ନ୍ୟୁଜ୍

ଘରେ ପଶୁ ପଶୁ ବାଜିଲା ଚାଳ, କାଳିଆକୁ ନେଇ ଅଡୁଆ

KALIA

ଭୁବନେଶ୍ୱର: ରାଜ୍ୟସାରା କାଳିଆ କଳି । ବିଭିନ୍ନ ସ୍ଥାନରେ ଫର୍ମ ନମିଳିବାରୁ ଝାମେଲା ସୃଷ୍ଟି ହୋଇଛି । କାଳିଆ ପାଇଁ ଗାଁ ଗାଁରେ ଲାଗୁଛି କଳି । କାଳିଆ ଯୋଜନାରେ ସାମିଲ ହେବା ପାଇଁ ବିଭିନ୍ନ ପଞ୍ଚାୟତ ଅଫିସରେ ଫର୍ମ ନମିଳିବାରୁ ହାତାହାତି ହେଉଛନ୍ତି ଲୋକେ ।

କାଳିଆ ଯୋଜନା ଆରମ୍ଭରୁ ଚାଷୀ ହତାଶ  । ଯୋଜନା ଆରମ୍ଭରୁ ଦେଖାଦେଇଛି ଅବ୍ୟବସ୍ଥା । କେଉଁଠି ଫର୍ମ ମିଳୁନି ତ ଆଉ କେଉଁଠି ବ୍ଲାକରେ ବିକ୍ରି ହେଉଛି ଫର୍ମ । ଏଭଳି ପରିସ୍ଥିତି ଉପୁଜିଛି । କାଳିଆ ଯୋଜନାକୁ ନେଇ ଚାଷୀ ରାଜ ରାସ୍ତାକୁ ଓହ୍ଲାଇଛି । କାଳିଆ ଯୋଜନାରେ ଚାଷୀଙ୍କୁ ବିଭିନ୍ନ ସହାୟତା ରାଶି ମିଳିବାକୁ ଥିବା ବେଳେ ଏହାର ଫର୍ମ ଦାଖଲ ନେଇ ବିଭିନ୍ନ ପଂଚାୟତରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ଏପରିକି କାଳିଆ ବି ପିସିରୁ ବର୍ତ୍ତିନାହିଁ । ଚାଷୀଙ୍କ ପାଇଁ ସରକାରଙ୍କ କେତେ ଦରଦ ତାହା ତାହା ଏବେ ଜଣାପଡିଯାଇଛି ।

kalia

ଆବଶ୍ୟକ ମୁତାବକ ଫର୍ମ ନପାଇ ଆଜି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଏରଡ଼ଙ୍ଗା ପଞ୍ଚାୟତ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜଗତସିଂହପୁର-ଜଇପୁର ରାସ୍ତା ଅବରୋଧ କରିଥିଲେ । ଚାଷୀମାନଙ୍କ ପାଇଁ  ପଞ୍ଚାୟତ ଅଫିସ ଗୁଡିକରେ ଏହି ଯୋଜନା ପାଇଁ ଆବଶ୍ୟକ ମୁତାବକ ଫର୍ମ ମହଜୁଦ ନଥିବା ବେଳେ ଚାଷୀମାନେ କାମଧନ୍ଦା ଛାଡି ଏହି ଫର୍ମ ପାଇଁ ପଞ୍ଚାୟତ ଅଫିସ ବାରମ୍ବାର ଆସି ଫେରିବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏପରିକି ଯେତିକି ଫର୍ମ ଆସୁଛି ସେଗୁଡିକୁ ଦଳୀୟ ଭିତ୍ତିରେ ବଣ୍ଟନ କରାଯାଉଛି ବୋଲି ଅଭିଯୋଗ ହେଉଛି ।

ସେପଟେ ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ଲହୁଣୀପଡା ବ୍ଲକ ରାଜାମୁଣ୍ଡା ପଞ୍ଚାୟତ ଅଫିସ ରେ କାଳୀଆ ଆବେଦନ ଫର୍ମ ନ ମିଳିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ଶତାଧିକ ମହିଳା ଓ ପୁରୁଷ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ  କୋଇଡା, ଟେନସା, କଲେଇପସ ରାସ୍ତା ଏବଂ କୋଇଡା ରାଜାମୁଣ୍ଡା ରାସ୍ତାରେ ଗାଡ଼ି ଚଲାଚଳ ବାଧାପ୍ରାପ୍ତ ହୋଇଛି ।

ଗୋଟିଏ ପଟେ ନିର୍ବାଚନର ଠିକ୍ ପୂର୍ବରୁ ରାଜ୍ୟ ସରକାର କାଳିକା କାର୍ଡ ଖେଳିଥିବା ବେଳେ ଅନ୍ୟପଟେ ଆରମ୍ଭରୁ ସୃଷ୍ଟି ହୋଇଛି ବିଭ୍ରାଟ । ଡିସେମ୍ବର 31 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ ।  ଜିଲା ଓ ବ୍ଲକସ୍ତରରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ରାଜ୍ୟର ୩୦ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ। ଏହି ଯୋଜନା କିପରି କାର୍ଯ୍ୟକାରୀ କରିବାକୁ ମୋଡାଲିଟି ପ୍ରସ୍ତୁତ କରାଯାଇଛି।

