ନ୍ୟୁଜ୍

ବାତ୍ୟା ବୁଲବୁଲକୁ ଭୟ ନାହିଁ ? ସରକାରଙ୍କ ପାରିବା ପଣିଆକୁ ନେଇ ଚିନ୍ତାରେ ଚାଷୀକୂଳ !

ପୁରୀ: ବାତ୍ୟା ‘ବୁଲବୁଲ’ ପ୍ରଭାବ ଯଦିଓ ଓଡ଼ିଶା ଉପରେ ଆଂଶିକ ପଡ଼ିବ କିନ୍ତୁ ଚାଷୀଙ୍କ ମନରେ ଛନକା ପଶିଛି । କିଛି ଧାନ ପାଚିବାକୁ ଥିବା ବେଳେ କିଛି ଏବେ ଅମଳ ଅପେକ୍ଷାରେ । କିନ୍ତୁ ପ୍ରତି ବର୍ଷ ପରି ଏଥର ମଧ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା ଚାଷୀଙ୍କୁ ଡରାଉଛି । କ୍ଷେତରୁ ଧାନ ଆଣିହେବ ନା ରକ୍ଷା କରିହେବ । ଏହାକୁ ନେଇ ସାରା ରାଜ୍ୟର ଚାଷୀକୂଳ ଚିନ୍ତାରେ ଥିବା ବେଳେ ପୁରୀ ଚାଷୀ ବ୍ୟସ୍ତ ହୋଇପଡ଼ିଛନ୍ତି ।

ଏକଥା ସତ ଯେ ପ୍ରାକୃତିକ ବିପର୍ଯ୍ୟୟ କାହା ନିୟନ୍ତ୍ରଣରେ ନଥାଏ । ହେଲେ ପାଣିପାଗ ବିଭାଗର ପ୍ରାକ ସୂଚନା ଦ୍ୱାରା ସରକାର ପୂର୍ବ ପ୍ରସ୍ତୁତି ମୁତାବକ ଜନସାଧାରଣଙ୍କୁ ପରାମର୍ଶ ଦେବା ସହ ଭୟଭୀତ ନହୋଇ କିପରି ବନ୍ୟା ବାତ୍ୟାକୁ ସାମ୍ନା କରି ନିଜକୁ ସୁରକ୍ଷିତ ରଖିବେ ସେଥିପ୍ରତି ଧ୍ୟାନ ଦେବେ । ସରକାରୀ ସ୍ତରରେ ତତ୍ପରତା ଦେଖାଯିବା ଦରକାର ଓ ପରେ କ୍ଷୟକ୍ଷତିର ସଠିକ ଆକଳନ, ପ୍ରୋତ୍ସାହନ ରାଶି ପ୍ରଦାନ ଇତ୍ୟାଦି ନିହାତି ଆବଶ୍ୟକ କିନ୍ତୁ ବାସ୍ତବରେ ସେମିତି କିଛି ହେଉନଥିବା ଅଭିଯୋଗ କରିଛନ୍ତି କିଛି କ୍ଷତିଗ୍ରସ୍ତ ଚାଷୀ ।

ଫାଇଲିନ, ହୁଡହୁଡ, ତିତଲି, ଫୋନି ଭଳି ବାତ୍ୟାର ପ୍ରଭାବରେ ଚାଷୀ ମାନଙ୍କ ଜୀବନ ବହୁଳ ଭାବେ ପ୍ରଭାବିତ ହୋଇଥିବା ବେଳେ ବର୍ତମାନ ବାତ୍ୟା ବୁଲବୁଲ ଆଗମନର ପ୍ରାକ ସୂଚନା ଓ ଗଣମାଧ୍ୟମରେ ପ୍ରସାରିତ ଖବରକୁ ନେଇ ଚାଷୀ ଏବେ ଘୋର ଚିନ୍ତାରେ । ଲଗାଣ ବର୍ଷାରେ ପନିପରିବା ଫସଲ ସମ୍ପୂର୍ଣ୍ଣ କ୍ଷତି ହୋଇଥିବା ବେଳେ ଚାଷୀ ଧାନକୁ ଭରସା ରଖିଥିଲା କିନ୍ତୁ ଏବେ ବୁଲବୁଲକୁ ନେଇ ଆତଙ୍କିତ ଚାଷୀ । କଣ ହେବ ତାର ଭବିଷ୍ୟତ । କଣ ଖାଇବେ ପିଲାମାନେ । କେମିତି ଭରଣପୋଷଣ ହେବ ତାଙ୍କ ପରିବାରର । ଏମିତି ଅନେକ ଆଶଙ୍କା ଭିତରେ ଚାଷୀ !

