X
Breaking News
ନ୍ୟୁଜ୍

ପ୍ଲାଷ୍ଟିକ ବ୍ୟବହାର ବୃଦ୍ଧି ଯୋଗୁଁ କମୁଛି ମାଟି କାରିଗରୀର ଚାହିଦା ! କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି କାରିଗର

Soil.card_00000

କେନ୍ଦୁଝର: ବାହାଘର ହେଉ କି ପୂଜାପର୍ବାଣୀ । ସବୁଠି ଖୋଜାଯାଇଥାଏ ମାଟି ପାତ୍ର । ହେଲେ ଆଜିକାଲି ପ୍ଲାଷ୍ଟିକ ଏବଂ ଚାଇନା ଜିନିଷ ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ ମାଟି ପାତ୍ରର ଆଦର କମିବାରେ ଲାଗିଛି । କଞ୍ଚା ମାଲର ଅଭାବ ଓ ବେପାର ସମସ୍ୟା ନେଇ ନିଜର କୌଳିକ ବୃତ୍ତି ଛାଡିବାକୁ ବସିଲେଣି କୁମ୍ଭାର ।

କମୁଛି ମାଟି ପାତ୍ରର ଚାହିଦା । ପ୍ଲାଷ୍ଟିକ ମୁହାଁ ହେଉଛନ୍ତି ଲୋକ । ଫଳରେ କୁଳ ବେଉସା ଛାଡିବାକୁ ବସିଲେଣି କୁମ୍ଭାର । ଏ ହେଉଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ କେଶଦୁରାପାଳ ଗାଁର ସମସ୍ୟା । ଏଠାରେ ଶହେରୁ ଉର୍ଦ୍ଧ୍ୱ କୁମ୍ଭାର ପରିବାର ବସବାସ କରୁଛନ୍ତି । ମାଟିରେ ସୁନ୍ଦର ସୁନ୍ଦର ଜିନିଷ ତିଆରି କରି ପରିବାର ଚଳାଇଥାନ୍ତି ଏମାନେ । ହେଲେ ଏବେ ବର୍ଷ ବର୍ଷର ବେଉସା ବୁଡିବାକୁ ବସିଲାଣି । ପ୍ଲାଷ୍ଟିକ, ଷ୍ଟିଲ, ଚାଇନା ପାତ୍ର ଆଦିର ସାମଗ୍ରୀ ଯୋଗୁଁ ମାଟି ତିଆରି ଜିନିଷର ଚାହିଦା କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।

ଦିନଥିଲା ଏହି କେଶଦୁରାପାଳ ଗାଁର ମାଟି ତିଆରି ସାମଗ୍ରୀର ଚାହିଦା ଖଣ୍ଡମଣ୍ଡଳରେ ଥିଲା । ମାଟିରେ ହାଣ୍ଡି, ମାଠିଆ, ସୁରେଇ, ଫୁଲକୁଣ୍ଡ, ଘୋଡ଼ା, ଦୀପ ଭଳି ବିଭିନ୍ନ ଜିନିଷ ତିଆରି କରି ନିକଟସ୍ଥ ବଜାରରେ ଏହାକୁ ବିକ୍ରି କରିଥାନ୍ତି । କିନ୍ତୁ କୁମ୍ଭାରମାନଙ୍କୁ ସେମାନଙ୍କ ଜିନିଷର ଉଚିତ ମୂଲ୍ୟ ମିଳିପାରୁନଥିବା ବେଳେ ଜାଳେଣିର ସମସ୍ୟା ଦେଖାଦେଇଛି । ଆଗକୁ ସରକାରୀ ପ୍ରୋତ୍ସାହନ ନମିଳିଲେ କାରିଗରମାନେ ବାଧ୍ୟ ହୋଇ ନିଜର କୌଳିକ ବୃତ୍ତି ଛାଡିବେ ବୋଲି ପ୍ରକାଶ କରିଛନ୍ତି । ମାଟି କାରିଗରମାନଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ନଦେଲେ ଏହି ପାରମ୍ପରିକ ଶିଳ୍ପ ଯେ, ଲୋପ ପାଇବ ସେଥିରେ ସନ୍ଦେହ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top