ଟେକ୍ନୋଲୋଜି

କେତେ ଭଲ ସ୍ମାର୍ଟଫୋନ୍‌ ? ଆବଶ୍ୟକତା ଠାରୁ ଅଧିକ ବ୍ୟବହାର କଲେ କଣ ହେବ ?

ଭୁବନେଶ୍ୱର: ବଦଳୁଥିବା ସମୟ ସହିତ ଆସୁଛି ନୂଆ ନୂଆ ଟେକ୍ନୋଲୋଜି । ବିଜ୍ଞାନ ଆଉ କେବଳ ସହାୟତାର ମାଧ୍ୟମ ହୋଇ ରହିନାହିଁ । ଏକ ଅନିବାର୍ଯ୍ୟ ଆବଶ୍ୟକତାରେ ପରିଣତ ହୋଇଛି । ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ଯାଏଁ ଆମେ ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ ଗ୍ୟାଜେଟ ବ୍ୟବହାର କରିଥାଆନ୍ତି । ଆଉ ସେସବୁ ମଧ୍ୟରେ ମୋବାଇଲ ବା ସ୍ମାର୍ଟଫୋନର ରହିଛି ସ୍ୱତନ୍ତ୍ର ଭୂମିକା । ମୋବାଇଲ ଫୋନ ଆଉ କେବଳ କଲ୍ କରିବା ପାଇଁ ଉପଯୋଗ ହେଉନାହିଁ । ଅନେକ ଛୋଟ ବଡ କାମର ଗୋଟିଏ ବିକଳ୍ପ ପାଲଟିଛି ସ୍ମାର୍ଟଫୋନ । ହେଲେ ଅମ୍ଳଜାନ ବିନା ଯେମିତି ଜୀବନ ଅସମ୍ଭବ । ଠିକ୍ ସେମିତି ଇଣ୍ଟରନେଟ ବିନା ସ୍ମାର୍ଟ ଫୋନ ମଧ୍ୟ ଅଧୁରା । ଗୋଟିଏ ସ୍ମାର୍ଟଫୋନରେ ଇଣ୍ଟରନେଟ କନେକସନ ଥିଲେ କେତେ ବେଳେ ଯେ ସମୟ ବିତି ଯାଉଛି ତାହା ଜଣା ବି ପଡୁନି ।

ସେ ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସଆପ ଓ ଟୁଇଟର ଭଳି ସୋସିଆଲ ମିଡିଆ ଆପ୍ ହେଉ ଅବା ପବଜି ଓ ଫ୍ରି ଫାୟାର ଭଳି ଅନଲାଇନ ଗେମ ହେଉ ଅବା ଟିକଟକ, ଲାଇକ ଭଳି ଏଣ୍ଟରଟେନମେଣ୍ଟ ଆପ । ଏଗୁଡିକ ବର୍ତ୍ତମାନ ଟାଇମପାସର ମାଧ୍ୟମ ହୋଇ ରହିନାହିଁ । ଯୁବପିଢିଙ୍କ ପାଇଁ ମୌଳିକ ଆବଶ୍ୟକତାର ସ୍ଥାନ ନେଇଛି । କିନ୍ତୁ ଇଣ୍ଟରନେଟ ଓ ମୋବାଇଲ ଫୋନ ଉଭୟର ଅତ୍ୟଧିକ ବ୍ୟବହାର ଏବେ ଏକ ବ୍ୟାଧି  ହୋଇଗଲାଣି ତାହା ଆମକୁ  ସ୍ୱୀକାର କରିବାକୁ ପଡିବ । କାରଣ 2018ରେ ହୋଇଥିବା ଏକ ସର୍ଭେ ଅନୁସାରେ ହାରାହାରି ଭାରତୀୟ ଯୁବକ ବା ଯୁବତୀ ଗୋଟିଏ ଦିନରେ 150ଥର ମୋବାଇଲ ଚେକ କରିଥାଆନ୍ତି । ସେହିପରି ଗୋଟିଏ ଦିନରେ 1 ଘଣ୍ଟା 29 ମିନିଟ ଗୀତ ଶୁଣୁଥିବା ବେଳେ 52 ମିନିଟ ଭିଡିଓ ଦେଖିବା ସହ ସପ୍ତାହରେ 23 ଘଣ୍ଟା କେବଳ ଟେକସ୍ଟିଂ ବା ମେସେଜିଙ୍ଗରେ ସମୟ ବିତାଇ ଥାଆନ୍ତି । ଯାହାକି ଯୁବପିଢିଙ୍କର ବୌଦ୍ଧିକ ବିକାଶ ତଥା ପାଠପଢାରେ ମଧ୍ୟ ବ୍ୟାଘାତ ସୃଷ୍ଟି କରିଥାଏ ବୋଲି ମାନସିକ ରୋଗ ବିଶେଷଜ୍ଞ ମତ ରଖିଛନ୍ତି ।

