ନ୍ୟୁଜ୍

ଫିଲ୍ମ ଇଣ୍ଡଷ୍ଟ୍ରୀକୁ କୋରୋନା ମାଡ଼, ୮୦୦ କୋଟି କ୍ଷତି ସହୁଛି ବଲିଉଡ଼ !

ନୂଆଦିଲ୍ଲୀ : ସାରା ଦେଶରେ କାୟା ବିସ୍ତାର କରିଛି କୋରୋନା ମହାମାରୀ। ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୨ରେ ପହଁଚିଥିବା ବେଳେ ୨ ଜଣ ମୃତ୍ୟୁବରଣ କରିଛନ୍ତି। ଫଳରେ କେନ୍ଦ୍ର ସରକାର ଏହାକୁ ଆପତ୍ତିକାଳୀନ ସ୍ଥିତି ଘୋଷଣା କରିବା ସହ ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ, ସିନେମା ହଲ, ସପିଂ ମଲ ଆଦିକୁ ବନ୍ଦ କରିଛନ୍ତି। ଯାହାକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ସାଧାରଣ ଲୋକେ। ଦୂର ସ୍ଥାନକୁ ଯାତ୍ରା କରିବା ଦୂରର କଥା ଲୋକମାନେ ଘରୁ ମଧ୍ୟ ବାହାରକୁ ବାହାରୁ ନାହାଁନ୍ତି। ରାସ୍ତାଘାଟରେ ଯେପରି ଅଘୋଷିତ କର୍ଫ୍ୟୁ ଜାରି ହୋଇଛି। କେବଳ ସେତିକି ନୁହେଁ ଏହାର ପ୍ରଭାବ ଦେଶରେ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପଡ଼ିଛି। ଗତ ରବିବାର ଦ୍ଵିପ୍ରହର ୧୨ଟା ସୁଦ୍ଧା ସମଗ୍ର ଦେଶରେ ୩,୫୦୦ଟି ଥିଏଟର କୋରୋନା ଭୂତାଣୁ ଡରରେ ବନ୍ଦ କରାଯାଇଛି। ସିନେମା ହଲ ଗୁଡ଼ିକ ବନ୍ଦ ହେବା କାରଣରୁ ଟାଇଗର ଶ୍ରଫଙ୍କ ଫିଲ୍ମ “ବାଗୀ ୩” ଓ ଇରଫାନ୍ ଖାନଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡ଼ିଅମ” ବ୍ୟାପକ କ୍ଷତି ସହିଛି।

“ବାଗୀ ୩” ଓ “ଅଂଗ୍ରେଜୀ ମିଡ଼ିଅମ” ଉପରେ ପ୍ରଭାବ
ବାଗୀ ୩ର ନିର୍ଦ୍ଦେଶକ ଅହମଦ ଖାନ କହିଛନ୍ତି ଯେ, ବର୍ତ୍ତମାନର ସ୍ଥିତି ପାଇଁ ମୁଁ ଦୁଃଖିତ। ଫିଲ୍ମରୁ ଅଧିକ ମହତ୍ତ୍ଵପୂର୍ଣ୍ଣ ଲୋକଙ୍କ ସୁରକ୍ଷା। ତେବେ କୋରୋନା ପ୍ରଭାବ ସୁଦ୍ଧା ଫିଲ୍ମ ଏଯାଏଁ ଯେତିକି ବି ବ୍ୟବସାୟ କରିଛି ସେଥିରେ ସେ ସନ୍ତୁଷ୍ଟ।

୮୦୦ କୋଟିର କ୍ଷତି
ଟ୍ରେଡ୍ ଆନାଲିଷ୍ଟ କୋମଲ ନହାଟାଙ୍କ କହିବା ଅନୁଯାୟୀ, ବାଗୀ ୩ର ନିର୍ମାତା କୋରୋନା କାରଣରୁ ପ୍ରାୟ ୨୫-୩୦କୋଟି ଟଙ୍କାର କ୍ଷତି ସହିଛି। ଏତଦ୍ ବ୍ୟତୀତ ଇରଫାନ ଖାନଙ୍କ ଅଙ୍ଗ୍ରେଜୀ ମିଡ଼ିଅମ୍ ମଧ୍ୟ ବ୍ୟାପକ କ୍ଷତି ସହିଛି। ତେବେ ବଲିଉଡରେ ଫିଲ୍ମ ରିଲିଜ୍ ଏବଂ ଫିଲ୍ମ ଶୁଟିଂ ଟଳିବା କାରଣରୁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀ ୮୦୦ କୋଟି କ୍ଷତି ସହିଛି।

ମାର୍ଚ୍ଚ ୩୧ ଯାଏଁ ଟଳିଲା ସମସ୍ତ ଶୁଟିଂ
କୋରୋନା ଆତଙ୍କରେ ଗତ ସପ୍ତାହରେ ବ୍ରହ୍ମାସ୍ତ୍ରର ଶୁଟିଂ ରଦ୍ଦ କରାଯାଇଛି। ଏହି କ୍ରମରେ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୁଞ୍ଚିବ। ଏତଦ୍ ବ୍ୟତୀତ ଅକ୍ଷୟ-କ୍ୟାଟ୍ରିନାଙ୍କ ସୂର୍ଯ୍ୟବଂଶୀ ଏବଂ ରଣବୀର ସିଂହଙ୍କ ୮୩ ରିଲିଜ୍ ପୂର୍ବରୁ ଟାଳି ଦିଆଯାଇଛି। କୋରୋନା କାରଣରୁ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରୀ ମାର୍ଚ୍ଚ ୩୧ ଯାଏଁ ଶୁଟିଂ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top