ଏହି ଯୋଜନାରେ ଆସନ୍ତା ୩ ବର୍ଷ ପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ୨୦୧୮-୧୯ରୁ ୨୦୨୧-୨୨ ଯାଏ ୫ଟି ଫସଲ ପାଇଁ ଏହି ଯୋଜନା ଲାଗୁ ହେବ। ଏଥିରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ। ଚାଷୀ ପରିବାରକୁ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ। ଉଭୟ ଖରିଫ ଓ ରବି ଫସଲ ପାଇଁ ୫ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଚାଷୀମାନେ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ଖର୍ଚ୍ଚ କରି ପାରିବେ। ଏହି ଯୋଜନା ଦ୍ୱାରା ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେଉଁ ଚାଷୀର କେତେ ଜମି ଅଛି ତା ସହିତ ଏହି ଯୋଜନାର କୌଣସି ସମ୍ପର୍କ ନାହିଁ। ଅର୍ଥାତ ସମସ୍ତ ଚାଷୀ ଏହି ଯୋଜନାର ଲାଭ ଉଠାଇବେ। ଏହି ପଦକ୍ଷେପ ଦ୍ୱାରା ପ୍ରକୃତ ଚାଷୀ/ ଭାଗ ଚାଷୀ ଯେଉଁମାନଙ୍କର ବହୁତ କମ ଜମି ରହିଛି ସେମାନେ ମଧ୍ୟ ଏହାଦ୍ୱାରା ଉପକୃତ ହେବେ।

କାଳିଆ ଯୋଜନା ଦ୍ୱାରା ୧୦ ଲକ୍ଷ୍ୟ ଭୂମିହୀନ ପରିବାର ଉପକୃତ ହେବେ। ଛେଳି ପାଳନ, ଅଣ୍ଡା ଉତ୍ପାଦନ, ବତକ ଚାଷ, ମାଚ୍ଛ ଚାଷ, ଛତୁ ଚାଷ ଏବଂ ମହୁ ଚାଷ ଭଳି ଆନୁସଙ୍ଗିକ କୃଷି କାର୍ଯ୍ୟ ପାଇଁ ପ୍ରତି ପରିବାରକୁ ୧୨ ହଜାର ୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଭୁମିହୀନ ପରିବାର ଗୁଡିକ ଉପରୋକ୍ତ ୭ଟି ଆନୁଷଙ୍ଗିକ କୃଷି କାର୍ଯ୍ୟ ମଧ୍ୟରୁ ଯେ କୌଣସି ଗୋଟିଏକୁ ସେମାନଙ୍କ ଜୀବିକା ଭାବେ ପସନ୍ଦ କରି ପାରିବେ। ଏଥିପାଇଁ ଆସନ୍ତା ୩ ବର୍ଷରେ ସରକାର ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ଯୋଜନାରେ ଭୁମିହୀନ ଶ୍ରମିକମାନଙ୍କୁ ମଧ୍ୟ ସହାୟତା ବ୍ୟବସ୍ଥା କରାଯାଇଛି। ଅନେକ ସମୟରେ ବୃଦ୍ଧାବସ୍ଥା, ଅକ୍ଷମତା, ରୋଗ ତଥା ବିଭିନ୍ନ କାରଣରୁ ଚାଷୀ ଚାଷ କାର୍ଯ୍ୟ କରିବାକୁ ସକ୍ଷମ ହୋଇ ପାରେ ନାହିଁ। ଏଥିଯୋଗୁ ଭୂମିହୀନ ଶ୍ରମିକମାନେ ରୋଜଗାର ହରାଇଥାଆନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କ ପରିବାରକୁ ଚାଷ କାର୍ଯ୍ୟ ଓ ଜୀବିକା ଜାରି ରଖିବା ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସହାୟତା ପାଇବା ପାଇଁ ଗ୍ରାମ ପଞ୍ଚାୟତ ଦ୍ୱାରା ଯୋଗ୍ୟ ହୀତାଧିକାରୀଙ୍କୁ ମନୋନୀତ କରାଯିବ। ରାଜ୍ୟରେ ଥିବା ଏଭଳି ୧୦ ଲକ୍ଷ ପରିବାର ପାଇଁ କାଳିଆ ଯୋଜନାରେ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାଛଡା ଏହି ଯୋଜନାରେ ଚାଷୀ ଓ ଭୁମିହୀନ କୃଷି ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯାଇଛି। ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହେଲେ ଅତିରିକ୍ତ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦିଆଯିବ। ଏହାଦ୍ୱାରା ୫୭ ଲକ୍ଷ ପରିବାର ଉପକୃତ ହେବେ ବୋଲି ଲକ୍ଷ୍ୟ ରହିଛି । ମାତ୍ର ଆରମ୍ଭରୁ କାଳିଆକୁ ନେଇ କଳି ଆରମ୍ଭ ହୋଇଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top