X
Breaking News
ନ୍ୟୁଜ୍

ଚିନ୍ତାରେ ଗଞ୍ଜାମବାସୀ, ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ କିନ୍ତୁ କାର୍ଯ୍ୟକାରୀ ହେଉନି ଜାନିବିଲି ପ୍ରକଳ୍ପ

ବ୍ରହ୍ମପୁର: ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଅନେକ ଗ୍ରାମର ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଜାନିବିଲି ପ୍ରକଳ୍ପ । କିନ୍ତୁ ଦୀର୍ଘ ବର୍ଷ ହେଲା ତାହା ସଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରୁନାହିଁ । ସହରବାସୀଙ୍କୁ ପାନୀୟ ଜଳ ମିଳିବା ତ ଦୂରର କଥା, ସହର ସାରା ପାଇପ୍ ଵିଛାଇବା ଯୋଗୁ ରାସ୍ତା ଅବସ୍ଥା କହିଲେ ନ ସରେ । ସହରର ମୁଖ୍ୟ ରାସ୍ତା ସମେତ ବହୁ ସାହିରେ ମଧ୍ୟ ଖାଲ ଢିପ ଭର୍ତ୍ତି ହୋଇଗଲାଣି ।  ଏହା ଦ୍ୱାରା ଛୋଟ ବଡ଼ ଦୁର୍ଘଟଣା  ନିତିଦିନିଆ ହୋଇଗଲାଣି । ଯାହା ଦ୍ୱାରା ଲୋକ ମଧ୍ୟରେ ଅସନ୍ତୋଷ ଏକ ପ୍ରକାର ବୃଦ୍ଧି ପାଇଛି । ଏହି ରାସ୍ତା ଗୁଡ଼ିକୁ ତୁରନ୍ତ ତିଆରି କରିବାକୁ ସାଧାରଣରେ ଦାବି ହେଉଛି ।

ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ସହର ତଥା ଆଖ ପାଖ ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ଜାନିବିଲି ପ୍ରକଳ୍ପର ଉଦଘାଟନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ବରଂ ଏହି ପ୍ରକଳ୍ପ  ସହରବାସୀଙ୍କ ପାଇଁ ବଡ଼ ସମସ୍ୟାର କାରଣ ପାଲଟିଛି । ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ  LNT ନାମକ ଏକ ଘରୋଇ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ LNT ସମ୍ପୂର୍ଣ୍ଣ କାର୍ଯ୍ୟ କରିବା ବଦଳରେ ଦୀର୍ଘ ଦିନ ହେଲା କାର୍ଯ୍ୟକୁ ସାରିବାରେ ବିଳମ୍ବ କରୁଛି । ଅନ୍ୟପଟେ ଜଳ ଯୋଗାଣ ପାଇଁ ବ୍ରହ୍ମପୁର ମହାନଗର ନିଗମ କରିଥିବା ରାସ୍ତାକୁ LNT ଭାଙ୍ଗି ସହର ସାରା ପାଇପ ବିଛାଇବା ଫଳରେ ସହରର ମୁଖ୍ୟରାସ୍ତା ସମେତ ସମସ୍ତ ସାହି ବର୍ତ୍ତମାନ ଛୋଟ, ବଡ଼ ଖାଲ ଢିପରେ ଭର୍ତ୍ତି ହୋଇଯାଇଛି । ଏହା ଦ୍ୱାରା ସାଧାରଣଲୋକେ ଟ୍ରାଫିକ ସମସ୍ୟା ସହ ନିତିଦିନିଆ ଦୁର୍ଘଟଣାର ଶିକାର ହେଉଛନ୍ତି।

ଖାଲି ସେତିକିରେ ସମସ୍ୟା ଶେଷ ହେଇନି । ଏହି ପ୍ରକଳ୍ପ ଦ୍ୱାରା ସହରବାସୀ ସମେତ ଗଞ୍ଜାମ ଜିଲ୍ଲାର ବହୁ ଗାଁ ପାନୀୟ ଜଳ ପାଇପାରିଥାନ୍ତେ । କିନ୍ତୁ  ତାହା ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିବା ଦେଖିବାକୁ ମିଳିଛି । ଏମିତି କି ଏହି କାର୍ଯ୍ୟ କରିବାକୁ ଯାଇ ପୁରୁଣା ପାଇପରେ ଯେଉଁ ଜଳ ଆସୁଥିଲା ସେହି ପାଇପକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ଫଳରେ ସହରବାସୀ ପିଇବା ପାଣି ପାଇବା ଏକ ପ୍ରକାର ମୁସ୍କିଲ ହୋଇପଡିଛି । ଅନ୍ୟପଟେ ତୁରନ୍ତ ଏହି କାର୍ଯ୍ୟକୁ ସର୍ମ୍ପନ୍ନ କରି ସହରର ସମସ୍ତ ରାସ୍ତାକୁ ପ୍ରଶାସନିକ ଏବଂ ବ୍ରହ୍ମପୁର ମହାନଗର ନିଗମର ମିଳିତ ଉଦ୍ୟମରେରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିଶନର ।

ଗୋଟିଏ ପଟେ  ଅଧାପନ୍ତରିଆ କାର୍ଯ୍ୟ ସହ ଦୀର୍ଘ ଦିନ ହେଲା କାର୍ଯ୍ୟ ସମ୍ପନ୍ନ ହୋଇପାରୁନଥିବା ବେଳେ ଅନ୍ୟପଟେ  ସହରର ରାସ୍ତା ମରଣ  ଯନ୍ତା ପାଲଟିଛି । କେବେ ଏହି ସମସ୍ୟାରୁ ସହରବାସୀଙ୍କୁ ଆଶ୍ୱସ୍ତି ମିଳିବ ତା’ ଉପରେ ସମସ୍ତଙ୍କ ନଜର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top