ଅପରାଧ

DSPଙ୍କ ଆତଙ୍କବାଦୀ ଲିଙ୍କ୍‌ ଗୁମର ଖୋଲୁଛି, ଦିଲ୍ଲୀ-ଚଣ୍ଡିଗଡ଼ରେ ହୋଇଥାନ୍ତା ଆକ୍ରମଣ…

DSP debender singh

ଅର୍ଗସ ବ୍ୟୁରୋ: ଜାମ୍ମୁ-କାଶ୍ମୀରର ଡିଏସ୍‌ପି ଦେବେନ୍ଦର ସିଂହଙ୍କ ନାଁରେ ଲାଗିଛି ବଡ଼ କଳଙ୍କ । ତାଙ୍କ ନାଁରେ ଦେଶ ସହିତ ଗର୍ଦ୍ଦାରୀ କରିଥିବା ଅଭିଯୋଗ ରହିଛି । ସେ ଜଣେ ଦକ୍ଷ ଡିଏସ୍‌ପି ଭାବେ ପରିଚିତ ଥିଲେ ମଧ୍ୟ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବାର କଳଙ୍କ ତାଙ୍କ ମଥାରେ ଲାଗିଛି । ଦୁଇ ଜଣ ଆତଙ୍କବାଦୀ ଓ ତାଙ୍କ ଓକିଲଙ୍କୁ ସେ ନିଜ ଗାଡ଼ିରେ ଅନ୍ୟତ୍ର ଛାଡ଼ିବାକୁ ନେଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି । ପୂର୍ବରୁ ମଧ୍ୟ ଏଭଳି ଅନେକ ଅଭିଯୋଗ ତାଙ୍କ ନାଁରେ ରହିଛି । ହେଲେ ସେ ନିଜ ଭଲ ଟ୍ରାକ୍‌ ରେକର୍ଡ କାରଣରୁ ବର୍ତ୍ତିଯାଆନ୍ତି । ପ୍ରମାଣ ଅଭାବରୁ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ । ହେଲେ ଏବେ ସେ ସିଧାସଳଖ ଆତଙ୍କବାଦୀଙ୍କ ସହ ଥିବା ବେଳେ ଧରାପଡ଼ିଛନ୍ତି । ତାଙ୍କୁ ପୋଲିସ ଗିରଫ କରିବା ପରେ ଏବେ ଜୋରଦାର୍‌ ଜେରା ଆରମ୍ଭ କରିଦେଇଛି । ଜେରାରୁ ଡିଏସ୍‌ପି ଦେବେନ୍ଦର ସିଂହଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି ।

କାଶ୍ମୀରର ଡିଏସ୍‌ପି ଭାବେ କାର୍ଯ୍ୟରତ ଦେବେନ୍ଦର ସିଂହଙ୍କ ସହ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ ହେଲେ ହଜିବୁଲ୍‌ ଆତଙ୍କୀ ସଂଗଠନର ଆଗଧାଡ଼ିର ସଦସ୍ୟ । ଜେରା ପରେ ପୋଲିସର ସୂଚନା ଅନୁଯାୟୀ ଏହି ଦୁଇ ଆତଙ୍କବାଦୀ ପାକିସ୍ତାନରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ଚିନ୍ତାରେ ପଡ଼ିଯାଇଥିଲେ । ଫଳରେ ଏହାର ବଦଲା ନେବା ପାଇଁ ପଞ୍ଜାବ, ଦିଲ୍ଲୀ, ଚଣ୍ଡିଗଡ଼ ଆଦି ସ୍ଥାନରେ ଆତଙ୍କୀ ଆକ୍ରମଣ କରିବାର ଯୋଜନା କରୁଥିଲେ ।

ଏଭଳି ଆତଙ୍କବାଦୀ ସଂଗଠନ ସହ ଯୋଡ଼ି ହେବା ପାଇଁ ଡିଏସ୍‌ପି ଦେବେନ୍ଦର ଅନେକ ଫୋନ୍‌ ନମ୍ବର ବ୍ୟବହାର କରୁଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆହୁରି ଅନେକ ଆତଙ୍କବାଦୀ ଏହି ଡିଏସ୍‌ପିଙ୍କ ସହ ଖୁବ୍‌ଶୀଘ୍ର ଯୋଡ଼ି ହେବାର ସମ୍ଭାବନା ଥିଲା ।

