ନ୍ୟୁଜ୍

ଆଜି ବିଶ୍ୱ ଜନଜାତି ଦିବସ, ଗରିବଙ୍କଠାରୁ ବହୁତ ଦୂରରେ ବିକାଶ

tribal day

ଅର୍ଗସ ବ୍ୟୁରୋ:  ଆଜି ବିଶ୍ୱ ଜନଜାତି ଦିବସ । ଆଦିବାସୀଙ୍କ ଜନସଂଖ୍ୟା, ଅଧିକାର, ସୁରକ୍ଷାକୁ ପ୍ରୋତ୍ସାହିତ କରିବାକୁ ଦିନଟିଏ । ୫୦ ବର୍ଷ ତଳେ ଯେଉଁ ଲୋକଙ୍କୁ ବିକାଶ ସହ ଯୋଡିବାକୁ ପ୍ରୟାସ ହୋଇଥିଲା, ଆଜି ସେମାନେ ବାସ୍ତବରେ କେତେ ବାଟ ଚାଲିଛନ୍ତି । ବୋଧହୁଏ ଏହି ଉତ୍ତର ସରକାରଙ୍କ ପାଖରେ ନାହିଁ କିମ୍ବା ଯଦି ଅଛି ତାହା ହାସ୍ୟାସ୍ପଦ । କାରଣ ରାଜ୍ୟରେ ଆଜି ବି ୧୯ ଆଦିବାସୀ ବହୁଳ ଜିଲ୍ଲାରେ ୫୦ ପ୍ରତିଶତରୁ କମ ଜନଜାତି ସଂପ୍ରଦାୟର ଲୋକେ ସାକ୍ଷର । ରାଜ୍ୟରେ ଜନଜାତି ସଂପ୍ରଦାୟର ଲୋକଙ୍କ ମଧ୍ୟରେ ପ୍ରତି ୧୦ଜଣଙ୍କ ଭିତରେ ୬ଜଣଙ୍କର କୌଣସି ସ୍ୱାସ୍ଥ୍ୟବୀମା ନାହିଁ କିମ୍ବା ସେମାନେ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ ନାହାନ୍ତି ।

ବିଶ୍ବ ଆଦିବାସୀ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ମାଲକାନଗିରିରୁ କଚ୍ଛ ପର୍ଯ୍ୟନ୍ତ, ଲଦାଖରୁ ଆଣ୍ଡାମାନ ପର୍ଯ୍ୟନ୍ତ । ଭାରତରେ ରହିଛନ୍ତି ଆଦିମ ଆଦିବାସୀ ଓ ଆଜି ବି ବଞ୍ଚିରହିଛି ତାଙ୍କ ସଂସ୍କୃତି । ଆଦିବାସୀ ଦିବସରେ ସେମାନଙ୍କ ପ୍ରତି ସମ୍ମାନ ଓ ସୁରକ୍ଷା ପାଇଁ ଚେଷ୍ଟା କରିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଟ୍ୱିଟ ଜରିଆରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର ।