କେବଳ ଏତିକି ନୁହେଁ, ଭାରତର 9ଟି ପ୍ରମୁଖ ସହରର 18ରୁ 55 ବର୍ଷ ମଧ୍ୟରେ 1648 ଜଣ ମହିଳା ଓ ପୁରୁଷଙ୍କୁ ନେଇ କରାଯାଇଥିବା ସର୍ଭେ ହୋଇଥିଲା । ଆଉ ସେମାନଙ୍କ ମଧ୍ୟରୁ 47 ପ୍ରତିଶତ ଲୋକ ନିଜେ ମାନିଲେ ଯେ ସେମାନେ ମାତ୍ରାଧିକ ସମୟ ମୋବାଇଲ ବ୍ୟବହାର କରୁଛନ୍ତି । 62 ପ୍ରତିଶତ ଲୋକ କହିଲେ ଯେ ସେମାନେ ଖାଇବା ସମୟରେ ମଧ୍ୟ ମୋବାଇଲ ଠାରୁ ଅଲଗା ହୋଇରହିପାରନ୍ତି ନାହିଁ । ଆଉ ପ୍ରତି 5ଜଣରୁ ଜଣେ ଅଧିକ ସମୟ ଯାଏଁ ସୋସିଆଲ ମିଡିଆ ବ୍ୟବହାର କରିବା ଦ୍ୱାରା ଥକା ଅନୁଭବ କରନ୍ତି । ଅନେକ ଲୋକ ଏମିତି ଅଛନ୍ତି, ଯେଉଁମାନେ କି କମ୍ପ୍ୟୁଟର, ସ୍ମାର୍ଟଫୋନ ବା ଟାବଲେଟରେ ଦିନକୁ 7ରୁ 10 ଘଣ୍ଟା ପର୍ଯ୍ୟନ୍ତ କାମ କରିବା ଦ୍ୱାରା ପିଠି ଦରଜର ଶିକାର ହୋଇଛନ୍ତି ।