ଅଞ୍ଚଳର କିଛି ଯୁବ ଚାଷୀଙ୍କ କହିବା କଥା ଯେ  ଏଠି କେବଳ କାଗଜ କଲମରେ କ୍ଷୟକ୍ଷତିର ଆକଳନ ହୋଇ ଫାଇଲ ଭିତରେ ସୀମିତ ରହିଯାଏ । ପ୍ରକୃତରେ ଚାଷୀ କିଛି ପାଏନାହିଁ । ଯଦି ଆଜି ଚାଷୀ ତିଷ୍ଠି ରହିଛି ତାହା ନିଜ ପ୍ରଚେଷ୍ଟାରେ । ଯାହା ବି ଯୋଜନା ହୋଇଛି ତାହା କେବଳ ଲୋକ ଦେଖାଣିଆ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଗ୍ୟ ବିବେଚନା କରି ସରକାରୀ ଅନୁଦାନ ଦେବା ଏହା ସରକାରଙ୍କ ପରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବାତ୍ୟା ଆଶଙ୍କାରେ ଚାଷୀ ପରିବାରର ସମସ୍ତେ ଲାଗିପଡ଼ି ଜମିରୁ ଧାନ ଅମଳ କରିବାରେ ବ୍ୟସ୍ତ ଥିବା ବେଳେ କୃଷି ଅଧିକାରୀମାନଙ୍କ ଅବହେଳା ଚାଷୀଙ୍କୁ ହତାଶ କରିଛି  । ବର୍ତ୍ତମାନ ଜମିରେ ପାଚିଲାଧାନ ଫସଲର ଲହରୀ କିନ୍ତୁ ବୁଲବୁଲ ପ୍ରଭାବରେ କଣ ହେବ ତାହା ଏବେ ଚିନ୍ତାର ବିଷୟ ।  ସରକାରୀ ଅନୁଦାନ ଚାଷୀଙ୍କ ପାଇଁ ସାତସ୍ୱପ୍ନ ଥିବାବେଳେ ପ୍ରାକୃତିକ ବିପର୍ଯ୍ୟୟ ଚାଷୀଙ୍କୁ ଅସ୍ତବ୍ୟସ୍ତ କରି ଜୀବନ ଜୀବିକା ଉପରେ ଘୋର ପ୍ରଭାବ ପକାଉଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି ।

ଯଦି ସରକାର ଆମ ଚାଷୀକୂଳକୁ ସାହାଯ୍ୟ ସହାନୁଭୂତି ନଦେଖାନ୍ତି ତେବେ ଆଗାମୀ ଦିନରେ ସମୂହ ଚାଷୀ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।  ଏହା କେବଳ ପୁରୀ ଚାଷୀଙ୍କ ଚିନ୍ତା ନୁହେଁ ବରଂ ରାଜ୍ୟର ଚାଷୀକୂଳଙ୍କ ଚିନ୍ତା । ବୁଲବୁଲ କ୍ଷତି କରିବ କି ନାହିଁ ଯଦିଓ ଜଣାନାହିଁ କିନ୍ତୁ ପରବର୍ତ୍ତୀ ସମୟରେ ସରକାରଙ୍କ ଆଭିମୁଖ୍ୟ କଣ ରହିବ ସେନେଇ ଚିନ୍ତାରେ ଚାଷୀକୂଳ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top