ଖେଳ

Happy Birthday ‘ଦାଦା’: ସେହି ଗୋଟିଏ ଭୁଲ ଯାହାକି ଗାଙ୍ଗୁଲୀଙ୍କ କ୍ୟାରିୟର ନଷ୍ଟ କରିଦେଲା

Courtesy: www.indiatvnews.com

ଅର୍ଗସ ବ୍ୟୁରୋ: ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କ ଆଜି ହେଉଛି 47 ତମ ଜନ୍ମଦିନ । ସୌରଭ ଗାଙ୍ଗୁଲୀ ‘ଦାଦା’ ନାଁରେ ବେଶ ଜଣାଶୁଣା । ଦାଦା 8 ଜୁଲାଇ 1972ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ ।  ସୌରଭ ଗାଙ୍ଗୁଲୀ ଯିଏକି ବିବାଦରେ ଫସିଥିବା ଟିମ୍‌ ଇଣ୍ଡିଆକୁ ମୁକୁଳାଇବା ସହ ବିଶ୍ୱକପ୍‌ର ଫାଇନାଲ ପର୍ଯ୍ୟନ୍ତ ନେଇଥିଲେ । ଗାଙ୍ଗୁଲୀ ଯିଏକି ଲର୍ଡସ୍‌ରେ ନିଜର ତାକତ ଦୁନିଆକୁ ଦେଖାଇଥିଲେ । ବହୁ ଚାମ୍ପିୟନ ପ୍ଲେୟରଙ୍କୁ ଦଳରେ ଚାନ୍ସ ଦେବା ସହ ଭାରତୀୟ ଟିମ୍‌ର ରୂପରେଖ ପରିବର୍ତ୍ତନ କରିଦେଇଥିଲେ । 47 ବର୍ଷୀୟ ଗାଙ୍ଗୁଲୀ ନିଜର ଏକ ଭୁଲ ପାଇଁ ବହୁ ସମାଲୋଚନାର ଶିକାର ହୋଇଥିଲେ ।

ସେହି ଗୋଟିଏ ଭୁଲ ଯାହାକି କେବଳ ଗାଙ୍ଗୁଲୀଙ୍କ କ୍ୟାରିୟର ନଷ୍ଟ କରି ନଥିଲା ବରଂ ଟିମ୍‌ ଇଣ୍ଡିଆକୁ ତଳିତଳାନ୍ତ କରିପକାଇଥିଲା । ଆସନ୍ତୁ ଜାଣିବା ଦାଦାଙ୍କ ଭୁଲ କଣ ଥିଲା…

କୁହାଯାଏ ଗାଙ୍ଗୁଲୀ ପ୍ରଥମ ଦେଖାରେ ଲୋକଙ୍କ ପ୍ରତିଭାକୁ ଚିହ୍ନିପାରନ୍ତି । କିନ୍ତୁ 2004ରେ ଜଣେ ବ୍ୟକ୍ତିଙ୍କୁ ଚିହ୍ନିବାରେ ଭୁଲ କରିଦେଇଥିଲେ ଦାଦା । ସେହି କ୍ୟାପ୍ଟେନ ଯାହାର ନିଷ୍ପତ୍ତି ଖେଳର ଦିଗ ପରିବର୍ତ୍ତନ କରିଦେଉଥିଲା କିନ୍ତୁ ସେହି ନିଷ୍ପତ୍ତିର ଶିକାର ହୋଇଗଲେ ନିଜେ । 2004ରେ କୋଚ୍‌ ଜନ ରାଇଟ୍‌ ଯିବା ପରେ ଗାଙ୍ଗୁଲୀଙ୍କ ପରାମର୍ଶ କ୍ରମେ ଗ୍ରେଗ୍‌ ଚ୍ୟାପେଲଙ୍କୁ ଭାରତୀୟ ଟିମ୍‌ର କୋଚ୍‌ ରଖାଗଲା । ଗାଙ୍ଗୁଲୀ ନିଜର ଆତ୍ମକଥା ‘ଏ ସେଞ୍ଚୁରି ଇଜ୍‌ ନଟ୍‌ ଇନାଫ୍‌’ରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି ।

