ଦେଶ

ବିଶ୍ୱରେ ଭାରତକୁ ମିଳିଲା ବଡ଼ ନେତୃତ୍ୱ, UNSCର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ମିଳିଲା ବଡ଼ ନେତୃତ୍ୱ  । ବିଶ୍ୱ ସୁରକ୍ଷା ଓ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ନେବ ଅଗ୍ରଣୀ ଭୂମିକା  । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟଭାବେ ନିର୍ବାଚିତ ହୋଇଛି ଭାରତ । ଗତକାଲି ହୋଇଥିବା ଭୋଟିଂ ପ୍ରକ୍ରିୟାରେ ଜାତିସଂଘର  ୧୯୩ ଜଣ ସଦସ୍ୟଙ୍କ ମଧ୍ୟରୁ ଭାରତକୁ ଜୋରଦାର ସମର୍ଥନ ମିଳିଥିଲା  । ଜାତିସଂଘର ପ୍ରାୟ  ୧୮୪ଜଣଙ୍କ ସମର୍ଥନ ଭାରତ ସପକ୍ଷରେ ରହିଥିଲା  ।

ଭାରତ ଏସିଆ- ପ୍ରଶାନ୍ତ ମହାସାଗରୀୟ ଅଂଚଳରୁ ଗୋଟିଏ ସିଟ୍ ପାଇଁ ଏକମାତ୍ର ଦେଶ ଭାବେ ନିର୍ବାଚନରେ ସାମିଲ ହୋଇଥିଲା । ଗତ ଜୁନ୍ ମାସରେ ୫୫ଜଣିଆ ଏସିଆ-ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ମାନଙ୍କ ସର୍ବସମ୍ମତି କ୍ରମେ ଭାରତର ନାଁକୁ ଜାତିସଂଘକୁ ସୁରକ୍ଷା ପରିଷଦର ସଦସ୍ୟତା ପାଇଁ ପଠାଯାଇଥିଲା ।

ପୂର୍ବରୁ ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ୭ଥର ନିର୍ବାଚିତ ହୋଇଛି। ୧୯୫୦-୫୧, ୧୯୬୭-୬୮, ୧୯୭୨-୭୩, ୧୯୭୭-୭୮, ୧୯୮୪-୮୫, ୧୯୯୧-୯୨ ଓ ଶେଷଥର ପାଇଁ ୨୦୧୧-୧୨ରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ମନୋନୀତ ହୋଇଥିଲା। ଅନ୍ୟପଟେ ଚଳିତ ଥର ଭାରତ ସହ ମେକ୍ସିକୋ, ଆୟର୍ଲାଣ୍ଡ ଓ ନରୱେ ମଧ୍ୟ ଜାତିସଂଘର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।

ଭାରତ ଜାତିସଂଘର ସୁରକ୍ଷା ପରିଷଦରେ ସାମିଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ସମୁଦାୟ ଦ୍ୱାରା ଦିଆଯାଇଥିବା ସମର୍ଥନ ପାଇଁ ଗଭୀର କୃତଜ୍ଞତା ଜଣାଇଛନ୍ତି  । ଏଥିସହ ଭାରତ ଆଗକୁ ଶାନ୍ତି, ନିରାପତ୍ତା, ସ୍ଥିରତା ଏବଂ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ସଦସ୍ୟ ଦେଶ ସହ ମିଳିମିଶି କାର୍ଯ୍ୟ କରିବ। ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ  । ତେବେ ଆସନ୍ତା ୨୦୨୧ ଜାନୁଆରୀ ପହିଲାରୁ ଭାରତ ଦୁଇ ବର୍ଷ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ରହିବ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top