ଏହାସହ 28 ପ୍ରତିଶତ ଲୋକଙ୍କର ଅବସାଦ ବା ଚିନ୍ତା ଓ ରାଗ ବୃଦ୍ଧି ପାଉଛି । 64 ପ୍ରତିଶତ ଲୋକଙ୍କର ସେକ୍ସ ଲାଇଫ ପ୍ରଭାବିତ ହୋଇଛି । ତେବେ ଆହୁରି ଚିନ୍ତା ଜନକ ବିଷୟ ଏହା ଯେ ଆମେମାନେ ମୋବାଇଲ ଓ ଇନଟରନେଟ ପ୍ରତି ଏତେ ମାତ୍ରାରେ ଆସକ୍ତ ହୋଇଗଲେଣି । ଯାହାଦ୍ୱାରା ଏହି କିଛି ଦିନ ହେବ ନୂଆ ନୂଆ ମାନସିକ ବ୍ୟାଧି ଦେଖାଦେଉଛି । ଯେମିତିକି ସୋସିଆଲ ମିଡିଆର କିଛି ଆକଟିଭିଟି ଆପଣ ମିସ କରୁନାହାନ୍ତି ତ । ତେଣୁ ସବୁବେଳେ ସୋସିଆଲ ମିଡିଆ ଚେକ କରୁଛନ୍ତି । ବେଳେ ବେଳେ ଏମିତି ଲାଗେ କି ମୋବାଇଲ ଫୋନ ପକେଟରେ ଭାଇବ୍ରେଟ ହେଉଛି ବା କଲ ଆସୁଛି । ହେଲେ ସେମିତି କିଛି ହୋଇନଥାଏ । ଆଉ ସବୁଠାରୁ କଷ୍ଟ ଦାୟକ ଅବସ୍ଥା ସେତେବେଳେ ସୃଷ୍ଟି ହୁଏ ଯେତେ ବେଳେ ଆମ ପାଖରୁ ନିଜ ମୋବାଇଲଟି ଅଲଗା ହୋଇଯାଏ । ଅର୍ଥାତ ଆପଣ ମୋବାଇଲ କେଉଁଠି ଭୁଲି ଯାଇଥାଆନ୍ତି କିମ୍ବା ସେଥିରୁ ଚାର୍ଜ ଶେଷ ହେବାଦ୍ୱାରା ମୋବାଇଲ ସୁଇଜଅଫ ହୋଇଯାଇଥାଏ ।

ଏହାକୁ ଡାକ୍ତରୀ ଭାଷାରେ ନୋମୋ-ଫୋବିଆ ବା ନୋ ମୋବାଇଲ ଫୋବିଆ କୁହାଯାଏ । ସେହିପରି ଆମ ସହିତ ଘଟୁଥିବା ପ୍ରତିଟି ଘଟଣା ଦୁର୍ଘଟଣାକୁ ଆମେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥାଆନ୍ତି । ହେଲେ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ କି କୌଣସି ପୋଷ୍ଟରେ ଲାଇକ ବା କମେଣ୍ଟ ନ ମିଳିଲେ ମନଦୁଃଖ କରିଥାଆନ୍ତି । ଆଉ ଏଗୁଡିକୁ ମାନସିକ ରୋଗ ବିଶେଷଜ୍ଞ ମଧ୍ୟ ସ୍ୱୀକାର କରିଛନ୍ତି । ଖାଲି ଏତିକି ନୁହେଁ ଗାଡି ଚଳାଇଲା ବେଳେ ମୋବାଇଲ ବ୍ୟବହାର କରିବା, ବିପଦଜନକ ସ୍ଥାନରେ ସେଲଫି ଉଠାଇବା ଯୋଗୁଁ ଆମ ଦେଶରେ ଦିନକୁ ଦିନ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି । ଏହାସହ ବ୍ଲୁ ହ୍ୱେଲ ଓ ଆଇସ ସଲ୍ଟ ଗେମ ଭଳି ମାରାତ୍ମାକ ଗେମ ଖେଳି ଅନେକ ପିଲାଙ୍କର ଜୀବନ ମଧ୍ୟ ଯାଇଛି ।

ମୋବାଇଲ, ଇନଟରନେଟ ଓ କମ୍ପୁଟର ଆଦିର ଅନିୟନ୍ତ୍ରିତ ବ୍ୟବହାର ଯେ କେବଳ ମାନସିକ ବିକାର ସୃଷ୍ଟି କରୁଛି ତାହା ନୁହେଁ ବିଭିନ୍ନ ଶାରିରୀକ ସମସ୍ୟା ମଧ୍ୟ ଦେଖାଦେଉଛି । ତେଣୁ ଏଗୁଡିକୁ ଯେତିକି ଆବଶ୍ୟକ ସେତିକି ହିଁ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ମାନସିକ ରୋଗ ବିଶେଷଜ୍ଞ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top