ଗରିବଙ୍କଠାରୁ ବହୁତ ଦୂରରେ ବିକାଶ । ଆଦିବାସୀଙ୍କ ବିକାଶର ଗତି ଏତେ ଧିମା ଯେ, ସବୁ କ୍ଷେତ୍ରରେ ବହୁତ ପଛରେ ଜନଜାତି । ସେ ଶିକ୍ଷା ହେଉ ଅବା ସ୍ବାସ୍ଥ୍ୟ । ସବୁଥିଲେ ବିକାଶ ଯେମିତି ଏଠାରେ ବାଟବଣା । କାରଣ, ଏଠି ଭୋକର ଭୂଗୋଳ ଭିତରେ ହଜିଗଲାଣି ବିକାଶର ବର୍ଣ୍ଣବୋଧ ।  ଯେଉଁଠି ପେଟକୁ ଭାତ ନ ମିଳିବାର ଭୟ ରହିଛି, ସେଠି ଶିକ୍ଷାରେ ସଂପୂର୍ଣ୍ଣତା ଆସିବ ବା କେମିତି ?  ନ ହେଲେ ଦୁର୍ଗମ ଇଲାକାରୁ ଆସିନଥାନ୍ତା ଦାଦନର ଦୁଃଖ । ଅପପୁଷ୍ଟିରେ ଆଖି ବୁଜି ନଥାନ୍ତି ଶିଶୁ । ସହରୀ ଚାକଚକ୍ୟ ନୁହେଁ ।ଆଦିବାସୀ ମୂଲକର ମାଟିର ମଣିଷଟିଏ ହିଁ ହୋଇଥାଏ ବିକାଶର ବାସ୍ତବ ମାପକାଠି । ଯଦି ସେହି ମାପକାଠିରେ ଆମେ ରାଜ୍ୟର ବିକାଶକୁ ମାପିବା ତାହେଲେ ନିଶ୍ଚିତ ଭାବେ ନିଜକୁ ବହୁତ ପଛରେ ପାଇବା । ତଥ୍ୟ କହୁଛି, ଦେଶରେ ସର୍ବାଧିକ ଜନଜାତି ଥିବା ରାଜ୍ୟ ହେଉଛି ଓଡ଼ିଶା । ଯେଉଁଠି ପ୍ରାୟ ୬୨ ପ୍ରକାରର ଆଦିବାସୀ ବସବାସ କରିଥାନ୍ତି । ଯଦି ଆମେ ଜନସଂଖ୍ୟା ହିସାବକୁ ନେବା ତେବେ ମୋଟ୍ ଜନସଂଖ୍ୟାର ୨୩.୭ ପ୍ରତିଶତ ଆଦିବାସୀ ।

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି ଆଦି ଜିଲ୍ଲାରେ ପ୍ରାୟ ୫୦ ପ୍ରତିଶତ ଆଦିବାସୀ ଲୋକ ବସବାସ କରିଥାନ୍ତି । ଯେଉଁସବୁ ଅଂଚଳକୁ ଆଜି ବି ବିକାଶ ଛୁଇଁ ପାରିନାହିଁ । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ପୋଷଣ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ । ମଣିଷର ନିହାତି ଆବଶ୍ୟକତା ଥିବା ସ୍ବାସ୍ଥ୍ୟ ସେବା ଓ ବୀମା କ୍ଷେତ୍ରରେ ଆମ ରାଜ୍ୟର ଆଦିବାସୀଙ୍କ ସଂଖ୍ୟା ବହୁତ ପଛରେ । ରାଜ୍ୟରେ ଏବେ ବି ୫୭ ପ୍ରତିଶତ ଜନଜାତି ଲୋକ ସ୍ବାସ୍ଥ୍ୟବୀମାରୁ ବଞ୍ଚିତ ଥିବା ବେଳେ, ପ୍ରତି ୧୦ ଜଣରୁ ୬ ଜଣ କୌଣସି ସ୍ବାସ୍ଥ୍ୟୀ ବୀମା କିମ୍ବା ଯୋଜନାର ଅନ୍ତର୍ଭୁକ୍ତ ନୁହଁନ୍ତି । ଶିକ୍ଷା କ୍ଷେତ୍ରରେ ଯଦିଓ ଆଦିବାସୀଙ୍କ ଅଂଶୀଦାରୀ ବଢିଛି ତଥାପି ଏହା ଆଶାଜନକ ନୁହେଁ । ତଥ୍ୟ ଅନୁସାରେ ଗତ ୨୦୦୧ରୁ ୨୦୧୧ ମଧ୍ୟରେ ରାଜ୍ୟରେ ଆଦିବାସୀ ସାକ୍ଷରତା ହାର ୧୪. ୮ ପ୍ରତିଶତ ବଢିଛି । ୨୦୦୧ରେ ଏହି ସଂଖ୍ୟା ୩୭.୪ ପ୍ରତିଶତ ଥିଲା ବେଳେ ୨୦୧୧ରେ ଏହା ୫୨.୨ ପ୍ରତିଶତରେ ପହଞ୍ଚିଥିଲା । ୨୦୧୬-୧୭ ତଥ୍ୟ ଅନୁସାରେ ରାଜ୍ୟରେ ଉଚ୍ଚପ୍ରାଥମିକ ଶିକ୍ଷା ବା ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ମୋଟ ୯୪.୬୪ ପ୍ରତିଶତ ପିଲାମାନଙ୍କ ମଧ୍ୟରେ ୨୬.୯୬ ପ୍ରତିଶତ ପିଲା ଆଦିବାସୀ ସଂପ୍ରଦାୟର । ସେହିପରି ୨୦୧୬-୧୭ ମସିହାରେ ପ୍ରାଇମେରି ସ୍କୁଲ ବା ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ୩୨ ପ୍ରତିଶତ ପିଲା ନାମ ଲେଖାଇଛନ୍ତି । ତେବେ ୨୦୧୪-୧୫ ମସିହା ପରଠୁ ଜନଜାତି ପିଲାଙ୍କ ନାମଲେଖା ହାର କ୍ରମାଗତ କମିବାରେ ଲାଗିଛି ।

