ଦେଶ

ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

Mohan-Bhagwat and Pranab Mukherjee
pc kannada.ap2tg.com

ନାଗପୁର: ବହୁ ବାଦ ବିବାଦ ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ନାଗପୁର ମୁଖ୍ୟ କାର୍ଯ୍ୟାଳୟରେ ପହଁଚିଛନ୍ତି । ସଂଧ୍ୟାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ନାଗପୁର ବିମାନବନ୍ଦରରେ ଜୋରଦାର ସ୍ୱାଗତ କରିଛନ୍ତି ଆରଏସ୍‌ଏସ୍‌ କାର୍ଯ୍ୟକର୍ତା । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସଂଧ୍ୟାରେ ମୁଖ୍ୟ କାର୍ଯ୍ୟାଳୟ ବୁଲିବା ସହ ଗୁରବାର ସଂଘ ଶିକ୍ଷାବର୍ଗର ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥିଭାବେ ଆରଏସ୍ଏସ୍ ମୁଖ୍ୟ ତଥା ସର ସଂଘଚାଳକ ମୋହନ ଭାଗବତଙ୍କ ସହ ଉପସ୍ଥିତ ରହିବେ ।

ଆରଏସ୍‌ଏସ୍‌ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଯୋଗଦେବାକୁ ନେଇ କଂଗ୍ରେସ ନେତାମାନେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ୩୦ରୁ ଅଧିକ ବରିଷ୍ଠ କଂଗ୍ରେସ ନେତା ଆରଏସ୍‌ଏସ୍‌ର କାର୍ଯ୍ୟକ୍ରମରେ ଯୋଗନଦେବାକୁ ଅନୁରୋଧ କରି ଚିଠି ଲେଖିଥିଲେ । ପୂର୍ବ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍, ଜୟରାମ ରମେଶ, ସିକେ ଜାଫର୍‌ ସରିଫ୍‌ଙ୍କ ଭଳି ବହୁ କଂଗ୍ରେସ ନେତା ବ୍ୟକ୍ତିଗତ ଭାବେ ପ୍ରଣବ ମୁଖାର୍ଜୀଙ୍କୁ ପତ୍ର ଲେଖି ଏଭଳି କାର୍ଯ୍ୟକ୍ରମରେ ଯୋଗନଦେବା ପାଇଁ ଅନୁରୋଧ କରିଥିଲେ । ଏଭଳିକି ବହୁ କଂଗ୍ରେସ ନେତା ଗଣମାଧ୍ୟମ ସହାୟତାରେ ଏଭଳି କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀ ଯୋଗଦେବା ଉଚିତ ହେବ ନାହିଁ ବୋଲି କହିଥିଲେ ।

Pranab Mukharji

Courtesy: http://www.sify.com/

ତେବେ ଏହାକୁ ନେଇ ପ୍ରଣବ ମୁଖାର୍ଜୀ କହିଥିଲେ ନିଷ୍ପତି ନେବାର ଅଧିକାର କେବଳ ତାଙ୍କର ରହିଛି ଏବଂ ସେ କେଉଁଠିକି ଯିବେ ତାହା ତାଙ୍କ ଇଛା ଉପରେ ନିର୍ଭର କରେ । ଯାହା କହିବା କଥା ସେ ନିଜର ବକ୍ତବ୍ୟ ମାଧ୍ୟମରେ ସେହି କାର୍ଯ୍ୟକ୍ରମରେ କହିବେ ବୋଲି ରୋକଠୋକ ଜବାବ ଦେଇଥିଲେ । ସଂଘ ଶିକ୍ଷାବର୍ଗରେ ଦେଶର ବିଭିନ୍ନ ପ୍ରାନ୍ତରୁ ୭୦୦ରୁ ଅଧିକ ଯୁବ ସ୍ୱୟଂ ସେବକ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଯୁବ ଡାକ୍ତର, ଯୁବ ଓକିଲ, ଇଂଜିନିୟର ଏବଂ ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବକମାନେ ମଧ୍ୟ ଅଛନ୍ତି । ସଂଘ ଶିକ୍ଷାବର୍ଗରେ ମାସେ କାଳ ଶାରୀରିକ, ବୌଦ୍ଧିକ ଓ ଆତ୍ମିକ ଶିକ୍ଷା ନେଇଥାନ୍ତି ଏହି ସ୍ୱୟଂ ସେବକମାନେ ।

କଂଗ୍ରେସ ପକ୍ଷରୁ ଆରଏସ୍‌ଏସ୍‌ର ବିଚାରଧାରାକୁ ସର୍ବଦା ଆକ୍ଷେପ କରାଯାଇଛି । କଂଗ୍ରେସ ନେତାମାନେ ଆରଏସ୍‌ଏସ୍‌କୁ ରାଜନୈତିକ ଭାବେ ଟାର୍ଗେଟ କରୁଥିବାରୁ ଏହି କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀଙ୍କ ଯୋଗଦାନକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ଅନେକ କଂଗ୍ରେସ ନେତା । ଆରଏସ୍‌ଏସ୍‌ କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀ ଯୋଗଦେଲେ ଏହା ରାଜନୈତିକସ୍ତରରେ ବିଜେପିକୁ ସାହାଯ୍ୟ କରିବା ନେଇ ଧାରଣା ସେମାନଙ୍କର ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସମୟରୁ ଯେତେଥର କଂଗ୍ରେସ କେନ୍ଦ୍ରରେ ସରକାର ଗଠନ କରିଛି ସବୁ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି ପ୍ରଣବ ମୁଖାର୍ଜୀ । ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ଏହି ବରିଷ୍ଠ ନେତା ଆରଏସ୍‌ଏସ୍‌ର ଉତ୍ସବରେ ଯୋଗଦେବା ଦେଶରେ ଚାଲିଥିବା ବର୍ତ୍ତମାନ ରାଜନୀତିରେ ବିଶେଷ ପ୍ରଭାବ ପକାଇବାର ସମ୍ଭାବନା ଥିବା ରାଜନୀତି ବିଶାରଦଙ୍କ ମହଲରେ ଚର୍ଚ୍ଚା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top