ଅପରାଧ

ନକଲି ସୋରିଷ ତେଲ କାରଖାନା ଠାବ

ମୟୂରଭଞ୍ଜ:  ସାବଧାନ ! ସୋରିଷ ତେଲ ଏବେ ବିଷ ! ଏକଥା ଆମେ କହୁନୁ, ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ । କିଛି ଅସାଧୁ ଲୋକ ସୋରିଷ ତେଲରେ ଅପମିଶ୍ରଣ କରି ଲାଭ ପାଇବା ପାଇଁ ଉପାନ୍ତ ଅଞ୍ଚଳରେ ବିକ୍ରୀ କରୁଥିଲେ । ଲାଭ ପାଇବା ପାଇଁ ନିରୀହ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଏମାନେ । ତେବେ ଏନେଇ ବିଶେଷସୂତ୍ରରୁ ଖବର ପାଇ ପୋଲିସ୍ ଚଢାଉ କରିବା ପରେ ସାମ୍ନାକୁ ଆସିଛି ପୁରା ଘଟଣା । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନ ସ୍ଥାନୀୟ ଏନଏସି ୧୨ ନଂ ୱାର୍ଡରେ ଚାଲିଥିଲା ଏହି ନକଲି ସୋରିଷ ତେଲ କାରଖାନାକୁ ସିଲ୍ କରିଛି ଉଦଳା ପୋଲିସ୍ ।

ବିଶେଷସୂତ୍ରରୁ ଖବର ପାଇବା ପରେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ପୋଲିସ୍ ଚଢାଉ କରିଛି ଏହି ନକଲି ସୋରିଷ ତେଲ କାରଖାନା ଉପରେ । ଏହି କାରଖାନାର ମାଲିକ ଗୌରାଙ୍ଗ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖିଛି ପୋଲିସ୍ । ବାଲେଶ୍ୱର ଜିଲ୍ଲା ସେରଗଡରୁ ରାଇସ୍ ଅଏଲ ଆଣି ତାହାକୁ ରାଇଏ ବ୍ରାଣ୍ଡ ତେଲରେ ପ୍ୟାକିଂ କରି ବିକ୍ରୀ କରିବାକୁ ତାଙ୍କୁ ଅନୁମତି ମିଳିଥିବା କାରଖାନା ମାଲିକ କହୁଛନ୍ତି ।

ହେଲେ କାରଖାନା ମାଲିକ ଗୌରାଙ୍ଗ ରାଇସ୍ ଅଏଲକୁ ଆଣି ତାହାକୁ ଅପମିଶ୍ରଣ କରି ସୋରିଷ ତେଲ ତିଆରି କରୁଥିଲେ । ବଂଶୀ ଲାଲ ନାମରେ ସୋରିଷ ତେଲ ବ୍ରାଣ୍ଡ କରି ବଜାରକୁ ଛାଡିଥିଲେ । ଏହି ସୋରିଷ ତେଲକୁ ରଙ୍ଗ କରିବା ନିମନ୍ତେ ଏକ ବିଶେଷ ସାମଗ୍ରୀର ବ୍ୟବହାର କରାଯାଉଥିଲା ଯାହାକି ତେଲର ରଙ୍ଗକୁ ଅଧିକ ଲାଲ କରୁଥିଲା । ଏହି ଚଢାଉ ସମୟରେ ପୋଲିସ୍ ପାଖାପାଖି ୫ ହଜାର ଲିଟର ତେଲ ଜବତ କରିବା ସହିତ ପ୍ୟାକିଂ ହୋଇ ବିକ୍ରୀ ନିମନ୍ତେ ଥିବା ତେଲକୁ ଜବତ କରିଛି । ସବୁଠାରୁ ବଡ କଥା ହେଲା, ଏହି ନକଲି ତେଲକୁ ବିକ୍ରୀ ନିମନ୍ତେ କାରଖାନା ମାଲିକ ଜଣକ ଉଦଳା ବଜାରକୁ ଛାଡିବା ପରିବର୍ତ୍ତେ ଉପାନ୍ତ ଅଂଚଳକୁ ପଠାଇଥିବା କହିଛନ୍ତି । ବିଶେଷକରି ଶରତ ଏବଂ ବାଲେଶ୍ୱର ଜିଲ୍ଲା ସଜନାଗଡ ଅଂଚଳକୁ ଏହି ତେଲ ବିକ୍ରୀ ନିମନ୍ତେ ପଠାଯାଇଥିବା ଜଣାଯାଇଛି ।

ଏହି ଚଢାଉ ସମୟରେ ତେଲ ସମେତ ଖାଲି ବୋତଲ, ଠିପି, ତେଲରେ ମିଶୁଥିବା ସାମଗ୍ରୀକୁ ପୋଲିସ୍ ଜବତ କରିଛି । ତେବେ ଥାନା ଠାରୁ ମାତ୍ର ଦେଢ କିଲୋମିଟର ଦୂରରେ ଆଜକୁ ଚାରିମାସ ହେବ ଏହି ନକଲି କାରଖାନା ଚାଲିଥିଲେ ସୁଦ୍ଧା ସ୍ଥାନୀୟ ପୋଲିସ୍ କିମ୍ବା ଖାଉଟି ବିଭାଗ ଏହାର ଖବର ପାଇ ପାରି ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top