ନ୍ୟୁଜ୍

ଠକାମିର ଶିକାର ହେଉଛନ୍ତି ଚାଷୀ, କୃଷି ବିଭାଗ ସବୁ ଜାଣି ବି ଚୁପ୍‌ ବସିଛି !

Farmer

ଭଦ୍ରକ: ରାଜ୍ୟରେ ଚାଷୀ ପ୍ରସଙ୍ଗ ନେଇ ସବୁବେଳେ ରାଜନୀତି ମାହୋଲ ସରଗରମ ରହିଥାଏ । ସବୁ ରାଜନୈତିକ ଦଳ ଚାଷୀଙ୍କ ସମସ୍ୟା କଥା କହି ବାହାବାହା ସାଉଁଟିବାକୁ ଚାହିଁ ବସିଛନ୍ତି । ଅନ୍ୟପଟେ ବିଧାନସଭାରେ ମଧ୍ୟ ଚାଷୀଙ୍କ ସମସ୍ୟା ନେଇ ବିରୋଧୀ ଦଳର ହୋ-ହଲ୍ଲା ଦେଖିବାକୁ ମିଳୁଛି ।

ତେବେ ରାଜ୍ୟରେ କେତେ ଜଣ ଚାଷୀ ରହିଛନ୍ତି ଏବଂ କିଏ ଭାଗ ଚାଷୀ କିଏ ଭୂମି ହୀନ ଚାଷୀ ସେନେଇ ଏବେ ସୁଦ୍ଧା ସରକାରଙ୍କ ପାଖରେ ସଠିକ୍‌ ହିସାବ ନାହିଁ । ତେଣୁ ଅନେକ ପ୍ରକୃତ ଚାଷୀ ବା ହିତାଧିକାରୀ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଥିବା ବେଳେ ଅନେକ ସ୍ଥାନରେ ମିଛ ହିତାଧିକାରୀ ସରକାରୀ ଯୋଜନାର ଲାଭ ଉଠାଉଛନ୍ତି । ଏଭଳି ପରିସ୍ଥିତିରେ କିନ୍ତୁ ଚାଷୀଙ୍କୁ ଠକିବାକୁ ବାହାରିଛି ଏକ ନୂଆ ସଂସ୍ଥା ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳିରେ କିଛି ଦିନ ହେବ ବିଭିନ୍ନ ଦଲାଲ ସକ୍ରିୟ ହୋଇ ଉଠିଛନ୍ତି । ଏହି ଦଲାଲ ଟାର୍ଗେଟ କରୁଛନ୍ତି କେବଳ ଚାଷୀମାନଙ୍କୁ । ଗାଁ ଗାଁ ବୁଲି ବିଭିନ୍ନ ଚାଷୀଙ୍କ ଘରେ ପହଞ୍ଚି ସେମାନଙ୍କ ପାଇଁ ଚାଷୀ କାର୍ଡ ବା ଫର୍ମର କାର୍ଡ କରାଇଦେବେ କହି 100ରୁ 200 ନେଉଛନ୍ତି । ଏହି ଚାଷୀ କାର୍ଡ ପାଇଁ ସେମାନେ ପ୍ରତ୍ୟେକ ଚାଷୀଙ୍କଠାରୁ ଆଧାରକାର୍ଡ, ବ୍ୟାଙ୍କ ଖାତାର ନକଲ ଓ ଫଟୋ ନେଉଛନ୍ତି । ଖାଲି ସେତିକି ନୁହେଁ ଏହି ସବୁ ତଥ୍ୟ ନେବା ପରେ ଏକ ଜାଲ୍‌ ଚାଷୀ କାର୍ଡ ଆଣି ଚାଷୀଙ୍କୁ ଦେଉଛନ୍ତି । ଏହି କାର୍ଡ ଦ୍ୱାରା ସରକାରୀ ଯୋଜନାର ଫାଇଦା ପାଇପାରିବେ ବୋଲି ସେମାନେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଏହି କାର୍ଡ ଦେଖିବାକୁ ଅବିକଳ କେନ୍ଦ୍ର ସରକାରଙ୍କ ଫାର୍ମର ଆଇଡି କାର୍ଡ ଭଳି ।

ସବୁଠାରୁ ବଡ଼ କଥା ହେଲା କୃଷି ବିଭାଗ ନିକଟରେ ଏନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏହା ସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଉ ନାହିଁ । ଏହି ଜାଲ ଚାଷୀ କାର୍ଡ କାରବାର କେବଳ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ନୁହେଁ ଏହାର ଚେର ଏବେ ସାରା ଓଡ଼ିଶାରେ ବ୍ୟାପିଛି ବୋଲି ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top