ସେ ଲେଖିଛନ୍ତି, ‘ମୋତେ ଲାଗିଲା ଗ୍ରେଗ ଚ୍ୟାପେଲ୍‌ ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ଏକ ନମ୍ବର ସ୍ଥାନକୁ ନେଇଯିବା ପାଇଁ ସର୍ବଶ୍ରେଷ୍ଠ ବ୍ୟକ୍ତି । ମୁଁ ଜଗନମୋହନ ଡାଲମିଆଙ୍କୁ ମୋ ନିଷ୍ପତ୍ତି ଜଣାଇଦେଇଥିଲି । ଏପରି ନିଷ୍ପତ୍ତି ନନେବାକୁ କିଛି ବ୍ୟକ୍ତି ମୋତେ ପରାମର୍ଶ ଦେଇଥିଲେ । ସୁନୀଲ ଗାଭାସ୍କର ସେମାନଙ୍କ ମଧ୍ୟରେ ଜଣେ ଥିଲେ । ସେ କହିଥିଲେ.. ସୌରଭ ଏହା ଉପରେ ଆଉ ଥରେ ଚିନ୍ତା କର ।’

ଗାଙ୍ଗୁଲୀ କାହାରି ପରାମର୍ଶ ଶୁଣିନଥିଲେ । ଚ୍ୟାପେଲ ଟିମ୍‌ ଇଣ୍ଡିଆର କୋଚ୍‌ ହେଲେ । ସେ କେବଳ ଟିମ୍‌କୁ ଧୂଳିସାତ୍‌ କରି ନଥିଲେ ବରଂ ଗାଙ୍ଗୁଲୀଙ୍କ ପାଖରୁ କ୍ୟାପଟେନ୍‌ସିପ୍‌ ମଧ୍ୟ ଛଡ଼ାଇନେଇଥିଲେ । ପରିସ୍ଥିତି ଏଭଳି ହେଲା ଯେ 2007 ବିଶ୍ୱକପ୍‌ରେ ଟିମ୍‌ ବାଂଲାଦେଶ ପାଖରୁ ହାରି ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଥିଲା । ଗାଙ୍ଗୁଲୀ ମଧ୍ୟ ଏହା ଉପରେ ନିଜ ବହିରେ ଲେଖିଛନ୍ତି, ‘କ୍ୟାପଟେନ୍‌ସିପ୍‌ ଛଡ଼ାଇନେବା ଏକ ଆକସ୍ମିକ ଘଟଣା ଥିଲା । ଆପଣ ଦୁଃଖି ହେଉଥିବେ । ମୋ ସହ ଯାହା ହେଲା ତାହା ଅନ୍ୟ କାହା ସହ ନହେବା ଉଚିତ ।’

କେବଳ ଗାଙ୍ଗୁଲୀ କାହିଁକି, ସଚିନ, ମୋହମ୍ମଦ କୈଫ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏପରିକି ଚ୍ୟାପେଲଙ୍କୁ ରିଙ୍ଗ ମାଷ୍ଟରର ଆଖ୍ୟା ଦେଇଥିଲେ ସଚ୍ଚିନ ।

ଚ୍ୟାପେଲଙ୍କୁ କୋଚ୍ ଭାବେ ଚୟନ କରିବାକୁ ଜୀବନର ଏକ ବଡ଼ ଭୁଲ ବୋଲି ଭାବନ୍ତି ଗାଙ୍ଗୁଲୀ । ଯଦି ଗ୍ରେଗ୍‌ ଚ୍ୟାପେଲ ଟିମ୍‌ ଇଣ୍ଡିଆ ସହ ଯୋଡ଼ି ହୋଇ ନଥାନ୍ତେ ତେବେ ଗାଙ୍ଗୁଲୀଙ୍କ କ୍ୟାରିୟର ହୁଏତ ଆହୁରି ଉଜ୍ଜ୍ୱଳ ହୋଇଥାନ୍ତା । ତାପରେ ବି ଟିମ୍‌ ଇଣ୍ଡିଆ ପ୍ରତି ଗାଙ୍ଗୁଲୀଙ୍କ ଅବଦାନ ଚିରସ୍ମରଣୀୟ । କେବେ ବି ହାର ମାନୁନଥିବା କ୍ୟାପ୍ଟେନର ଆଖ୍ୟା ମଧ୍ୟ ଦିଆଯାଏ ଗାଙ୍ଗୁଲୀଙ୍କୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top