ନ୍ୟୁଜ୍

ବିକ୍ରମକୁ ଠାବ କରିବାରେ ଓଡ଼ିଆ ପୁଅର ହାତ

vikram
Courtesy: gadgets.ndtv.com

ନୂଆଦିଲ୍ଲୀ:  ମିଳିଲା ଲ୍ୟାଣ୍ଡର ବିକ୍ରମର ସନ୍ଧାନ । ଏନେଇ ଫଟୋ ଜାରି କରିଛି ନାସା । ନାସା ମୁନ ମିସନ ବିକ୍ରମ ଲ୍ୟାଣ୍ଡରର ଭଗ୍ନାବଶେଷ ପାଇଛି । ଆଉ ସବୁଠାରୁ ବଡ଼ କଥା ହେଉଛି ଏଥିରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଭାରତୀୟ ଯୁବ ଇଞ୍ଜିନିୟର ଶାନ୍‌ମୁଗା ସୁବ୍ରମଣିଆନ୍ ଓରଫ ଶାନ୍‌ । ବିକ୍ରମ କ୍ରାଶ୍‌ଲ୍ୟାଣ୍ଡ କରିବା ପୂର୍ବର ଏବଂ ପର ସମୟର ଫଟୋକୁ ତୁଳନାତ୍ମକ ଭାବେ ବାରମ୍ବାର ଦେଖି ଶାନ୍ ବିକ୍ରମର ଧ୍ୱଂସାବଶେଷକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଠାବ କରିପାରିଥିଲେ। । ମଙ୍ଗଳବାର ଏନେଇ ଏକ ପୋଷ୍ଟ କରି ନାସା ପକ୍ଷରୁ କୁହାଯାଇଥିଲା ଏହା ଭାରତର ବିକ୍ରମ ଲ୍ୟାଣ୍ଡରର ଧ୍ୱଂସାବଶେଷ ପାଇଛି। ବିକ୍ଷିପ୍ତ ହୋଇ ବିଭିନ୍ନ ସ୍ଥାନରେ ପଡ଼ିଥିବା ସ୍ଥାନକୁ ସୁବ୍ରମଣିଆନ୍ ଠାବ କରିବା ପରେ ଏହା ‘ଏସ୍‌’ କ୍ଷର ଦ୍ୱାରା ସୂଚିତ କରାଯାଇଥିଲା।

ସେପ୍ଟେମ୍ବର ୭ରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସେପ୍ଟେମ୍ବର ଶେଷ ସପ୍ତାହରେ ନାସାର ମୁନ ମିଶନ ସହାୟତାରେ ଫଟୋ ନିଆଯାଇଥିଲା । କିନ୍ତୁ ସେତେବେଳେ ଅନ୍ଧକାର ଥିବାରୁ ସ୍ପଷ୍ଟ ଦେଖାଯାଇନଥିଲା । ପୁଣି ଅକ୍ଟୋବର ନଭେମ୍ବର ମାସରେ ନାସା ମୁନ ମିଶନ ଆରମ୍ଭ ହୋଇଥିଲା । ତେବେ ନଭେମ୍ବରରେ ନିଆଯାଇଥିବା ଫଟୋରେ ବିକ୍ରମ ଲ୍ୟାଣ୍ଡରର ସ୍ପଷ୍ଟ ଚିତ୍ର ରହିଛି । ଚନ୍ଦ୍ରପୃଷ୍ଠରେ ଅବତରଣର ପୂର୍ବ ଓ ପର ଫଟୋ ଜାରି କରିଛି ନାସା । ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ଭାରତ ପାଇଁ ଏକ ଗୌରବର ବିଷୟ ।

ସୂଚନାନୁସାରେ, ନାସାର ଲୁନାର ରେକନାଇଜେସନ୍ ଅର୍ବିଟର (ଏଲ୍‌ଆରଓ) ମହାକାଶ ଯାନର ‘ଇମ୍ପାକ୍ଟ ଫିଲ୍ଡ’ ଏବଂ ଏହା ପାଖା ପାଖି ଅଞ୍ଚଳର ଫଟୋ ପଠାଇଛି। ବେଶ୍ କିଛି କିଲୋମିଟର ପରିବ୍ୟାପ୍ତ ଏହି ଅଞ୍ଚଳରେ ୨୪ରୁ ଊର୍ଦ୍ଧ୍ୱ ସ୍ଥାନରେ ବିକ୍ରମର ଧ୍ୱଂସାବଶେଷ ବିଛାଇ ହୋଇ ପଡ଼ିଛି। ମୁଖ୍ୟ ଲ୍ୟାଣ୍ଡିଂ ସ୍ଥଳଠାରୁ ୭୫୦ ମିଟର ଦୂରରେ ପଡ଼ିଥିବା ଏକ ଧ୍ୱଂସାବଶେଷ ପ୍ରଥମେ ଠାବ କରାଯାଇଥିଲା। ତେବେ ଏହି ଫଟୋସବୁ ଏବଂ ପୁରୁଣା ଫଟୋସବୁକୁ ଅନୁଶୀଳନ କରି ଶାନ୍ ଏଲ୍‌ଆରଓ ପ୍ରକଳ୍ପ ଟିମ୍‌କୁ ଧଳା ଚିହ୍ନିତ ସ୍ଥାନ ବାବଦରେ ସୂଚନା ଦେଇଥିଲେ। ଏହା ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠ ଯିବା ପୂର୍ବରୁ ନଥିଲା। ନାସା ପକ୍ଷରୁ କୁହାଯାଇଛି ଏଲ୍‌ଆରଓକୁ ପ୍ରଥମେ ଶାନ୍‌ଙ୍କଠାରୁ ସକାରାତ୍ମକ ବାର୍ତ୍ତା ଆସିଥିଲା। ଏହାପରେ ଟିମ୍ ନିଜେ ଗବେଷଣା ଆରମ୍ଭ କରି ଏହା ହିଁ ବିକ୍ରମର ଅବତରଣସ୍ଥଳ ବୋଲି ନିଶ୍ଚିତ କରିଥିଲା।