ୟ୨୦୧୪-୧୫ ରେ ଏହି ସଂଖ୍ୟା ୩୩ ପ୍ରତିଶତ ଥିଲା ବେଳେ ତା ପରବର୍ଷ ଏହା ୩୨.୦୬ ପ୍ରତିଶତକୁ ଖସି ଆସିଥିଲା । ତଥ୍ୟ କହୁଛି, ସଚେତନତା ଅଭାବରୁ ସଠିକ ବୟସରେ ପିଲା ସ୍କୁଲ ପଢା ଆରମ୍ଭ କରିପାରୁ ନାହାଁନ୍ତି । ପ୍ରାଥମିକ ବିଦ୍ୟାଳୟରେ କିଛି ପିଲାଙ୍କ ବୟସ ୧୦ ବର୍ଷରୁ ଅଧିକ ରହିଛି । ଯଦି ସାକ୍ଷରତା କଥା କହିବା, ତାହେଲେ ରାଜ୍ୟରେ ଏବେ ବି ୧୯ ଆଦିବାସୀ ଜିଲ୍ଲାରେ ୫୦ ପ୍ରତିଶତରୁ କମ୍ ଲୋକ ସାକ୍ଷର । ରାଜ୍ୟରେ ଜନଜାତି ସାକ୍ଷରତା ହାର ୫୨.୨ ପ୍ରତିଶତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୫୧.୫ । ଆଦିବାସୀ ବହୁ ଜିଲ୍ଲା କୋରାପୁଟରେ ମାତ୍ର ୨୪ ପ୍ରତିଶତ ଜନଜାତି ସଂପ୍ରଦାୟର ଲୋକେ ସାକ୍ଷର । ରାଜ୍ୟରେ ଆଦିବାସୀ ମହିଳାଙ୍କ ସାକ୍ଷରତା ହାର ୪୧.୨ ପ୍ରତିଶତ ହୋଇଥିବା ବେଳେ ଗ୍ରାମୀଣ ଅଂଚଳରେ ଏହା ୩୯.୯ ପ୍ରତିଶତ ।

ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟର ଆଦିବାସୀ ବହୁତ ପଛରେ । ରାଜ୍ୟରେ ଆଜି ବି ଅନେକ ଆଦିବାସୀ ମଣିଷ ଅନାହାରରେ ରହିଥିବା ବେଳେ ଶିଶୁ ଅପପୁଷ୍ଟିର ଶିକାର ହୋଇଛି ଆଖି ବୁଜୁଛି । ଶିଶୁ ଓ ମାତୃ ମୃତ୍ୟୁହାରରେ ମଧ୍ୟ ଦେଶରେ ସର୍ବାଗ୍ରେ ରହିଛି ଓଡ଼ିଶା । ଆନ୍ତରିକତା ଅଭାବରୁ ରାଜ୍ୟରେ ଆଦିବାସୀଙ୍କ ବିକାଶ ପାଇଁ ଅନେକ ଦୀର୍ଘ ମିଆଦୀ ଯୋଜନା ଫେଲ ମାରିଛି । ସାମଗ୍ରିକ ଭାବେ ଯଦି ଆମେ ବିକାଶ ସହ ଆଦିବାସୀଙ୍କୁ ଯୋଡିବା ତେବେ ସରକାରୀ ଘୋଷଣା ଏକପ୍ରକାର ପ୍ରହସନ ନୁହେଁ ତ ଆଉ କଣ ? ଶିକ୍ଷାର ଉନ୍ନତିରେ ସକଳ ଉନ୍ନତି । ଯେଉଁଠି ସରକାର ଏହାକୁ କେବଳ ପୋଷ୍ଟର ଓ ସ୍ଲୋଗାନରେ ସୀମିତ ରଖିଛନ୍ତି ସେଠି ବିକାଶର କଥା ଭାବିବା ଅସମ୍ଭବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top