସୀ ହୋଇ ଖାସ୍ ଉପହାର ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପରିବାର ସହ ଗତ ସୋମବାର ଆଗ୍ରାର ତାଜମହଲ ପରିଦର୍ଶନ କରିଥିଲେ। ଏହି ସମୟରେ ଟ୍ରମ୍ପ-ମିଲେନିଆ ଏକ ସହ ମିଶି ତାଜମହଲର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ। ଏଥିପାଇଁ ଆଗ୍ରାରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଟ୍ରମ୍ପ-ମିଲେନିଆଙ୍କୁ ଜଣେ ଗାଇଡ୍ ଦିଆଯାଇଥିଲା। ଏହି ଗାଇଡଙ୍କ ନାମ ନିତିନ ସିଂହ। ସେ ଟ୍ରମ୍ପ ଦମ୍ପତ୍ତିଙ୍କୁ ତାଜମହଲର ଇତିହାସ ବିଷୟରେ ବୁଝାଇଥିଲେ। ତେବେ ଏହି ସମୟରେ ଗାଇଡଙ୍କୁ ଟ୍ରମ୍ପ ୭ଟି ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ଏହି ଯୁବକ ଜଣଙ୍କ ସଠିକ୍ ଦେଇଥିଲେ। ଏଥିରେ ଖୁସୀ ହୋଇ ଟ୍ରମ୍ପ ନିତିନଙ୍କୁ ଉପହାର ଦେଇଛନ୍ତି।

ନିତିନଙ୍କୁ ମିଳିଥିବା ଏହି ଖାସ୍ ଉପହାରରେ ଟ୍ରମ୍ପଙ୍କ ନାମ ଖୋଦିତ ହୋଇଛି। ହ୍ଵାଇଟ ହାଉସର ଲୋଗୋ ରହିଛି। ତେବେ ଟ୍ରମ୍ପଙ୍କ ଦ୍ଵାରା ପଚରାଯାଇଥିବା ୭ଟି ପ୍ରଶ୍ନ ହେଉଛି ତାଜମହଲ କିଏ ନିର୍ମାଣ କରିଥିଲେ ? ଏହାକୁ ନିର୍ମାଣ କରିବା ପାଇଁ କଳାକାର କେଉଁଠାରୁ ଆସିଥିଲେ ? ଶାହାଜାହାନଙ୍କୁ କେଉଁଠାରେ ବନ୍ଦୀ କରି ରଖାଯାଇଥିଲା ? ତାଜରେ ଲାଗିଥିବା ମାର୍ବଲ କେଉଁଠାରୁ ଆସିଥିଲା ? ଏଯାଏଁ ତାଜମହଲରେ କଣ କଣ ପରିବର୍ତ୍ତନ ହୋଇଛି ? ୱାଟର ଚ୍ୟାନେଲ ସାଇଫନ ଶାହାଜାହାନଙ୍କ ସମୟରେ ହୋଇଥିଲା କି ପରେ ହୋଇଥିଲା ? ମମତାଜଙ୍କ କବର ପୂର୍ବରୁ ନିର୍ମାଣ ହୋଇଥିଲା କି ପରେ ?

ନିତିନ ସିଂହ ସବୁ ପ୍ରଶ୍ନର ଉତ୍ତର ଶାଳୀନତାର ସହ ବିସ୍ତୃତ ଭାବରେ ଦେଇଥିଲେ। ଏଥିରେ ଖୁସୀ ହୋଇ ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଏକ ସ୍ମୃତି ଚିହ୍ନ ଦେଇଛନ୍ତି। ଯେଉଁଥିରେ ତାଙ୍କ ନାମ ରହିଛି, ହ୍ଵାଇଟ ହାଉସର ଫଟୋ ରହିଛି। ୟୁଏସଏର ଲୋଗୋ ମଧ୍ୟ ରହିଛି।

ଟ୍ରମ୍ପ ନିତିନଙ୍କୁ ପଚାରିଥିଲେ ଯେ, ମମତାଜଙ୍କ ଅସଲି କବର ଏବଂ ଉପରେ ନିର୍ମିତ ହୋଇଥିବା କବରର କଣ କାହାଣୀ। ନିତିନ ଏହାର ଉତ୍ତର ରଖିଥିଲେ ଯେ, ଇସଲାମରେ କବର ସଜାଇବା ପାଇଁ ଅନୁମତି ମିଳେ ନାହିଁ। ତେଣୁ କବର ସଜାଇବା ପାଇଁ ଶାହାଜାହାନ ଏକ କୃତ୍ରିମ କବର ନିର୍ମାଣ କରିଥିଲେ। ନିତନ ଟ୍ରମ୍ପଙ୍କୁ ତାଜମହଲର ଇତିହାସ ତାରିଖ ସହ ବର୍ଣ୍ଣନା କରିଥିଲେ। ଶାହାଜାହାନ ଏବଂ ମମତାଜଙ୍କ ପ୍ରେମ କାହାଣୀ ମଧ୍ୟ ବର୍ଣ୍ଣନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top