ଦେଶ

ସଙ୍କଟରେ କମଲନାଥ ସରକାର: ସେତେବେଳେ ମାଧବରାଓ ଆଉ ଏବେ ଜ୍ୟୋତିରାଦିତ୍ୟଙ୍କୁ କଂଗ୍ରେସ କରିଥିଲା ଅଣଦେଖା

ଭୋପାଳ:  ୨୦୧୮ ଡିସେମ୍ବରରେ ମଧ୍ୟପ୍ରଦେଶରେ ଶିବରାଜ ସିଂହଙ୍କ ୧୫ ବର୍ଷର ଶାସନର ଅନ୍ତ ହେବା ସହ କଂଗ୍ରେସ ଶାସନ ଆରମ୍ଭ ହୋଇଥିଲା । ଆଉ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ୭୨ ବର୍ଷୀୟ କମଳନାଥ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା କରି ପରିବାରବାଦ ରାଜନୀତିରେ ବିଶ୍ୱାସ ରଖୁଥିବା କଂଗ୍ରେସ କମଳନାଥଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଥିଲା  । ତେବେ ୧୪ ମାସରେ କଂଗ୍ରେସ ଶାସନର ଅବସାନ ଘଟିବାକୁ ଯାଉଛି ଆଉ ପୁଣିଥରେ ପଦ୍ମ ଫୁଟିବା ନେଇ ସ୍ପଷ୍ଟ ହେଉଥିବା ଦେଖିବାକୁ ମିଳିଛି । କାରଣ ଦୀର୍ଘ ଦିନ ଧରି ମଧ୍ୟପ୍ରଦେଶ ସରକାରରେ ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ଏବେ ଏହା ବାହାରକୁ ବାହାରିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ହାତ ଛାଡ଼ିଥିବା ବେଳେ ବିଜେପିରେ ସାମିଲ ହେବା ନେଇ କଳ୍ପନା ଜଳ୍ପନା ଚାଲିଛି ।  କିନ୍ତୁ ଏହା ସତ୍ୟ ଯେ ସିନ୍ଧିଆ ପରିବାର ବିଜେପିର ପୁରୁଣା ସାଥି ଥିଲେ, ଅଛନ୍ତି ମଧ୍ୟ ।

ତେବେ ସିନ୍ଧିଆ କଂଗ୍ରେସର ହାତ ଛାଡ଼ିବା ପଛରେ ରହିଛି ଅନେକ କାରଣ । ପ୍ରଥମେ ମୁଖ୍ୟମନ୍ତ୍ରୀ ନହେବା ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ରାଜ୍ୟର ପାର୍ଟି ମୁଖ୍ୟ କରାଇନଦେବା ଭଳି କାରଣ ପାଇଁ ସିନ୍ଧିଆ ଅସନ୍ତୋଷ ଥିଲେ । ଏପରିକି ତାଙ୍କ ସମର୍ଥକମାନେ ବହୁବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷାଙ୍କୁ ଚେତାବନୀ ଦେଇସାରିଥିଲେ । ତେବେ ସିନ୍ଧିଆଙ୍କ ସହ 21 ବିଧାୟକ ଦଳ ଛାଡ଼ିବା ପରେ କମଳନାଥ ସରକାରଙ୍କ ଆଡ଼କୁ ମାଡ଼ି ଆସିଛି ବିପଦ ।