ଶାନ୍ ବେଶ କିଛି ଦିନ ଧରି ଚନ୍ଦ୍ରପୃଷ୍ଠର ଫଟୋସବୁକୁ ସ୍କାନ କରିଆସୁଥିଲେ। ସେ ଯଦିଓ କିଛି ସକାରାତ୍ମକ ତଥ୍ୟ ପାଇଥିବା ଟ୍ୱିଟରରେ ଘୋଷଣା ପୂର୍ବରୁ କରିଥିଲେ, ଟ୍ୱିଟର ବ୍ୟବହାରକାରୀମାନେ ଏହାକୁ ମିଛ ପ୍ରମାଣିତ କରିଆସିଥିଲେ। ତେବେ ସେ ରେଡ୍ଡିଟ୍ ଫୋରମ୍‌ରୁ ଲ୍ୟାଣ୍ଡିଂ ଲୋକେସନ୍ ଏବଂ ବିକ୍ରମ୍‌ର ମାର୍ଗ ବାବଦରେ ତଥ୍ୟ ପାଇଥିଲେ।

କିପରି ବିକ୍ରମର ଠିକଣା ପାଇଲେ ସେହି ବିଷୟରେ କହିବାକୁ ଯାଇ ଶାନ୍ କୁହନ୍ତି, “ମୁଁ ଅବତରଣସ୍ଥଳରୁ ପ୍ରଥମେ ୧ କିଲୋମିଟର ପରିଧି ମଧ୍ୟରେ ଏବଂ ପରେ ୨ ବର୍ଗ କିଲୋମିଟର ପରିଧି ମଧ୍ୟରେ ଖୋଜିବାକୁ ଆରମ୍ଭ କଲି। ମୁଁ ଉତ୍ତର ଦିଗରେ ଖୋଜିବାକୁ ଆରମ୍ଭ କଲି କାରଣ ବିକ୍ରମ ଉତ୍ତର ଦିଗରୁ ହିଁ ଅବତରଣ ସ୍ଥଳକୁ ଆଗେଇଥିଲା। ଏହାପରେ ମୁଁ ଗୁଡ଼ାଏ ଚିହ୍ନ ପାଇଥିଲେ ହେଁ ସେସବୁ ଭୁଲ ଥିଲା। ପରେ କିଛି ବିନ୍ଦୁ ଦେଖିବାକୁ ପାଇଥିଲି ଏବଂ ଗତ ୯ ବର୍ଷର ଚିତ୍ର ସହ ସେସବୁକୁ ମେଳାଇଥିଲି। ଯେତେବେଳେ ନିଶ୍ଚିତ ହେଲି, ତରୁନ୍ତ ନାସାକୁ ଜଣାଇଲି।”

ଶାନ୍ କହିଛନ୍ତି, ଅନ୍‌ଲାଇନ୍‌ରେ ଅନେକ ମହାକାଶ ଅନୁସନ୍ଧିତ୍ସୁ ଅଛନ୍ତି। ସେମାନଙ୍କୁ ଏକାଠି କରିବା ପାଇଁ ପ୍ରୟାସ ଦରକାର। ଛାତ୍ରମାନେ ଇସ୍ରୋ ଏବଂ ନାସା ପରି ସଂସ୍ଥାଙ୍କୁ ସାହାଯ୍ୟ କରି ଏଲ୍‌ଆରଓ ଇମେଜ୍‌ର ଡାଟାବେସ୍ ପ୍ରସ୍ତୁତ କରିବାକୁ ସେ ଆହ୍ୱାନ କରିଛନ୍ତି। ନାସା ପକ୍ଷରୁ ଶାନ୍‌ଙ୍କୁ ଏକ ମେଲ୍ ଯୋଗେ ଶ୍ରେୟ ଓ ଅଭିନନ୍ଦନ ଦିଆଯାଇଥିବାବେଳେ ଶେଷରେ ଲେଖାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top