X
Breaking News
ନ୍ୟୁଜ୍

ସ୍ୱାଧୀନତା ସଂଗ୍ରାମୀ ରଘୁ-ଦିବାକରଙ୍କ ଗାଁ ଓ ପରିବାର ପ୍ରତି ରାଜ୍ୟ ସରକାରଙ୍କ ନିଘା ନାହିଁ !

Nayagarh

ନୟାଗଡ଼: ଓଡ଼ିଶା ପ୍ରଜା ଆନ୍ଦୋଳନର ଦୁଇ ମହାନ୍ ମୁକ୍ତି ଯୋଦ୍ଧା ହେଲେ ସଂଗ୍ରାମୀ ରଘୁ – ଦିବାକର । ୧୯୩୮ ମସିହାରେ ଓଡିଶାର ତତ୍କାଳୀନ ପୁରୀ ଜିଲ୍ଲା ରଣପୁର ଗଡଠାରେ ହୋଇଥିବା ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଇ ବେଜେଲ୍ ଗେଟ୍ ସାହେବଙ୍କ ହତ୍ୟା ମାମଲାରେ ଫାସୀ ପାଇଥିବା ଦେଶ ମାତୃକାର ଦୁଇ ବୀର ସଂଗ୍ରାମୀ ହେଉଛନ୍ତି ନୟାଗଡ ରଣପୁର ଗଡ ଅଧିନ ବନ୍ଧଭୁଇଁ ଗାଁ ର ରଘୁନାଥ ମହାନ୍ତି ଓ ଗଡବାଣିକିଲୋ ଗାଁ ର ଦିବାକର ପରିଡା । ଦିନେ ଶ୍ରେଣୀରେ ସହପାଠି ହୋଇ ପାଠ ପଢୁଥିବା ଏହି ଦୁଇବନ୍ଧୁ  ଦେଶ ମାତୃକା ପାଇଁ ବିହାରର ଭାଗପୁର ଜେଲରେ ଏକା ସାଙ୍ଗରେ ଫାଶୀ ଖୁଂଟରେ ଝୁଲିଥିଲେ । ହେଲେ , ଦେଶ ମାତୃକା ପାଇଁ ହସି ହସି ଜୀବନ ଦେଇଥିବା ଏହି ସଂଗ୍ରାମୀଙ୍କ ପରିବାରକୁ  ଆଜି ସ୍ୱାଧୀନତାର ୭୨  ବର୍ଷ ପରେ ମଧ୍ୟ କୈାଣସି ସରକାରୀ ସହାୟତା ଓ ସରକାରୀ ସୁବିଧା ସୁଯୋଗ ସାତ ସପନ ହୋଇରହିଛି । ପ୍ରଜା ଅନ୍ଦୋଳନରେ ନିଜର ସମସ୍ତ ପୈତୃକ ସଂପତି ଲଗାଇଦେଇ ଦେଶର ମୁକ୍ତି ସଂଗ୍ରାମରେ ଝାସ ଦେଇଥିବା ବିପ୍ଲବୀ ରଘୁ ମହାନ୍ତିଙ୍କ ପରିବାର ଏବେବି  ଅସହାୟ ଭଳି ପଲିଥିନ୍ ତଳେ ଏକ ଭଙ୍ଗା ଟାଇଲ୍ ଘରେ ଜୀବନ ବିତାଉଛନ୍ତି ।

ବହୁ ଅଭାବ ଅସୁବିଧା ଭିତରେ ଜୀବନ ବିତାଉଥିବା ସହୀଦ୍ ରଘୁ ମହାନ୍ତିଙ୍କ ପରିବାର ନିଜର ଏହି ଅଭାବ ଅସୁବିଧା ନେଇ ବାରମ୍ବାର ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଜି ଯାଏଁ ଏ ଦିଗରେ କୈାଣସି ସୁଫଳ ମିଳିପାରିନାହିଁ ।  ଅନ୍ୟପକ୍ଷେ ରଘୁ ଦିବାକରଙ୍କ ସ୍ମୃତି ରକ୍ଷା ଉଦେଶ୍ୟରେ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ସୁଦ୍ଧା ଏଯାଏଁ କୌଣସି ବି ପ୍ରତିଶ୍ରୁତି ପାଳନ ଦିଗରେ ସରକାର ପଦକ୍ଷେପ ନେଉନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି  । ଅପରପକ୍ଷେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସହିଦ ଗାଁକୁ ଆଜିଯାଏଁ ପକ୍କା ରାସ୍ତାଟିଏ ହୋଇପାରୁନଥିବାରୁ  ସହିଦ ଦିବାକର ପରିଡାଙ୍କ ପରିବାର  ମଧ୍ୟ ଏ ନେଇ ନିଜର  କ୍ଷୋଭ ପ୍ରକାଶ କରିଛନ୍ତି ।

କେବଳ ସାଧାରଣ ତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସରେ ସଂଗ୍ରାମୀଙ୍କ ସ୍ମୃତିଚାରଣ କରୁଥିବା ସରକାର ଯେ ବାସ୍ତବ ପକ୍ଷେ ସଂଗ୍ରାମୀଙ୍କ ଜନ୍ମମାଟି ଓ ପରିବାର ପ୍ରତି ଥିବା ନିଜର ଦାୟିତ୍ୱବୋଧ ଭୁଲିଯାଇଛନ୍ତି , ସହୀଦ  ରଘୁ-ଦିବାକର ଗାଁ ଓ ପରିବାର ଏହାର ଏକ ଜ୍ୱଳନ୍ତ ଉଦାହରଣ । ଏଣୁ ସରକାର କେବେ ଏହି ଅବହେଳିତ ସହିଦ ପରିବାର ଓ  ସହିଦ ଗାଁର ବିକାଶ ଦିଗରେ ପଦକ୍ଷେପ ନେଉଛନ୍ତି , ତାହା ଦେଖିବାକୁ ବାକିରହିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top