ଡିଏସ୍‌ପିଙ୍କ ମୁଖ୍ୟ କାମ ଥିଲା ଆତଙ୍କବାଦୀଙ୍କ ରହିବା ଖାଇବାର ବ୍ୟବସ୍ଥା କରିବା ଓ ତାଙ୍କୁ ସୁରକ୍ଷିତ ଭାବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା । ଖାଲି ସେତିକି ନୁହେଁ ପ୍ରଥମେ ସେ ଆତଙ୍କବାଦୀଙ୍କୁ ଆଣି ନିଜ ଘରେ ରଖନ୍ତି ପରେ ନିଜ ଗାଡ଼ିରେ ଅନ୍ୟତ୍ର ସ୍ଥାନାନ୍ତର କରନ୍ତି । ତେବେ ଯେଉଁ ଦୁଇ ଆତଙ୍କବାଦୀଙ୍କ ସହ ସେ ଧରାପଡ଼ିଛନ୍ତି ସେମାନଙ୍କଠାରୁ 12 ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଛି । ଏମିତିକି ଡିଏସ୍‌ପି ଖାଲିସ୍ତାନ ଆତଙ୍କବାଦୀଙ୍କ ସହ ମଧ୍ୟ ଲିଙ୍କ୍‌ରେ ଥିବା ମଧ୍ୟ ଜଣାପଡ଼ିଛି । ଧରାପଡ଼ିଥିବା ଆତଙ୍କବାଦୀଙ୍କୁ ଦିଲ୍ଲୀ ଓ ଚଣ୍ଡିଗଡ଼ରେ ସୁରକ୍ଷିତ ଭାବେ ରହିବାର ବ୍ୟବସ୍ଥା କରିବା ପାଇଁ ଡିଏସ୍‌ପି ଦାୟିତ୍ୱ ନେଇଥିଲେ ।

ଆତଙ୍କବାଦୀଙ୍କ ସହ ଲିଙ୍କ୍‌ ନେଇ ଅନେକ ସମୟରେ ତାଙ୍କ ନାଁରେ ଅଭିଯୋଗ ହୋଇଆସିଛି । ଏମିତିକି ଅଫଜଲ ଗୁରୁ ଫାଶୀ ପାଇବା ପୂର୍ବରୁ ମଧ୍ୟ ତାଙ୍କ ନାଁ ନେଇଥିଲା । ହେଲେ ପ୍ରମାଣ ଅଭାବ ଓ ଭାଗ୍ୟ ଟାଣ କାରଣରୁ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । କିନ୍ତୁ 11 ଜାନୁଆରୀ ସକାଳୁ ଶ୍ରୀନଗରରୁ ନିଜ ଆଇ-10 କାର୍‌ରେ ଘରୁ ବାହାରିବା ବେଳେ ତାଙ୍କ ଗୁଡ୍‌ଲକ୍‌ ଶେଷ ହୋଇଯାଇଥିଲା । ଆଉ ରାସ୍ତାରେ ଯାଉଥିବା ବେଳେ ଜବାହର ଟନେଲ ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଭଲ ଟ୍ରାକ୍‌ ରେକର୍ଡ
ନିଜ ଚାକିରି କ୍ଷେତ୍ରରେ ସାହସିକତା ପାଇଁ ଡିଏସ୍‌ପି ଦେବେନ୍ଦର ସିଂହଙ୍କୁ ଅନେକ ପୁରସ୍କାର ମିଳିଛି । ଏମିତିକି ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ମିଳିଛି । 1990 ଦଶକରେ 10 ବର୍ଷ ପର୍ଯ୍ୟନ୍ତ ଏସ୍‌ଓଜି ସହିତ କାମ ମଧ୍ୟ କରିଛନ୍ତି ଦେବେନ୍ଦର । ଏହି ସମୟରେ ସେ ଅନେକ ସମ୍ମାନ ହାସଲ କରିଛନ୍ତି । ଦେବେନ୍ଦର ସିଂହଙ୍କ କାମରେ ଖୁସି ହୋଇ ତାଙ୍କୁ ଆଉଟ୍‌ ଅଫ୍‌ ଫର୍ମ ପ୍ରମୋଶନ ଦିଆଯାଇ ତାଙ୍କୁ ଇନ୍‌ସେପକ୍‌ଟର ଦାୟିତ୍ୱ ଦିଆଗଲା । ବଡ଼ଗ୍ରାମରେ ଆତଙ୍କବାଦୀ ବିରୋଧୀ ଅପରେସନ୍‌ରେ କଡ଼ା ମୁକାବିଲା କରି ଦେବେନ୍ଦର ଆହତ ମଧ୍ୟ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top