ନ୍ୟୁଜ୍

ରାଜନୀତିକୁ ଆସିବା ପାଇଁ ଏଭଳି କସରତ କରୁଛନ୍ତି କି ପାଣ୍ଡିଆନ୍ ?

pandian

ଅର୍ଗସ ବ୍ୟୁରୋ: ରାଜନୀତିକୁ ଆସିବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ । ପାୱାର କରିଡରରେ ଏବେ ଜୋର ଧରିଛି ଏପରି ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଖାସ୍ କୁହାଯାଉଥିବା ପାଣ୍ଡିଆନ୍‌ଙ୍କୁ ନୂଆ ଅବତାରରେ ଖୁବଶୀଘ୍ର ଦେଖିବାକୁ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ।

ନବୀନଙ୍କ ପ୍ରିୟ ଅଫିସର ଆସିବେ ରାଜନୀତିକୁ । ସିଧାସିଧା ରାଜନୀତିର ମଙ୍ଗ ଧରିବେ ରାଜ୍ୟର ସବୁଠାରୁ ପାୱାରଫୁଲ୍‌ ଆଇଏଏସ୍‌ ଅଫିସର ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ । ରାଜନୀତିକୁ ଆସିବା ପୂର୍ବରୁ ଏବେ ମଇଦାନ୍ ପ୍ରସ୍ତୁତିରେ ଲାଗିପଡିଛନ୍ତି ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭାବେ ଦାୟିତ୍ୱ ନେଇଥିବା ଶ୍ରୀ ପାଣ୍ଡିଆନ୍ ଏବେ ଜିଲ୍ଲା ବୁଲିବା ଆରମ୍ଭ କରିଦେଇଛନ୍ତି । ତେବେ ସେ ସରକାରୀ ଭାବେ ତାଙ୍କ କାର୍ଯ୍ୟ ଆରମ୍ଭ କରୁଥିଲେ ମଧ୍ୟ ଖୁବଶୀଘ୍ର ସେ ରାଜନୀତିରେ ପାଦ ଥାପିବେ ବୋଲି ଏବେ ପାୱାର କରିଡରରେ ଶୁଣିବାକୁ ମିଳୁଛି ।

ଏପରିକି ଏକଦା ବିଜେଡି ରାଜନୀତିର ଚାଣକ୍ୟ କୁହାଯାଉଥିବା ପୂର୍ବତନ ସାଂସଦ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ପଥରେ ଏବେ ପାଣ୍ଡିଆନ୍ ଥିବା କୁହାଯାଉଛି । ସ୍ୱର୍ଗତ ମହାପାତ୍ରଙ୍କ ବିନା ଯେପରି ବିଜେଡିର ଗଛପତ୍ର ହଲୁନଥିଲା, ଠିକ୍ ସେହିପରି ବିଜେଡିରେ ଏହି ବାବୁଙ୍କ ବିନା କୌଣସି କାମ ମଧ୍ୟ ହେଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଥିବା ଏହି ବାବୁ ଦିନେ କ୍ୟାମେରା ଦେଖିଲେ ଚିଇଁକି ଉଠୁଥିଲେ । ଆଉ ଏବେ ବିନା କ୍ୟାମେରାରେ ଗସ୍ତ କରୁନାହାନ୍ତି ! ବିଜେଡି ନେତାଙ୍କ ମଧ୍ୟରେ ଏବେ ଆଲୋଚନା ଆଗକୁ ଖାଲି ହେବାକୁ ଥିବା ରାଜ୍ୟସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହେବେ କି ପାଣ୍ଡିଆନ୍ ? ଆଉ ପ୍ୟାରୀମୋହନ ମହାପାତ୍ରଙ୍କ ପରି ସେ ଧରିବେ ବିଜେଡି ସଙ୍ଗଠନର ସିଧାସିଧା ମଙ୍ଗ ।

ଭି.କାର୍ତ୍ତିକେୟନ ପାଣ୍ଡିଆନ୍ ନିଜ ରିମୋର୍ଟରେ ବିଜେଡି ରାଜନୀତିକୁ ନିୟନ୍ତ୍ରଣ କରୁଥିବାର ଅଭିଯୋଗ, ବାରମ୍ବାର ଆଣିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ଏପରିକି ବିଜେଡି ଛାଡିଥିବା ଅଧିକାଂଶ ନେତା ମଧ୍ୟ ବିଜେଡିକୁ ପାଣ୍ଡିଆନ୍ ଚଳାଉଥିବାର ଅଭିଯୋଗ ଆଣିଛନ୍ତି । ତେଣୁ ଏପରି ସ୍ଥିତିରେ 5ଟି ସଚିବ ଭାବେ ଦାୟିତ୍ୱ ନେଇ ଜିଲ୍ଲା ଭ୍ରମଣରେ ବାହାରିଥିବା ପାଣ୍ଡିଆନଙ୍କ ଗସ୍ତ ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top