ଧର୍ମ

ଆଜି ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ

ଅର୍ଗସ ବ୍ୟୁରୋ : ଆଜି ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ। ଏହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। ମହାବିଷୁବ ସଂକ୍ରାନ୍ତିରେ ଓଡ଼ିଶାରେ ହନୁମାନ ଜୟନ୍ତୀ ମଧ୍ୟ ପାଳନ ହୋଇଥାଏ। ଏହି ଦିନଠାରୁ ବସନ୍ତ ଋତୁ ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ବୈଶାଖ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଠାରୁ ସୌରମାନ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ। ଏହି ଦିନଠାରୁ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣା ପାନର ବ୍ୟବସ୍ଥା ମଧ୍ୟ ଅଛି। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିର ମାନଙ୍କରେ ପଣା ଭୋଗର ବିଧି ରହିଛି। ଏହି ଦିନ ସାହି ପଡ଼ିଶା, ବନ୍ଧୁବାନ୍ଧବ ମାନଙ୍କୁ ପଣା ଦିଆଯାଏ। ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ।

ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ। ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟ ଦଣ୍ଡୁଆ ବୋଲି କୁହାଯାଏ। ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି। ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ। ଓଡ଼ିଶାରେ ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା ଖୁବ୍ ପ୍ରସିଦ୍ଧ। ତେବେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଲକ୍ ଡାଉନ୍ କଟକଣା ଲାଗୁ ହୋଇଥିବା କାରଣରୁ ଦଣ୍ଡଯାତ୍ରା ବ୍ୟାପକ ରୂପରେ ପାଳନ କରାନଯାଇ କେବଳ ବିଧି ପାଳନ କରାଯାଉଛି।

ପଣା ସଂକ୍ରାନ୍ତି ପରଠାରୁ ବୃକ୍ଷ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ଏହି ଦିନ ଠାରୁ ତୁଳସୀ ବୃକ୍ଷ ଉପରେ ଛାମୁଣ୍ଡିଆ କରି ଏକ ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ଛିତ୍ର କରିଦିଆଯାଏ। ଏପରିକି ରାସ୍ତା କଡ଼ରେ ପଥିକଙ୍କ ପାଇଁ ଜଳଛତ୍ର ଖୋଲାଯାଏ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top