ତେବେ ପୂର୍ବରୁ ଜ୍ୟୋତିରାଦିତ୍ୟଙ୍କ ବାପା ମୁଖ୍ୟମନ୍ତ୍ରୀ ହେବାକୁ ବଞ୍ଚିତ ହୋଇଥିବା ବେଳେ ୩୦ ବର୍ଷ ପରେ ସେ ନିଜେ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରିଲେନି । ଏଥିରୁ ସ୍ପଷ୍ଟ ଇତିହାସ କଡ଼ ଲେଉଟାଏ । ପ୍ରାୟ ୩୦ ବର୍ଷ ପରେ ଇତିହାସର ପୁନରାବୃତ୍ତି ଦେଖିବାକୁ ମିଳିଥିଲା ୨୦୧୮ ଡିସେମ୍ବରରେ । ଜାନୁଆରୀ ୧୯୮୯ରେ ଚୁରହଟ ଲଟେରୀ କାଣ୍ଡ ଯୋଗୁଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା । କିନ୍ତୁ ରାଜୀବ ଗାନ୍ଧିଙ୍କ ଇଚ୍ଛା ସତ୍ତ୍ୱେ ଅର୍ଜୁନ ସିଂହଙ୍କ ଦବଦବା ସେତେବେଳେ ମାଧବରାଓ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ହେବାରୁ ରୋକିଥିଲା । ସେତେବେଳେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରି ନଥିଲେ ମାଧବରାଓ । ଅର୍ଜୁନ ସିଂହଙ୍କ ସମର୍ଥକ ହରବଂଶ ସିଂହଙ୍କ ଭୋପାଳ ସ୍ଥିତ ବଙ୍ଗଳାରେ ଡେରା ପକାଇଥିଲେ ବିଧାୟକମାନେ । ଏହାର ଅର୍ଥ ଥିଲା ଯେ ପର୍ଯ୍ୟବେକ୍ଷକଙ୍କ ପାଖକୁ ସନ୍ଦେଶ ଯିବ, ବିଧାୟକମାନଙ୍କ ବହୁମତ ଅର୍ଜୁନ ସିଂହଙ୍କ ସହିତ ରହିଛି ।

ମାଧବରାଓ ସିନ୍ଧିଆ ସ୍ପଷ୍ଟ ଥିଲେ ଯେ ତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବ । ତେଣୁ ସେ ଖୁସିରେ ଦିଲ୍ଲୀରୁ ଭୋପାଳ ଆସି ଦୁଇଦିନ ଆରାମ କଲେ । କିନ୍ତୁ ଅର୍ଜୁନ ସିଂହଙ୍କ ଚାପ ଯୋଗୁଁ ସିନ୍ଧିଆଙ୍କ ପରିବର୍ତ୍ତେ ମୋତିଲାଲ ବୋରାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା । ଏହି ଘଟଣାର ୨୯ ବର୍ଷ ପରେ ମଧ୍ୟପ୍ରଦେଶର ସବୁଠୁ ଯୁବ ମୁଖ୍ୟମନ୍ତ୍ରୀ ହେଉ ହେଉ ରହିଗଲେ ମାଧବରାଓଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଆଉ ତାଙ୍କ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ହେଲେ ୭୨ ବର୍ଷୀୟ କମଳନାଥ ।

ସୂଚନା ଅନୁଯାୟୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ ହେଉଛନ୍ତି ଗ୍ୱାଲିୟରସ୍ଥିତ ମରାଠା ସିନ୍ଧିଆ ରାଜପରିବାରର ବଂଶଜ । ତାଙ୍କ ଜେଜେ ମା’ ରାଜାମାତା ସିନ୍ଦିଆ ଜନସଂଘର ସଂସ୍ଥାପକ ଥିଲେ । ମାଧବରାଓ ସିନ୍ଧିଆ ମଧ୍ୟ ନିଜ ମା’ଙ୍କ ପରେ ୧୯୭୧ରେ ଜନସଂଘରେ ସାମିଲ ହୋଇଥିଲେ । ୧୯୭୧ରେ ଲୋକସଭା ନିର୍ବାଚନରେ ମା’-ପୁଅ ନିଜନିଜ ସିଟ୍‌ରୁ ବିଜୟୀ ହୋଇଥିଲେ । ୧୯୮୦ରେ କଂଗ୍ରେସରେ ସାମିଲ ହୋଇଗଲେ ମାଧବରାଓ ସିନ୍ଧିଆ । କଂଗ୍ରେସ ଅମଳରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିରେ ଜେଲରେ ବନ୍ଦୀ ଥିଲେ ମାଧବରାଓଙ୍କ ମା’ । ମାଧବରାଓଙ୍କ ଭଉଣୀ ବସୁନ୍ଧରା ରାଜେ ଏବଂ ୟଶୋଧରା ରାଜେ ମା’ଙ୍କ ପଦାଙ୍କ ଅନୁସରଣ କରି ବିଜେପିରେ ସାମିଲ ହୋଇଥିଲେ । ଆଉ ଏବେ ଜେଜେ ମା’ଙ୍କ ପଦାଙ୍କ ଅନୁସରଣ କରିବାକୁ ଯାଉଛନ୍ତି ନାତି ଜ୍ୟାତିରାଦିତ୍ୟ ସିନ୍ଧିଆ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top